ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନଥାନା ସୁନାରିପଡ଼ା କିଶୋର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଥିବା ୪ ଚୋରି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଚୋରି ସୁନାଗହଣା ଓ ବହୁ ଘରକରଣା ଆସବାବପତ୍ର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମହାନ୍ତିଆପଡ଼ାର ଶେଖ ସେହଜାଦା (୪୮), ଶେଖ ସୋହେଲ (୧୯), ସୁନାରିପଡ଼ାର ଗୋକୁଳ ବିଶ୍ବକର୍ମା (୪୨) ଓ ଅମିତ ଚୌହାନ (୨୫)।

Advertisment

ପୁଲିସ ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ଓ ତାଙ୍କ ପରିବାର ଗତ ମାର୍ଚ୍ଚ ୭ରୁ ୧୦ ତାରିଖ ମଧ୍ୟରେ ରାଉରକେଲା ଯାଇଥିବା ବେଳେ ଅଭିଯୁକ୍ତମାନେ ଘର ମୁଖ୍ୟ ଫାଟକ ଓ ଘର କବାଟ ଭାଙ୍ଗି ପଶିବା ସହ ଆଲମିରା ତାଡ଼ି ସୁନା ଓ ରୂପା ଗହଣା, ପୁରୁଣା ମୁଦ୍ରା ଓ ଘରର ବାସନକୁସନ, ଆସବାବପତ୍ର ଚୋରି କରି ନେଇଥିଲେ। ଶ୍ରୀ ମହାପାତ୍ର ଘରକୁ ଫେରିବା ପରେ ଏ ସମ୍ପର୍କ‌ରେ ଜାଣି ଗତ ୧୧ ତାରିଖରେ ଟାଉନଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତନାଘନା ଚଲାଇ ମାତ୍ର ୪ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ‌ସକ୍ଷମ ହୋ‌ଇଛନ୍ତି। ସେମାନଙ୍କ ଠାରୁ ଚୋରି ହୋଇଥିବା ୬ଟି ସୁନା ମୁଦି, ପାଞ୍ଚ ହଳ ସୁନା କାନଫୁଲ, ୩ ହଳ ରୂପା ପାଉଁଜି, ୬ଟି ରୂପା ଗୋଡ଼ ମୁଦି, ୨ ହଳ ଚୁଡ଼ି, ୨ଟି ମୋବାଇଲ ଫୋନ ସହ ୧୩ଟି ପିତଳ ଓ କଂସା ବା‌ସନ, ପୂଜା ଥାଳି, ବ୍ୟାଟେରି, ଇନର୍ଭଟର, ୩ଟି ପଙ୍ଖା, ଲୁହା ସାମଗ୍ରୀ, ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ, ରାସନ କାର୍ଡ ଆଦି ଜବତ କରିଛି ପୁଲିସ।