ବାଣ ବିକିବା କାଳ ହେଲା: ନିଆଁ ଲାଗି ୪ଟି ଦୋକାନ ଜଳିଗଲା

କରଂଜିଆ/କରଂଜିଆ ଗୋଲେଇ : ଆଜି ସଂଧ୍ୟା ୫ଟା ବେଳେ କରଂଜିଆ ସହର ମଧ୍ୟସ୍ଥଳୀ ପୂର୍ଣ୍ଣେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନରେ ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି। କ୍ଷଣିକ ଭିତରେ ନିଆଁ ପାଖରେ ଥିବା ଅନ୍ୟ ୩ଟି ଦୋକାନକୁ ବ୍ୟାପି ଯାଇଥିଲା। ଲକ୍ଷାଧିକ ଟଙ୍କା ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ପ୍ରଥମେ ପ୍ରଦୀପ ସାହାଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ଦୋକାନରୁ ପ୍ରଚଣ୍ଡ ଶବ୍ଦ ଶୁଭିବା ସହିତ ବିସ୍ଫୋରଣ ହୋଇଥିଲା। ଏହା ପାର୍ଶ୍ୱବର୍ତ୍ତୀ ଦୁଃଶାସନ ଦେହୁରୀଙ୍କ ଲୁଗା ଦୋକାନକୁ ବ୍ୟାପିଥିଲା। ଶ୍ରୀ ଦେହୁରୀଙ୍କ ପ୍ରାୟ ୪୫ଲକ୍ଷ ଟଙ୍କାର ପୋଷାକ ପୋଡ଼ି ଯାଇଥିଲା। ପରେ ଗଣେଶ ପାନ ଦୋକାନ ଓ ନୋଟେଲ ପୋଥାଳଙ୍କ ଫଳ ଦୋକାନ ଜଳି ପୋଡ଼ି ଛାରଖାର ହୋଇ ଯାଇଥିଲା। ଖବରପାଇ କରଂଜିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନାଯୋଗ୍ୟ, ପ୍ରଦୀପ ସାହାଙ୍କ ଦୋକାନରେ ବାଣ ଥିଲା। ସଂଧ୍ୟା ବେଳେ ଧୂପରୁ ବାଣରେ ନିଆଁ ଲାଗି ଯାଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ତେବେ ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ବେଆଇନ ବାଣ କାରବାରକୁ ପୁଲିସ କେମିତି ଜାଣି ପାରିଲା ନାହିଁ, ତାହା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର