କାର୍‌ ଧକ୍କାରେ ୪ ବର୍ଷର ଶିଶୁପୁତ୍ର ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ହରଭଙ୍ଗା: ବୌଦ୍ଧ-ଫୁଲବାଣୀ ସୀମାନ୍ତ ଗେଟାମୁଣ୍ଡା ଗାଁରେ ଦୋକାନକୁ କୁରକୁରି କିଣି ଘରକୁ ଫେରିବା ସମୟରେ ୪ବର୍ଷର ଶିଶୁର ଅଜଣା କାର ଧକ୍କାରେ ମୃତ୍ୟୁ ଘଟିଛିା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଫୁଲବାଣୀ-ଚାରିଛକ ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ମୃତ ଶିଶୁର ନାଁ ବିନାୟକ ପ୍ରଧାନ।

ପ୍ରାପ୍ତ ସୂଚନା ମତେ ଗେଟମୁଣ୍ଡା ଗ୍ରାମର ବିଛନ୍ଦ ପ୍ରଧାନଙ୍କ ପୁଅ ବିନାୟକ କୁରକୁରି ଖାଇବା ପାଇଁ ମାଙ୍କ ପାଖରେ ଅଳି କରିଥିଲା। ମା’ ତାକୁ ୫ ଟଙ୍କା ଦେବାରୁ ସେ କୁରକୁରି କିଣିବାକୁ ଯାଇଥିଲା। ରାସ୍ତା ଆରପଟକୁ ଯାଉଥିବା ବେଳେ ଫୁଲବାଣୀ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ପିଲାଟିକୁ ଧକ୍କା ଦେଇଥିଲା। ଫଳରେ ବିନାୟକ ସଂଜ୍ଞାହୀନ ହୋଇ ରାସ୍ତାରେ ପଡ଼ିଥିଲା।

ସ୍ଥାନୀୟ ଲୋକେ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ସ୍ଥାନୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଯାତାୟତ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର