ପାଣିକୋଇଲି : ପାଣିକୋଇଲିରୁ ବ୍ରାଉନ ସୁଗାର ଜବତ ଘଟଣାରେ ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାରର ବଚୁ ବର୍ମନ(୩୬), ସେକ ବାବୁ(୩୪), କୋରେଇ ଥାନା ଅନ୍ତର୍ଗତ ବ୍ୟାସନଗର କହ୍ନେଇପୁର ଅଞ୍ଚଳର ପାର୍ଥସାରଥି ମହାନ୍ତି(୨୨) ଓ ରାଜେନ୍ଦ୍ର ମହାନ୍ତି(୪୩)। ଅଭିଯୁକ୍ତମାନେ ବାଲେଶ୍ବର ଅରଡ଼ ବଜାରରୁ ବ୍ରାଉନସୁଗାର ଆଣି ବସ୍‌ରେ ପାଣିକୋଇଲିରେ ପହଞ୍ଚାଉଛନ୍ତି। ସେଠାରୁ ଏକ ରାକେଟ ଦ୍ବାରା ବ୍ୟାସନଗରକୁ ଚାଲାଣ କରାଯାଉଛି।

Advertisment

ଗତ ୧୪ ତାରିଖରେ ବାଲେଶ୍ବରରୁ ବସ୍‌ରେ ଆସୁଥିବା ବ୍ରାଉନସୁଗାରକୁ ଯାଜପୁର ଏସପି ରାହୁଲ ପିଆରଙ୍କ ନିର୍ଦେଶରେ ପୁଲିସ ଜବତ କରିଥିଲା। ବ୍ରାଉନସୁଗାର ନେଇ ଆସୁଥିବା ପାର୍ଥସାରଥି ଓ ରାଜେନ୍ଦ୍ରକୁ ପୁଲିସ ଗିରଫ କରିଥିଲା। ଥାନାଧିକାରୀ ଚକ୍ରପତି କହଁରଙ୍କ ନିର୍ଦେଶରେ ଏସଆଇ କୈଳାସ ଭୋଇ ଯାଜପୁରରୋଡ ଯିବାକୁ ଏକ ଅଟୋରେ ବସିଥିବା ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏହି ଘଟଣାରେ ପାଣିକୋଇଲି ପୁଲିସ ବାଲେଶ୍ବର ଯାଇ ସେଠାରୁ ଅନ୍ୟ ୨ ଜଣଙ୍କୁ ଗିରଫ କରିଥିଲା। ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତ ଅଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।