ନଦୀଜଳରେ ଭାସିଗଲେ ୪ ସ୍କୁଲ୍‌ ଛାତ୍ର ; ଜଣେ ମୃତ, ଜଣେ ନିଖୋଜ; ୨ ଉଦ୍ଧାର

ରାଉର‌କେଲା/ବେଲଗୁଣ୍ଠା : ଦୁଇଟି ସ୍ଥାନର ଘଟଣା ମାତ୍ର ତାହା ଅତ୍ୟନ୍ତ ସମ୍ବେଦନଶୀଳ। ଗାଧୋଇଥିବାବେଳେ ପାଣିରେ ୪ ଜଣ ଛାତ୍ର ଭାସି ଯାଇଛନ୍ତି। ସୌଭାଗ୍ୟବଶତଃ ଦୁଇଜଣ ଉଦ୍ଧାର ହୋଇଥିବାବେଳେ ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ଅନ୍ୟ ଜଣ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ନଈନାଳ ଫୁଲିବା ଏବଂ ପ୍ରଖର ସ୍ରୋତ ବୋହିବା କାହାକୁ ଅଛପା ନାହିଁ। ଏପରିସ୍ଥଳେ ଛୋଟଛୋଟ ପିଲାମାନଙ୍କୁ କିଭଳି ଗାଧୋଇବା ପାଇଁ ଛଡ଼ାଯାଉଛି, ତାହା ଏବେ ଚିନ୍ତାଜନକ କାରଣ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ଦେଓଗାଁ ମୁଣ୍ଡାବସ୍ତି ନିକଟ ନାଳରେ ଘଟିଥିବା ଅଘଟଣରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ସାରନଗରୀ ‘ଡିବ୍ଲକ ଖଟାଲ ବସ୍ତିର ଆକାଶ (ଛୋଟୁ)ଯାଦବ (୧୩)। ଅନ୍ୟ ଦୁଇ ଛାତ୍ର ରୋଶନ ଚୌଧୁରୀ ଓ ରୋହିତ ଯାଦବ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୧ଟାରେ ଛୋଟୁ ତାର ସାଙ୍ଗ ରୋଶନ ଓ ରୋହିତ ସହ ସାଇକେଲରେ ଗାଧୋଇବାକୁ ମୁଣ୍ଡାବସ୍ତି ପଛପାର୍ଶ୍ବ ବ୍ରାହ୍ମଣୀନଦୀ ନିକଟ ନାଳରେ ପହଞ୍ଚିଥିଲେ। ନାଳ ହୁଢ଼ାରେ ସାଇକେଲ ରଖି ପ୍ରଥମେ ଛୋଟୁ ଗାଧୋଇବାକୁ ପାଣି ଭିତରୁ ପଶିଥିଲେ। ପରେପରେ ରୋଶନ ଓ ରୋହିତ ମଧ୍ୟ ପଶିଥିଲେ। ତିନି ଜଣ ଗାଧୋଉଥିବାବେଳେ ହଠାତ୍‌ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ନାଳ ଭିତରୁ ମାଡି ଆସିଥିଲା। ଫଳରେ ତିନିଜଣ ପାଣି ଭାସି ଯାଇଥିଲେ। ତିନି ଜଣ ଭାସି ଯାଉଥିବା ନାଳରେ ଗାଧୋଉଥିବା ସ୍ଥାନୀୟ ଲୋକ ରୋଶନ ଓ ରୋହିତକୁ ଉଦ୍ଧାର କରିଥିଲେ। ମାତ୍ର ଛୋଟୁ ପାଣି ବୁଡି ନିଖୋଜ ହୋଇଯାଇଥିଲେ। ପୁଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି କିଛି ସମୟ ଖୋଜାଖୋଜି କରିବା ପରେ ଛୋଟୁର ମୃତ ଦେହ ଉଦ୍ଧାର କରିଥିଲେ।

ଦ୍ବିତୀୟ ଘଟଣା ଘଟିଛି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତ ବଲାଡ଼ି ଗ୍ରାମରେ। ଗ୍ରାମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ବଡ଼ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ହେଲେ, ବଲାଡ଼ି ଗ୍ରାମର ସୁଶାନ୍ତ ଗୌଡ଼ଙ୍କ ପୁଅ ପ୍ରଶାନ୍ତ (୧୨)। ପ୍ରଶାନ୍ତ ବୁଧବାର ଅପରାହ୍‌ଣ ୪ଟାରେ ୪ଜଣ ସାଙ୍ଗଙ୍କ ସହ ନିକଟସ୍ଥ ବଡ଼ନଦୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଇବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅନ୍ୟ ସାଙ୍ଗମାନେ ଭୟରେ ଘରକୁ ଫେରି ଆସି ଘଟଣା ସମ୍ପର୍କରେ କାହାକୁ କିଛି କହି ନଥିଲେ। ପ୍ରଶାନ୍ତ ରାତି ଆଠଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ତାଙ୍କ ସାଙ୍ଗରେ ଗାଧୋଇ ଯାଇଥିବା ସାଙ୍ଗମାନଙ୍କୁ ପଚାରିଥିଲେ ଏବଂ ସେତେବେଳେ ଯାଇ ସେମାନେ ପ୍ରଶାନ୍ତ ଭାସି ଯାଇଥିବା ପ୍ରକାଶ କରିଥିଲେ।

ଘଟଣା ସମ୍ପର୍କରେ ବେଲଗୁଣ୍ଠା ଅଗ୍ନିଶମ ବାହିନୀ ଖବର ପାଇ ଓଆଇସି ବିଶ୍ବମ୍ବର ରାଓଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ଉଲ୍ଲାସ କୁମାର ସ୍ୱାଇଁ, ଅମୀର୍ କଟାୟତ, ଅଶୋକ କୁମାର ବେହେରା, ଆର୍ଯ୍ୟ କୁମାର ବାରିକ, ରଜନୀକାନ୍ତ ପରିଡ଼ା ପ୍ରମୁଖ ରାତିରେ ଦୀର୍ଘ ସମୟ ଯାଏ ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ। ଆଜି ସକାଳ ଦଶଟାରୁ ପୁଣିଥରେ ବୋଟ୍ ସାହାଯ୍ୟରେ ବଡ଼ନଦୀର ବଲାଡ଼ି ଠାରୁ ମାଧବରିଡ଼ା ପର୍ଯ୍ୟନ୍ତ ଖୋଜା ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଶାନ୍ତଙ୍କୁ ଠାବ କରାଯାଇପାରିନାହିଁ।

ପ୍ରକାଶ ଥାଉକି, ପୂର୍ବରୁ ସୁଶାନ୍ତ ନିଜର ପତ୍ନୀ ଓ ପିଲାମାନଙ୍କୁ ଧରି ସୁରତରେ ରହୁଥିଲେ। ଗତ ଲକ୍‌ଡାଉନ୍ ସମୟରେ ଗାଁକୁ ଫେରି ଆସିଥିଲେ। ପ୍ରଶାନ୍ତଙ୍କୁ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ।

ସମ୍ବନ୍ଧିତ ଖବର