ପଡ଼ୋଶୀଙ୍କ ଛାତ ଉପରେ ୪ ବର୍ଷର ଶିଶୁକୁ ପିଟି ହତ୍ୟା: ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର, ଅଭିଯୁକ୍ତ ଫେରାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମ ହାଟସାହିରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ଏକ ୪ ବର୍ଷର ଶିଶୁକୁ ପଡ଼ୋଶୀ ଘର ଛାତ ଉପରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତ ଶିଶୁଟି ଗ୍ରାମରେ ପାନ ଦୋକାନ କରିଥିବା ଗୋବିନ୍ଦ ପାତ୍ରଙ୍କ ପୁଅ ନି‌ତେଶ ପାତ୍ର ବୋଲି  ଜଣାପଡ଼ିଛି। ତେବେ ଯେଉଁ ଘର ଛାତ ଉପରୁ ଶବ ମିଳିଛି, ସେ ଘରେ ରହୁଥିବା ଯୁବକ ଜଣକ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସଂପୃକ୍ତ ଯୁବକଙ୍କୁ ଖୋଜୁଥିବା ଜଣାପଡ଼ିଛି। ତେବେ ନିଷ୍ପାପ ଶିଶୁକୁ ଏଭଳି ହତ୍ୟା ପଛରେ କାରଣ କ’ଣ ଜଣା ପଡ଼ୁନାହିଁ।
ସୂଚନା ପ୍ରକାରେ, ସନ୍ଧ୍ୟା ୫ଟାରେ ଶିଶୁଟି ଟିଉସନ୍‌ ଯିବାର ଥିଲା। କିନ୍ତୁ ତାକୁ ଘରେ ନପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପଡ଼ୋଶୀ ଘର ଛାତ ଉପରେ ଶିଶୁଟିକୁ ଠାବ କରିଥିଲେ। ତା’ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ଶିଶୁଟିକୁ ଧରାକ‌ୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପ୍ରଘଟ ହେବା କ୍ଷଣି ପଡ଼ୋଶୀ ଘର ଯୁବକ ଜଣକ ଘରେ ନଥିବାରୁ ପୁଲିସ ତା’ଉପରେ ସନ୍ଦେହ ନିବଦ୍ଧ କରିଛି। ତେବେ ପରିବାର ଲୋକଙ୍କ ସହ ସାହିରେ କାହାର ଶତ୍ରୁତା ନଥିବା ବେଳେ କାହିଁକି ଶିଶୁଟିକୁ କିଏ ହତ୍ୟା କରିଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ବୋଲି ଥାନା ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି। ଫେରାର ଯୁବକ ଧରାପଡ଼ିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସେ କହିଛନ୍ତି।
ସମ୍ବନ୍ଧିତ ଖବର