‘ଆବାସ’ ଟାର୍ଗେଟ୍‌ ଫେଲ୍‌ : ୪ ଭିଏଲ୍‌ଡବ୍ଲ୍ୟୁ କାର୍ଯ୍ୟରୁ ନିଲମ୍ବିତ

ଅନୁଗୁଳ : ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍‌କା ଘର ଯୋଜନା କାର୍ଯ୍ୟାନ୍ଵୟନରେ ଅବହେଳା ପାଇଁ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତର ସୋମନାଥ ଦାସ, ରନ୍ତଲେଇ ପଞ୍ଚାୟତର ଗୌରୀବାଳା ମହାପାତ୍ର, ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତର ଅନାଦି ବେହେରା ଏବଂ ଟାପଢ଼ୋଲ ପଞ୍ଚାୟତର ଆନନ୍ଦ ଚନ୍ଦ୍ର ରାଉତ।

ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତକୁ ‘ସରକାରୀ ଆବାସ’ ଟାର୍ଗେଟ୍‌ ଦିଆଯାଇଥିଲା। କିନ୍ତୁ ଏହି ଚାରୋଟି ପଞ୍ଚାୟତ ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବାରେ ଫେଲ୍‌ ମାରିଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କାର୍ଯ୍ୟରେ ଅବହେଳା କରି ଚାଲିଥିବାରୁ ଜିଲ୍ଲାପାଳ ଅନିଲ କୁମାର ସାମଲ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ନିଖିଳ ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଅନୁଗୁଳ ଶାଖା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି, ଘର ନିର୍ମାଣ କାମ ହିତାଧିକାରୀଙ୍କର। କାର୍ଯ୍ୟାଦେଶ ବଣ୍ଟନ ଓ ଘର ତଦାରଖ ଦାୟିତ୍ୱ ଆମର। ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ସରକାର ସିଧାସଳଖ ଟଙ୍କା ପଠାଉଛନ୍ତି। କିନ୍ତୁ ଲୋକେ ଘର କରୁନାହାନ୍ତି। ଏଭଳି କ୍ଷେତ୍ରରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଅଯଥାରେ ବଳି ପକାଯାଇଛି ବୋଲି ସଂଘର ଅନୁଗୁଳ ଜିଲ୍ଲା ଶାଖା ସଭାପତି ଦୀନବନ୍ଧୁ ସାହୁ ପ୍ରକାଶ କରିଛନ୍ତି।

ନିଲମ୍ବନ ନିର୍ଦେଶକୁ ସଂଘ ଅତି ଗୁରୁତର ଭାବେ ଗ୍ରହଣ କରିବା ସହିତ ଆସନ୍ତାକାଲି ପ୍ରତ୍ୟେକ ବ୍ଲକରେ ଓ ସୋମବାର ଦିନ ଜିଲ୍ଲାସ୍ତରୀୟ ବୈଠକ ଡକାଯାଇଛି। ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯିବ। ପ୍ରଶାସନ ନ ଶୁଣିଲେ ଆଗକୁ କୌଣସି ସରକାରୀ ଆବାସ କାମରେ ହାତ ଦିଆଯିବ ନାହିଁ ବୋଲି ସଂଘ ସଭାପତି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର