ସୁନ୍ଦରଗଡ଼: ଜମି ଦାଖଲ ଖାରଜ ପାଇଁ ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବାଲିଶଙ୍କରା ତହସିଲର ପୂର୍ବତନ ମୁଖ୍ଯ କିରାଣି ମହମ୍ମଦ ସବୀର ହୁସେନଙ୍କୁ ୪ ବର୍ଷ ଜେଲ୍ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ଗତ ୨୦୧୫ରେ ତଳସରା ଥାନା ରାମପୁରର ଆଲମ ସୁରଜିତ ତିର୍କୀ କିଣିଥିବା ଜମିର ଦାଖଲ ଖାରଜ ପାଇଁ ବାଲିଶଙ୍କରା ତହସିଲରେ ଆବେଦନ କରିଥିଲେ। ସେହି ସମୟରେ ମୁଖ୍ଯ କିରାଣି ଭାବେ କାର୍ଯ୍ଯ କରୁଥିବା ସବୀର ହୁସେନ ଏଥିପାଇଁ ଲାଞ୍ଚ ମାଗିଥିଲେ। ୨ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଏହା ପରେ ଶ୍ରୀ ତିର୍କୀ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

Advertisment

ଭିଜିଲାନ୍ସ ୨୦୧୫ ମେ ୧୩ରେ ଏକ ମାମଲା ରୁଜୁ କରି ମୁଖ୍ଯ କିରାଣିକୁ ଧରିବା ପାଇଁ ଜାଲ୍ ବିଛାଇଥିଲେ। ଯୋଜନା ମୁତାବକ ଶ୍ରୀ ତିର୍କୀ ରାସାୟନିକ ପ୍ରଲେପ ଦିଆ ୨ ହଜାର ଟଙ୍କା କିରାଣିକୁ ଦେଲାବେଳେ ଭିଜିଲାନ୍ସ ନିରୀକ୍ଷକ ଯୋଗେଶ ପ୍ରସାଦ ପଟେଲଙ୍କ ନେତୃତ୍ବରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ମାମଲାର ତଦନ୍ତ ପୂର୍ବତନ ଭିଜିଲାନ୍ସ ଡିଏସପି ପରମେଶ୍ବର କିସାନ କରି ଚୂଡାନ୍ତ ରିପୋର୍ଟ ଦେଇଥିଲେ। ମାମଲାର ବିଚାର ଚାଲିଥିବାବେଳେ ଚଳିତ ୧୮ ତାରିଖ ଶନିବାର ଶନିବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ କରିଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ଯାମସୁନ୍ଦର ମିଶ୍ର ମାମଲାର ପରିଚାଳନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ରାଶିପତ୍ରାର ମୂଳ ବାସିନ୍ଦା ମହମ୍ମଦ ସବୀର ହୁସେନ ନିକଟରେ ଅବସର ନେଇ ଏବେ ସୁନ୍ଦରଗଡ଼ ସହର ଡେଙ୍ଗିଭାଡିରେ ରହୁଛନ୍ତି।