ଧର୍ମଗଡ଼: ନଳକୂପ ଠିକାଦାର ଘରୁ ୫୦ ଲକ୍ଷ ଟଙ୍କା ଡକାୟତି ଘଟଣାରେ ୪ ଡକାୟତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଂପୃକ୍ତ ଡକାୟତମାନଙ୍କୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏଡିଜେ ବିଶ୍ବବିସୃତ କର ୭ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଯୁଗେନ ପଟେଲ, ବାସୁଦେବ ପଟେଲ, ନେପାଳ ଏଡଜୁଏଡ଼ ଓ କୈଳାଶ ହାତୀ।
ମାମଲାରୁ ବିବରଣୀ ଜଣାଯାଏ ଯେ, ୨୦୨୨ ମେ’ ୩୧ ତାରିଖରେ ଧର୍ମଗଡ଼ ବସ୍ତିପଡ଼ା ନିବାସୀ ତଥା ନଳକୂପ ଠିକାଦାର ଦିନେଶ ଅଗ୍ରୱାଲଙ୍କ ଘରୁ ୫୦ ଲକ୍ଷ ଟଙ୍କା ଡକାୟତି ହୋଇଥିବା ନେଇ ଥାନାରେ ଏତଲା ହୋଇଥିଲା। ଅଭିଯୋଗ ଆଧାରରେ ଧର୍ମଗଡ଼ ପୁଲିସ ଥାନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକାରୀ ଦିନେଶ ଅଗ୍ରୱାଲଙ୍କ ଘରେ ବହୁଦିନରୁ ରୋଷେୟା ଭାବେ କାର୍ଯ୍ୟରତ ଯୁଗେନ ପଟେଲକୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ସମୟରେ ଯୁଗେନ ପଟେଲ ଲୋଭର ବଶବର୍ତ୍ତୀ ହୋଇ ସେ ଏହି ଘଟଣା ଭିଆଇ ଥିବା ଦୋଷ ସ୍ୱୀକାର କରିଥିଲା। ସେ ପୁଲିସକୁ କହିଥିଲା ଯେ, ଏହି ଡକାୟତିର ସମ୍ପୂର୍ଣ୍ଣ ନକ୍ସା ପ୍ରସ୍ତୁତକରି ଅନ୍ୟ ୫ଜଣ ସହଯୋଗୀଙ୍କ ସହାୟତାରେ ମାଲିକଙ୍କ ଘରେ ପଶି ଡକାୟତି କରିଥିଲା
ଯୁଗେନ ପଟେଲର ବୟାନକୁ ଭିତ୍ତି କରି ପୁଲିସ ସହଯୋଗୀ ଡକାୟତମାନଙ୍କ ଉପରେ ଚଢାଉ କରି ବିଭିନ୍ନ ସ୍ଥାନରେ ଲୁଚାଇଥିବା ଡକାୟତି ପରିମାଣ ୩୧ଲକ୍ଷ ୪୫ ହଜାର ୬୮୦ ଟଙ୍କା ଜବତ ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତ ଫେରାର ରହିଛି। ପ୍ରାୟ ଦେଢ଼ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ଏଡିଜେ ଦୌରାଜଜ୍ ବିଶ୍ବବିସୃତ କର ମାମଲାର ଚୂଡାନ୍ତ ଶୁଣାଣି କରି ଯୁଗେନ ପଟେଲ, ବାସୁଦେବ ପଟେଲ, ନେପାଳ ଏଡଜୁଏଡ଼ ଓ କୈଳାଶ ହାତୀଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ଛଅ ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।