ଯୁକ୍ତ୩ କଲେଜ ପାଇଁ ହେବ ୪ର୍ଥ ପର୍ଯ୍ୟାୟ ନାମଲେଖା : କାହା ସ୍ୱାର୍ଥ ପାଇଁ ବଢ଼ୁଛି ସିଟ୍‌?

ସିଟ୍‌ ପୂରଣ ହୋଇଥିବା କଲେଜରେ ୭.୫% ବୃଦ୍ଧି, ୨୫ରୁ ଆବେଦନ, ୩୦ରେ ନାମଲେଖା

ଭୁବନେଶ୍ୱର : ଡିଗ୍ରି ଓ ସ୍ୱୟଂଶାସିତ କଲେଜଗୁଡ଼ିକ ପାଇଁ ପୁଣିଥରେ ହେବ ନାମଲେଖା। ଏବେ ସୁଦ୍ଧା କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୪୦ ହଜାରରୁ ଅଧିକ ସିଟ୍‌ ଖାଲି ପଡ଼ିଥିବା ବେଳେ ୪ର୍ଥ ପର୍ଯ୍ୟାୟ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ କଲେଜଗୁଡ଼ିକରେ ସମସ୍ତ ଅନର୍ସର୍ ଓ ଜେନେରାଲ(ପାସ୍‌) ସିଟ୍‌ ପୂରଣ ହୋଇଥିବ ସେଠାରେ ୭.୫% ସିଟ୍‌ ବୃଦ୍ଧି କରାଯାଇ ନାମଲେଖା ହେବ। ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏତେ ସଂଖ୍ୟାରେ ସିଟ୍‌ ଖାଲିପଡ଼ିଥିବା ବେଳେ କାହା ସ୍ୱାର୍ଥ ପାଇଁ ସିଟ୍‌ ବଢ଼ାଯାଉଛି ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି।

କେତେକ କଲେଜ କର୍ତୃପକ୍ଷ ଅଭିଯୋଗ କରିଛନ୍ତି ଯେ ୩ଟି ପର୍ଯ୍ୟାୟ ନାମଲେଖାରେ ରାଜ୍ୟର ପ୍ରମୁଖ କଲେଜ ସିଟ୍‌ ପୂରଣ ହୋଇଛି। ବାକି ଯେଉଁ କିଛି ଛୋଟ ଓ ମଧ୍ୟମଧରଣ କଲେଜରେ ସିଟ୍‌ ଖାଲି ରହିଛି ତାହା ପୂରଣ ହେଉନି। ଏବେ ୭.୫% ସିଟ୍‌ ବୃଦ୍ଧି କରାଯିବା ଦ୍ୱାରା ବଡ଼ କଲେଜରେ ପିଲା ବଢ଼ିବେ। ତେଣୁ ଯେଉଁ କଲେଜରେ ସିଟ୍‌ ଖାଲି ପଡ଼ିଛି ତାହା ସେମିତି ରହିଯିବ। ଯଦି ପିଲା ରହିଯାଇଛନ୍ତି କିମ୍ବା ସିଟ୍‌ ରହିଛି ତେବେ ନାମଲେଖା କରାଯାଉ। କିନ୍ତୁ ୩ଟି ପର୍ଯ୍ୟାୟ ପରେ ସିଟ୍‌ ବୃଦ୍ଧିକୁ ବନ୍ଦ କରାଯାଉ।

ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ଯେଉଁ ୭.୫% ସିଟ୍‌ ବୃଦ୍ଧି କରାଯିବ ତାହା ଖାଲିଥିବା କଲେଜଗୁଡ଼ିକରେ ଲାଗୁ ହେବ ନାହିଁ। ସିଟ୍‌ ଖାଲିଥିବା କଲେଜଗୁଡ଼ିକ ଏହି ପର୍ଯ୍ୟାୟରେ ପୂରଣ ହୋଇପାରିବ। ସେଲ୍ଫ ଫାଇନାନ୍‌ସିଂ କଲେଜରେ ସିଟ୍‌ ପୂରଣ ହୋଇଥିଲେ ମଧ୍ୟ ସେଠାରେ ସିଟ୍‌ ବୃଦ୍ଧି ହେବ ନାହିଁ। ଏହି ପର୍ଯ୍ୟାୟରେ ବି ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍‌ ସଂରକ୍ଷିତ ରହିବ।

ଏହି ପର୍ଯ୍ୟାୟର ନାମଲେଖା ଅଫ୍‌ଲାଇନ୍‌ରେ ହେବ। ଅଗଷ୍ଟ ୨୫ରୁ ୨୮ ତାରିଖ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୯ ତାରିଖରେ କଲେଜ ନୋଟିସ୍‌ ବୋର୍ଡରେ ମେଧା ତାଲିକା ପ୍ରକାଶ ପାଇବ। ୩୦ ତାରିଖରେ ନାମଲେଖା ହେବା ସହ ୩୧ ତାରିଖରେ ଇ-ସ୍ପେସ୍‌ରେ ନାମଲେଖା ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଯିବ। ଯୁକ୍ତ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୮୭୮ କଲେଜରେ ଆହୁରି ୪୩ ହଜାର ହଜାର ସିଟ୍‌ ଖାଲି ରହିଛି।

ସମ୍ବନ୍ଧିତ ଖବର