ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଦୌରାଜଜଙ୍କ ଅଦାଲତରେ ମଙ୍ଗଳବାର କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ୨୦୧୯ ଜୁନରେ ସଂଘଟିତ ଅତି ସମ୍ବେଦନଶୀଳ ଗଣଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଦୌରାଜଜ ରାଜେଶ ଦାଶ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସେମାନେ ହେଲେ କିଞ୍ଜିରକେଲା ଥାନା କୁଲବା ପୁଗରାମୁଣ୍ଡାର ମହେନ୍ଦ୍ର ଓରାମ, ସଦରଥାନା ବରାହମାଲ ସୁନାଯୋରର ଲଲୀନ୍ଦ୍ର ଓରାମ, କିଶୋର ଏକ୍କା ଓ ଡୁମେରଯୋରର ରଂଜିତ ଓରାମ। ଜରିମାନା ଅନାଦାୟରେ ଜେଲ ଦଣ୍ଡ ଅବଧିକୁ ୩ ମାସ ବୃଦ୍ଧି କରିବାକୁ ଆଦେଶ ରହିଛି। ଏହା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

Advertisment

ମାମଲାର ବିବରଣୀ ଅନୁସାରେ, ୨୦୧୯ରେ ଏକ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଥିବା ପୀଡ଼ିତା ଓ ସହପାଠୀ ସଦରଥାନା ବରାହମାଲ ସୁନାଯୋରର ଲଲୀନ୍ଦ୍ର ଓରାମଙ୍କ ପ୍ରେମ ସମ୍ପର୍କ ଥିଲା। ଘଟଣାକ୍ରମେ ଗତ ୨୦୧୯ ଜୁନ୍ ୨୬ ଅପରାହ୍ନ ସାଢ଼େ ୪ଟାରେ ପୀଡ଼ିତା ସୁନ୍ଦରଗଡ଼ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ପ୍ରେମିକ ଲଲୀନ୍ଦ୍ର ବାଇକ୍‌ରେ ଆସି ତାଙ୍କୁ କିଞ୍ଜିରକେଲାରେ ଛାଡ଼ିଦେବ କହି ବସାଇ ନେଇଥିଲା। କିନ୍ତୁ କିଞ୍ଜିରକେଲା ବଦଳରେ ପୁଟୁଡିହି ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଏହା ପରେ ସେ ସାଙ୍ଗମାନଙ୍କୁ ଡାକିଥିଲା। କିଛି ସମୟ ପରେ ଜଣେ ସହପାଠୀ ରଞ୍ଜିତ ଓରାମ ତାଙ୍କ ୨ ସାଙ୍ଗ କିଶୋର ଏକ୍କା ଓ ମହେନ୍ଦ୍ର ଓରାମଙ୍କ ସହ ଆସି ପୀଡ଼ିତାଙ୍କୁ ଭୟଭୀତ କରି ଦୁଷ୍କର୍ମ କରିଥିଲେ। ଗଲା ବେଳେ ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ।

ଭୟ ଓ ଲୋକଲଜ୍ଜା କାରଣରୁ ପୀଡ଼ିତା କିଛି ଦିନ ଚୁପ ରହିବା ପରେ ୨୦୧୯ ଜୁଲାଇ ୧୫ ତାରିଖରେ ସୁନ୍ଦରଗଡ଼ ସଦରଥାନାରେ ଏତଲା ଦେଇଥିଲେ। ଘଟଣାଟି ସେତେବେଳେ ଜିଲ୍ଲାରେ ବେଶ ଆଲୋଡ଼ନ ସୃଷ୍ଟି କରିଥିଲା। ପୁଲିସ ମାମଲା ରୁଜୁ କରି ଜୁଲାଇ ୧୬ରେ ଲଲୀନ୍ଦ୍ର, କିଶୋର ଓ ରଂଜିତକୁ ଗିରଫ କରିଥିବା ବେଳେ ଫେରାର ମହେନ୍ଦ୍ରକୁ ଅଗଷ୍ଟ ୧୯ରେ ଗିରଫ କରିଥିଲା। ପୁଲିସର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଓ ୧୭ ଜଣଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଦାଲତ ଦଣ୍ଡାଦେଶ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ଜନଅଭିଯୋଜକ (ପିପି) ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରିଥିଲେ।