ଭୁବନେଶ୍ବର : ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀଙ୍କ ତଥ୍ୟ ଦେଉନାହାନ୍ତି କଲେଜ ଓ ବିଶ୍ବବିଦ୍ୟାଳୟ। ବାରମ୍ବାର କହିବା ସତ୍ତ୍ବେ ଅଧିକାଂଶ ଶିକ୍ଷାନୁଷ୍ଠାନ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି। ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ତଥ୍ୟ ମଗାଯାଉଥିବାରୁ ଏବେ ହରଡ଼ଘଣାରେ ଉଚ୍ଚଶିକ୍ଷା ବିଭାଗ। କିଭଳି ତଥ୍ୟ ପ୍ରଦାନ କରିବ ସେନେଇ ଚିନ୍ତାରେ ପଡ଼ିଛନ୍ତି ବିଭାଗୀୟ ଅଧିକାରୀ। ଯେଉଁଥିପାଇଁ ଗତକାଲି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ପ୍ରାୟ ୫୦୦ ପିଓ(କାର୍ଯ୍ୟକ୍ରମ ଅଧିକାରୀ), ଡିପିଓ(ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ) ଓ ପିସି(କାର୍ଯ୍ୟକ୍ରମ ସଂଯୋଜକ)ଙ୍କ ସମେତ ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ଏନ୍ଏସ୍ଏସ୍ ଓ ଇଟିଆଇ ସଦସ୍ୟମାନେ ସାମିଲ ହୋଇଥିଲେ। ଆଲୋଚନା ସମୟରେ ଜଣାପଡ଼ିଛି ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି), ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ଏନ୍ଏସ୍ଏସ୍ ରିପୋର୍ଟ ଦାଖଲ କରିନାହାନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।
ଅଧିକାଂଶ ପିଓ ଓ ଡିପିଓମାନେ ରିପୋର୍ଟ କିଭଳି ଦାଖଲ କରାଯିବ ସେନେଇ ଅବଗତ ନାହାନ୍ତି। ତେଣୁ ଆଜି ବିଭାଗ ପକ୍ଷରୁ ସମସ୍ତ ଏନ୍ଏସ୍ଏସ୍ ବ୍ୟୁରୋମାନଙ୍କୁ କୁହାଯାଇଛି। ସମସ୍ତ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀମାନେ ପିଓ ଓ ଏଡିପିଓମାନଙ୍କ ସହ ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଯୋଗାଯୋଗରେ ରହିବେ। ବ୍ୟୁରୋର ଇ-ମେଲ୍ ଆଇଡି, ଅଫିସ୍ ଫୋନ୍ ନମ୍ବର, କାର୍ଯ୍ୟକ୍ରମ ସଂଯୋଜକଙ୍କ ହ୍ବାଟ୍ସଆପ୍ ନମ୍ବର ସମସ୍ତ ପିଓମାନଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ପ୍ରସ୍ତାବ ପହଞ୍ଚିବାର ଗୋଟିଏ ମାସ ମଧ୍ୟରେ ନୂ୍ତନ କାର୍ଯ୍ୟକ୍ରମ ଅଧିକାରୀ ନିଯୁକ୍ତି ଦିଗରେ ବ୍ୟୁରୋ ପକ୍ଷରୁ ପଦକ୍ଷେପ ନିଆଯିବ। ବ୍ୟୁରୋ ପକ୍ଷରୁ ପ୍ରତି ତିନି ମାସରେ ଏନ୍ଏସ୍ଏସ୍ ସ୍ଥିତିର ସମୀକ୍ଷା କରାଯିବ। ଯେଉଁ କଲେଜରେ ଏନ୍ଏସ୍ଏସ୍ ୟୁନିଟ୍ କାର୍ଯ୍ୟ କରୁ ନାହାନ୍ତି ତାହାକୁ ଅନ୍ୟ କଲେଜକୁ ଆଲଟ୍ କରିବାକୁ କୁହାଯାଇଛି।