ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର କପର୍ ତାର କାରବାର; ୪ ଅଭିଯୁକ୍ତ ଗିରଫ

ରେଳଧାରଣା ସିଗନାଲ୍ ଫେଲ୍; ମେ ୩୧-ଜୁନ ୧ରେ ଅଧରାତିରେ ଅଟକିଥିଲା ୨୨ ଟ୍ରେନ୍

କଟକ : ରେଳ ଧାରଣାରେ ସିଗନାଲ୍ ପାଇଁ ବ୍ୟବହାର ହେଉଥିବା କପର୍ ତାର ଚୋରି ଯୋଗୁଁ ମେ ୩୧ ଓ ଜୁନ୍ ୧ ଅଧରାତିରେ ଅଟକି ଯାଇଥିଲା ୨୨ଟି ଟ୍ରେନ୍। ଏହାକୁ ନେଇ ରେଳ ବିଭାଗରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଏହି ଚୋରା ଚାଲାଣ କାରବାରର ପର୍ଦ୍ଦାଫାସ କରିଛି ଆରପିଏଫ୍ ପୁଲିସ। ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ କାର୍ପଟଦାର କଟକ ଜଗତପୁରର ପବିତ୍ର କୁମାର ଦାସ(୩୦), କଟକରେ ରହୁଥିବା କେନ୍ଦ୍ରାପଡ଼ା ତେଣ୍ଡାକୁରାର ସେକ୍ ମୁନ୍ନା ଓରଫ ବାବା(୫୦), କେନ୍ଦ୍ରାପଡ଼ା ରାଜକନିକାର ବୁଲୁ ମଲ୍ଲିକ(୨୭) ଏବଂ ଚୋରା ତାର କିଣୁଥିବା କଟକ ଜଗତପୁରର ମହମ୍ମଦ ଅମଜାଦ ଅନସାରୀ(୫୭)। ଏହି ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ସୋମବାର ରିମାଣ୍ଡରେ ଆଣିବାକୁ ଅଦାଲତରେ ଆବେଦନ କରାଯିବ।

ଅନ୍ତଃରାଜ୍ୟ କପର୍ ତାର ଚୋର ଗ୍ୟାଙ୍ଗ ଗଲା ମେ ୩୧ ଓ ଜୁନ୍‌ ୧ ତାରିଖରେ ଲଗାତାର ମତଗଜପୁର ମାଛଗାଁ କେନାଲ ନିକଟ ରେଳ ଧାରଣା ପାର୍ଶ୍ବରୁ ଚୋରି କରିଥିଲେ। ତାର ଚୋରି ହେବାରୁ ରେଳ ଧାରଣା ପାର୍ଶ୍ବରେ ଥିବା ସିଗନାଲ୍ ଲାଇଟ୍ ଅଚଳ ହୋଇ ପଡ଼ିଥିଲା। ରାତିରେ ୨୨ଟି ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ଅଟକି ରହିବାରୁ ରେଳବାଇ ପାଇଁ ବଡ଼ ଧରଣର ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଗ୍ୟାଙ୍ଗକୁ ଠାବ କରିବା ପାଇଁ ଆରପିଏଫ୍ ଆଇଆଇସି ଅନିଲ କୁମାର ସିଂହଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା। ୩ ତାରିଖ ରାତିରେ ଏହି ଗ୍ୟାଙ୍ଗ ବାଲିକୁଦା ନିକଟରେ ଏକ ଜଙ୍ଗଲରେ କପର ତାର ଡିଜେଲ ଢାଳି ଜାଳୁଥିବା ଆରପିଏଫ୍ ଟିମ୍ ଖବର ପାଇଥିଲା। ଖବର ପାଇ ଜଙ୍ଗଲରେ ଚଢ଼ଉ କରି ଏହି ୪ ଜଣଙ୍କୁ କାବୁ କରିଥିଲେ। ମୁନ୍ନା ଓ ପବିତ୍ର ଏହି ଗ୍ୟାଙ୍ଗର ନେତୃତ୍ବ ନେଉଥିବା ବେଳେ କପର ତାରକୁ ଚୋରି କରିବା ପରେ ଏହାକୁ ପୋଡ଼ୁଥିଲେ। ଉପରେ ଥିବା ପ୍ଲାଷ୍ଟିକ୍ କଭର ପୋଡ଼ିଯିବା ପରେ ଭିତରୁ ତାର ବାହାରୁଥିଲା। ଏହି ତାରକୁ ଅମଜାଦକୁ କେଜି ପିଛା ୬୦୦ ଟଙ୍କାରେ ବିକ୍ରି କରୁଥିଲା।
ଟାଙ୍ଗୀ ଭଟିମୁଣ୍ଡା ଅଞ୍ଚଳରେ ଏଭଳି ଚୋରା କପର୍ ତାର ବିକ୍ରି ହେଉଥିବା କୁହାଯାଉଛି। ଏହି ତାର ମୁଖ୍ୟତଃ ନଏଡ଼ାରେ ବିଭିନ୍ନ କମ୍ପାନିରେ ବିକ୍ରି କରାଯାଉଛି। ଓଡ଼ିଶାର କବାଡ଼ିଆଙ୍କ ନିକଟରୁ ଏଜେଣ୍ଟମାନେ ଏହି କପର ତାର କେଜି ପିଛା ୮୦୦ ଟଙ୍କାରେ ନଏଡ଼ାରେ ବିକ୍ରି କରୁଥିବା ସନ୍ଦେହ କରାଯାଉଛି।

ଆରପିଏଫ୍ ହାତରେ ମୁନା ୨୦୧୯ ଓ ୨୦୨୦ ମସିହାରେ ଦୁଇ ଥର ଏହି ତାର ଚୋରି ମାମଲାରେ ଗିରଫ ହୋଇଥିଲା। ଗିରଫ ଅଭିଯୁକ୍ତ ମୁନ୍ନା ବିରୋଧରେ ୭ଟି ଅପରାଧୀକ ମାମଲା ଥିବା ବେଳେ ପବିତ୍ର ବିରୋଧରେ ୪ଟି, ବୁଲୁ ବିରୋଧରେ ଗୋଟିଏ ଲେଖାଏ ମାମଲା ରହିଛି। ତେବେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ରିମାଣ୍ଡରେ ଆଣି ଏହି ଅଭିଯୁକ୍ତଙ୍କୁ ଅନ୍ତଃରାଜ୍ୟ ନେଟଓ୍ବାର୍କ ସମ୍ପର୍କରେ ଖୋଳତାଡ଼ କରାଯିବ। କଟକରୁ ଏମାନେ ତାର ଚୋରି କରୁଥିବା ବେଳେ ରାଜ୍ୟ ବାହାରକୁ ଚାଲାଣ ପଛରେ କେଉଁ ଏଜେଣ୍ଟଙ୍କ ସମ୍ପୃକ୍ତି ଅଛି, ସେ ନେଇ ଅଧିକ ଖୋଳତାଡ଼ କରାଯିବ ବୋଲି ଆରପିଏଫ୍ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର