ନକଲି ପ୍ରମାଣପତ୍ର ମାମଲା: ଅସଲି ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡକ୍ଲାସ୍‌ରେ ପାସ, ନକଲି ସାର୍ଟିଫିକେଟ୍‌ରେ ଫାଷ୍ଟକ୍ଲାସ୍‌

ବଲାଙ୍ଗୀର: ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାର ଗୁମର ଖୋଲୁଛି। ଏଠି ଅସଲି ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡକ୍ଲାସ୍‌ରେ ପାସ କରିଥିଲେ। ଆଉ ନକଲି ସାର୍ଟିଫିକେଟ୍‌ରେ ଫାଷ୍ଟକ୍ଲାସ୍‌ ରଖି ଡାକ ବିଭାଗ ମେରିଟ୍‌ ଲିଷ୍ଟକୁ ଆସିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏପଟେ ମାମଲାରେ ବଲାଙ୍ଗୀର ପୁଲିସ ଅଧିକ ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗସ୍ତ କରିଛି। ରାତିରେ ବଲାଙ୍ଗୀର ପୁଲିସର ଏକ ସ୍ୱତନ୍ତ୍ର ଟିମ ଉତ୍ତର ପ୍ରଦେଶ ଯାଇଥିବା ସୂଚନା ମିଳିଛି। ଏହାସହ ପୁଲିସ ନକଲି ସାର୍ଟିଫିକେଟ ମାମଲାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

ସୋମବାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦ୍‌ଗାତା ସମେତ ୧୯ ଜଣଙ୍କୁ ପୁଲିସ କୋର୍ଟଚାଲାଣ କରିଥିଲା। ଆଗକୁ ମଧ୍ୟ ଏହି ମାମଲାରେ ଗିରଫଦାରୀ ବଢିବ ବୋଲି ଏସ୍‌ପି ସୂଚନା ଦେଇଥିଲେ। ସେହିକ୍ରମରେ ଆଜି ଦିନସାରା ପୁଲିସ ଟିମ୍‌ ନକଲି ସାର୍ଟିଫିକେଟ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ନକଲି ସାର୍ଟିଫିକେଟରେ ଚାକିରି ହାତେଇବାକୁ ଚେଷ୍ଟା କରିଥିବା ପ୍ରାର୍ଥୀମାନଙ୍କର କିଛି ତଥ୍ୟ ଅନୁସନ୍ଧାନରୁ ସାମ୍ନାକୁ ଆସିଛି। ନିଜ ନିଜ ଅଞ୍ଚଳର ହାଇସ୍କୁଲ ଗୁଡ଼ିକରେ ଥାର୍ଡ ଡିଭିଜନ ପାସ କରିଥିବା ପ୍ରାର୍ଥୀମାନେ ନକଲି ସାର୍ଟିଫିକେଟରେ ୯୭ ପ୍ରତିଶତ ମାର୍କ ରଖି ଚାକିରି ହାତେଇବାକୁ ପ୍ରୟାସ କରିଥିଲେ। ବେଲପଡ଼ା ବ୍ଲକ୍ ଧୂମାଭଟା ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ପାତ୍ର ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇବାକୁ ଚେଷ୍ଟା କରିଥିବା ୩ ଜଣ ପ୍ରାର୍ଥୀ ରୀତା ନାଗ, ପରେଶ ବୁଡେକ, ଭୋଜରାଜ ବୁଡେକ ତାଙ୍କ ସ୍କୁଲରେ ପାଠ ପଢ଼ିଥିବା ସୂଚନା ଦେଇଛନ୍ତି। ସେ ଭିତରୁ ରୀତା ନାଗକୁ ପୁଲିସ ରାଜସାକ୍ଷୀ କରିଥିବା ବେଳେ ଅନ୍ୟ ୨ଜଣ ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଗିରଫ ହୋଇ ଏବେ ଜେଲ ଯାଇଛନ୍ତି।

ପ୍ରଧାନଶିକ୍ଷକ ଦେଇଥିବା ତଥ୍ୟ ଅନୁସାରେ, ଗତ ୨୦୦୪ ମସିହାରେ ରୀତା ନାଗ, ୨୦୧୦ ମସିହାରେ ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଥାର୍ଡ କ୍ଲାସରେ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। କିନ୍ତୁ ସେମାନେ ୩ଜଣ ଡାକ ବିଭାଗରେ ଚାକିରି ପାଇଁ ଦେଇଥିବା ମାର୍କସିଟ ଉତ୍ତରପ୍ରଦେଶର ଝାନସୀ, ବିଆର୍‌ ଆମ୍ବେଦକର ଇଣ୍ଟର ମିଡିଏଟ କଲେଜର ମାର୍କସିଟ ଓ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ଯାହାକି ନକଲି ବୋଲି ଏବେ ସ୍ପଷ୍ଟ ବି ହୋଇସାରିଲାଣି। ସେମାନେ ଦେଇଥିବା ନକଲି ମାର୍କସିଟ୍‌ରେ ଥାର୍ଡ କ୍ଲାସ ପାଇଥିବା ସମସ୍ତ ବିଷୟରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏପରିକି ତିନିଜଣ ଯାକ ମାତୃଭାଷା ଓଡ଼ିଆରେ ୧୦୦ରୁ ୯୯ ମାର୍କ ରଖିଛନ୍ତି। ଜଣେ ଟପ୍ପର ପିଲା ବି ମାତୃଭାଷାରେ ୯୯ ମାର୍କ ରଖିବା ସମ୍ଭବ ନୁହେଁ। ଯାହାକୁ ନେଇ ପ୍ରଥମେ ସନ୍ଦେହ କରି ଥାନାର ଦ୍ୱାରସ୍ଥ ହୋଇଥିଲେ ଡାକ ଅଧୀକ୍ଷକ।

କେବଳ ଏତିକି ନୁହେଁ ଏହା ସହିତ ତିନିଜଣ ଯାକ ସେହି ସମାନ ବର୍ଷ ନିଜ ହାଇସ୍କୁଲରେ ଓ ଉତ୍ତରପ୍ରଦେଶର ଝାନସୀ ବିଆର୍‌ ଆମ୍ବେଦକର ଇଣ୍ଟର ମିଡିଏଟ କଲେଜରେ ମାଟ୍ରିକ ପାସ କରିଥିବା ନକଲି ସାର୍ଟିଫିକେଟ ଓ ମାର୍କସିଟରେ ଉଲ୍ଲେଖ ରହିଛି। ଧୂମାଭଟା  ହାଇସ୍କୁଲ ପ୍ରଧାନ ଶିକ୍ଷକ କହିବା ଅନୁସାରେ, ଗୋଟିଏ ସେଣ୍ଟରରୁ ଜଣେ ମ‌ାଟ୍ରିକ ପାସ୍ କଲା ପରେ ଅନ୍ୟ ସ୍କୁଲରେ ମାଟ୍ରିକ ପାସ କରିପାରିବ ନାହିଁ। ଥାନାରେ ଅଭିଯୋଗ ହୋଇଥିବା ୩୮ ଜଣ ପ୍ରାର୍ଥୀଙ୍କ ଭିତରୁ କିଏ ଥାର୍ଡ କ୍ଲାସ ତ ପୁଣି କିଏ ସେକେଣ୍ଡ କ୍ଲାସ। କିନ୍ତୁ ନକଲିରେ ସମସ୍ତେ ୯୭ ପ୍ରତିଶତରୁ ଉପରେ ରହି ମେରିଟ ଲିଷ୍ଟକୁ ଆସିଥିଲେ। ନକଲି ସାର୍ଟିଫିକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଏହି କାରବାର ଚଳାଇବା ପାଇଁ ବାହାର ରାଜ୍ୟର ବିଶ୍ବବିଦ୍ୟାଳୟ ଓ କଲେଜ ମାନଙ୍କର କର୍ମଚାରୀଙ୍କ ସହ ଲିଙ୍କ ରଖିଥିଲା। ଏଥିପାଇଁ ସେମାନଙ୍କୁ ଟଙ୍କା ବି ଦେଉଥିଲା। ତେଣୁ ପୁଲିସର ସ୍ୱତନ୍ତ୍ର ଟିମ୍‌ ବାହାର ରାଜ୍ୟକୁ ତଦନ୍ତ ପାଇଁ ଗସ୍ତ କରିଛି। ନକଲି କାରବାରରେ ଆଉ କେଉଁମାନେ ସଂପୃକ୍ତ ସେମାନଙ୍କୁ କାବୁ କରିବା ପାଇଁ ପୁଲିସ ଟିମ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧିତ ଖବର