ଓଡ଼ିଶାରୁ ଗଡ଼ିବ ୪ ଟ୍ରେନ୍‌

ପୂର୍ବତଟ ରେଳପଥରେ ଚାଲିବ ୬ ଯୋଡ଼ା
କଟକଣା ଭିତରେ ଯାତ୍ରା କରିବେ ଯାତ୍ରୀ
ଆଜି ବାଲେଶ୍ବରରେ ପହଞ୍ଚିବ ୨ ଶ୍ରମିକ ଟ୍ରେନ

ଭୁବନେଶ୍ବର : ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସୋମବାରଠାରୁ ଦେଶରେ ୨୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏଥିରେ ପୂର୍ବତଟ ରେଳପଥରେ ୬ ଯୋଡ଼ା ଟ୍ରେନ୍‌ ରହିଛି। ଓଡ଼ିଶା(କେବଳ ଭୁବନେଶ୍ବର ଷ୍ଟେସନ)ରୁ ୪ଟି ଓ ବିଶାଖାପାଟଣାରୁ ଦୁଇଟି ଟ୍ରେନ୍‌ ଦେଶର ବିଭିନ୍ନ ‌ସହରକୁ ଚଳାଚଳ କରିବ। ଭୁବନେଶ୍ବର-ସିଆଲ୍‌ଦା ଦୂରୋନ୍ତୋ ଏକ୍ସପ୍ରେସ (ମଙ୍ଗଳବାର, ଗୁରୁବାର ଓ ଶନିବାର), ଭୁବନେଶ୍ବର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ବର-ନୂଆଦିଲ୍ଲୀ(ପୁରୀରୁ ନୂଆଦିଲ୍ଲୀକୁ ଯିବାକୁ ଥିବା ପୁରୁଷୋତ୍ତମ ‌ଏକ୍ସପ୍ରେସ୍‌ ଭୁବନେଶ୍ବରରୁ ଛାଡ଼ିବ)କୁ ଗୋଟିଏ ଲେଖାଏ ଟ୍ରେନ୍‌ ଗଡ଼ିବ। ପୂର୍ବତଟ ରେଳପଥ ଅଧୀନରେ ଥିବା ବିଶାଖାପାଟଣାରୁ ନୂଆଦିଲ୍ଲୀ ଓ ହାଇଦ୍ରାବାଦକୁ ଗୋଟିଏ ଲେଖାଏ ଟ୍ରେନ୍‌ ଚାଲିବ। ଏଥିସହ ସୋମବାର ଦିନ ମୁମ୍ବାଇରୁ ଭୁବନେଶ୍ବର ଅଭିମୁଖେ କୋଣାର୍କ ଏକ୍ସପ୍ରେସ୍‌ ବାହାରିବ। ଏହି ଟ୍ରେନ୍‌ ମେ’ ୩ ତାରିଖରେ ଭୁବନେଶ୍ବରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ପୂର୍ବତଟ ରେଳପଥରୁ ଛାଡ଼ିବାକୁ ଥିବା ଟ୍ରେନ୍‌ର ସମସ୍ତ ୮୯୦୫ ଟିକେଟ୍‌ ବୁକିଂ ହୋଇଥିବା ସୂଚନା ମିଳିଛି।

କୌଣସି ଅସଂରକ୍ଷିତ ଟିକେଟ କିମ୍ବା ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ଟିକେଟ୍‌ ଜାରି କରାଯିବ ନାହିଁ। ସମ୍ପୂର୍ଣ୍ଣ ସୁନିଶ୍ଚିତ ଏବଂ ଆରଏସି ଟିକେଟ ଥିବା ଯାତ୍ରୀ, ଆଂଶିକ ୱେଟିଂ ଲିଷ୍ଟ ଟିକେଟଧାରୀଙ୍କୁ ଷ୍ଟେସନରେ ପ୍ରବେଶ ଓ ଟ୍ରେନ୍‌ରେ ଯାତ୍ରା କରିବାକୁ ଅନୁମତି ମିଳିବ। ୱେଟିଂ ଲିଷ୍ଟ ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ। ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ଯାତ୍ରା କରିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ଓ ଦୁଇ ଘଣ୍ଟା ପୂର୍ବରୁ ଦ୍ବିତୀୟ ଚାର୍ଟ ପ୍ରସ୍ତୁତ କରାଯିବ। ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବ ଓ ଲକ୍ଷଣ ନଥିବା ଯାତ୍ରୀଙ୍କୁ ଟ୍ରେନ୍‌ରେ ଯାତ୍ରା ଲାଗି ଅନୁମତି ମିଳିବ। ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନେ ଟ୍ରେନ୍‌ ଛାଡ଼ିବାର ୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିବେ ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବେ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଯାତ୍ରୀଙ୍କୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଜାରି ହୋଇଥିବା ସ୍ବାସ୍ଥ୍ୟ ନିୟମକୁ ପାଳନ କରିବା ବାଧ୍ୟତାମୂଳକ। ଭଡ଼ାରେ କୌଣସି ଭୋଜନ ଶୁଳ୍କ ମିଶିବ ନାହିଁ। ଆଗୁଆ ମିଲ୍‌ ବୁକିଂ ଓ ଇ-କ୍ୟାଟରିଂ ପାଇଁ ଥିବା ବିକଳ୍ପକୁ ହଟାଇ ଦିଆଯିବ। ତେ‌ବେ ଆଇଆସିଟିସି ପକ୍ଷରୁ ସୀମିତ ସଂଖ୍ୟକ ଖାଦ୍ୟ ଓ ପ୍ୟାକେଟ ହୋଇଥିବା ପାନୀୟ ଯୋଗାଇ ଦିଆଯିବ। ଏହି ସେବା ପ୍ୟାଣ୍ଟ୍ରି କାର ସମ୍ପୃକ୍ତ ଥିବା ସୀମିତ ସଂଖ୍ୟକ ଟ୍ରେନ୍‌ରେ ମିଳିବ। ଟ୍ରେନ୍‌ ଭିତରେ ଚଦର, କମଳ ଓ ପରଦା ଦିଆଯିବ ନାହିଁ। ଯାତ୍ରୀମାନେ ସେମାନଙ୍କ ସାଥୀରେ ଚଦର ଆଣି ଆସିବେ।

ଅନ୍ୟପକ୍ଷ‌ରେ ଗତକାଲି ସୁଦ୍ଧା ଓଡ଼ିଶାରେ ୧୭୧ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିଥିବା ବେଳେ ଆଜି ଆଉ ୭ଟି ଲାଗିଛି। ସୁରତରୁ ବ୍ରହ୍ମପୁରକୁ ୩ଟି ଟ୍ରେନ୍‌ ଆସିଥିବା ବେଳେ ତାମିଲନାଡ଼ୁର ତିରୁପ୍ପୁରରୁ ରାଉରକେଲା, ତାମିଲନାଡ଼ୁର କରୁର୍‌ରୁ ଭଦ୍ରକ, ଜମ୍ମୁର କଟ୍‌ରାରୁ ବ୍ରହ୍ମପୁର ଓ ମୁମ୍ବାଇରୁ ବାଲେଶ୍ବରକୁ ଗୋଟିଏ ଲେଖାଏ ଟ୍ରେନ୍‌ ଆସିଛି। ଏଥିସହ ଆଉ ୨ଟି ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିଛି। ତାମିଲନାଡ଼ୁର ତିରୁପ୍ପୁର ଓ ଗୁଜୁରାଟର ଗାନ୍ଧୀଧାମରୁ ବାଲେଶ୍ବରକୁ ଗୋଟିଏ ଲେଖା‌ଏ ଟ୍ରେନ୍‌ ଆସୁଛି।

ସମ୍ବନ୍ଧିତ ଖବର