ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ଲଜକୁରା ସାଇଡିଂରେ ଇଞ୍ଜିନ୍‌ ଲାଗି ନଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିନା ଇଞ୍ଜିନ୍‌ରେ ପ୍ରାୟ ଅଧକିଲୋମିଟର ଗଡ଼ିଯିବା ସହ ଏହାର ୪ଟି ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ ଏଠାରେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ଗତ ୪ ତାରିଖରୁ ଟ୍ରେନ୍‌ଟି ସେଠାରେ ଅଟକିଥିଲା। ଏଥିରେ ପ୍ରାୟ ୫୯ଟି ୱାଗନ୍‌ ଥିଲା। ଶନିବାର ରାତି ପ୍ରାୟ ୪ଟାରେ କୌଣସି କାରଣରୁ ଟ୍ରେନ୍‌ଟି ପ୍ରାୟ ୫୦୦ ମିଟରରୁ ଅଧିକ ବାଟ ଗଡ଼ିଯିବା ସହ ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା।

ଇବ୍‌ଭ୍ୟାଲି କୋଇଲା କ୍ଷେତ୍ର ଅନ୍ତର୍ଗତ ସମଲେଶ୍ବରୀ ଓ ଲଜକୁରା ଖୋଲାମୁହଁ କୋଇଲା ଖଣିରୁ କୋଇଲା ଲଜକୁରା ସାଇଡିଂକୁ ଯାଇଥାଏ। ସେଠାରୁ ଟ୍ରେନ୍‌ ଯୋଗେ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଇଥାଏ। ଲଜକୁରା ଖୋଲା ମୁହଁ କୋଇଲା ଖଣି ପାଇଁ ୩ ନମ୍ବର ସାଇଡିଂ ଓ ସମଲେଶ୍ବରୀ ଖୋଲାମୁହଁ କୋଇଲା ଖଣି ପାଇଁ ଲଜକୁରାରେ ୧ ନମ୍ବର ଓ ୨ ନମ୍ବର ସାଇଡିଂ ରହିଛି। ଗତ ୪ ତାରିଖ ଦିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣିରୁ କୋଇଲା ବୋଝେଇ ଟ୍ରେନ୍‌ଟି ବ୍ରଜରାଜନଗର ଷ୍ଟେସନ୍‌କୁ ଆସିଥିଲା। ଷ୍ଟେସନ୍‌ରେ ଜାଗା ନଥିବାରୁ ସେହି ଟ୍ରେନ୍‌କୁ ଲଜକୁରାର ୨ ନମ୍ବର ସାଇଡିଂରେ ରଖାଯାଇଥିଲା। ତେବେ ଇଞ୍ଜିନ୍‌ ନଥିବା ୱାଗନ୍‌ଗୁଡ଼ିକ କିପରି ଗଡ଼ିଗଲା ତାହାର ଅନୁସନ୍ଧାନ ଚାଲିଛି। ଲାଇନ୍‌ରୁ ଖସି ଯାଇଥିବା ୱାଗନ୍‌ଗୁଡ଼ିକୁ ଉଠାଇବା ପ୍ରୟାସ ଚାଲିଛି। ଏଥିପାଇଁ ଅତି କମ୍‌ରେ ୨ଦିନ ଲାଗିବ ବୋଲି ଅନୁମାନ କରାଯାଉଛି।