୫ମ ପାଳିର ଚାରିବର୍ଷ ପରେ; ସଶକ୍ତ ହେଉଛନ୍ତି ମହିଳା

ଶ୍ରୀମୟୀ ମିଶ୍ର

କୁହାଯାଏ, ଯେଉଁ ସମାଜରେ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ମିଳେ,ସେମାନେ ଯେତେ ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ ହୁଅନ୍ତି ସେହି ସମାଜର ଭବିଷ୍ୟତ ସେତେ ଉଜ୍ୱଳ ଓ ଗତିଶୀଳ। ୧୯୯୯ ମହାବାତ୍ୟାର ବିପର୍ଯ୍ୟସ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୫ତାରିଖରେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦୂରଦୃଷ୍ଟିରେ ‘ ମିଶନ ଶକ୍ତି’ ନାଁରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ଗଠନ ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ୱାବଲମ୍ବୀ କରି ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ସୁଦୃଢ଼ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ୨୦୦୧ ମାର୍ଚ୍ଚ ୮ ମହିଳା ଦିବସରେ ଜନ୍ମ ନେଇଥିବା ଏହି ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ନିଜର କାୟା ବିସ୍ତାର କରି ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ୨୦୨୧ ଜୁନ୍ ୧ରୁ ସ୍ୱତନ୍ତ୍ର ବିଭାଗ ନାଁରେ କାର୍ଯ୍ୟ କରୁଛି। ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମିଶନ ଶକ୍ତି କାର୍ଯ୍ୟକ୍ରମ’ ନିରବ ବିପ୍ଲବ ଭଳି ସମୟ ସହ ତାଳଦେଇ ଅଧିକ ଶକ୍ତିଶାଳୀ ଓ ଗତିଶୀଳ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ନିଜର ଘୋଷିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟଠୁ ଢେର ଆଗକୁ ବଢ଼ି କେବଳ ଏସଏଚଜି ସହ ଜଡ଼ିତ ମହିଳା ସଦସ୍ୟମାନଙ୍କ ସେବାରେ ସୀମିତ ନାହିଁ ବରଂ ସମ୍ପୃକ୍ତ ମହିଳାଙ୍କ ପରିବାର, ସମୁଦାୟ ଓ ସମାଜକୁ ବି ନିଜ ସହ ସଶକ୍ତ କରି ଚାଲିଛି। ମିଶନ ଶକ୍ତି ଏବେ ଏଭଳି ଏକ ‘ଶକ୍ତି’ ଯାହା କେବଳ ମହିଳାଙ୍କ ଭିତରେ ସୀମିତ ନାହିଁ, ଓଲଟା ସେହି ମହିଳା ଶକ୍ତିଙ୍କ ସହ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକଙ୍କ ଭିତରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛି। ଆଉ ୬.୦୨ଲକ୍ଷ ଏସଏଚଜି ଗୋଷ୍ଠୀ ମାଧ୍ୟମରେ ରାଜ୍ୟର ପ୍ରାୟ ୭୦ଲକ୍ଷ ମହିଳା ଏବେ ନିଜକୁ ସାମାଜିକ ଓ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ନିଜ ସମାଜ ଓ ବିଶେଷକରି ଆମ ଓଡ଼ିଶାର ରୂପାନ୍ତର ଓ ବିକାଶର ସାରଥୀ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଦୃଢ଼ ସଂକଳ୍ପ ଯୋଗୁ ରାଜ୍ୟରେ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତାରେ ପରିଣତ ହୋଇସାରିଛି। ୭୦ଲକ୍ଷ ମହିଳାଙ୍କ ବିଶାଳ ସଂଗଠନ ଏବେ ଏସଏଚଜିରୁ ଏସଏମଇ ହେବାକୁ ଯାଉଛି। ମା’ମାନେ ଉଦ୍ୟୋଗୀ ହେବାର ପଥରେ ଅଗ୍ରସର। ବିଗତ ୪ବର୍ଷ ମଧ୍ୟରେ ଏସଏଚଜି ମହିଳାମାନେ ରାଜ୍ୟର ୨୦ଟି ବିଭାଗର ପ୍ରାୟ ୪୯୪୯କୋଟି ଟଙ୍କାର ସରକାରୀ ବ୍ୟବସାୟରେ ସାମିଲ ହୋଇ ୧୨୨୬କୋଟି ଟଙ୍କା ରୋଜଗାର କରିପାରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୧୧ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଏସଏଚଜିଙ୍କୁ ଦିଆଯାଇଛି ଯାହାକି ବିଗତ ୮ବର୍ଷ ତୁଳନାରେ ପ୍ରାୟ ୧୯ଗୁଣ ଅଧିକ। ଏବେ ୨୫ଟି ଜିଲ୍ଲାରେ ୧୦୨ଟି ମିଶନଶକ୍ତି କାଫେ, ୨୨ଟି ଜିଲ୍ଲାରେ ୧୧୯ଟି ଖୁଚୁରା ଦୋକାନ, ୪ଟି ଜିଲ୍ଲାରେ ମିଶନ ଶକ୍ତି ବଜାର ଖୋଲି ଏସଏଚଜି ମହିଳାମାନେ ବ୍ୟବସାୟ କରୁଛନ୍ତି। ନିଜ ପ୍ରତିଶ୍ରୁତି ମୁତାବକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଏସଏଚଜିଙ୍କୁ ନବୀନ ପଟ୍ଟନାୟକ ସରକାର ଯୋଗାଇ ଦେଉଛନ୍ତି ଓ ଏ ବାବଦରେ ବିଗତ ୪ବର୍ଷରେ ୫୮୭କୋଟି ଟଙ୍କା ସୁଧ ସରକାର ବହନ କରିଛନ୍ତି। ଜିଲ୍ଲା ଓ ବ୍ଲକସ୍ତରରେ ଏସଏଚଜି ମହାସଂଘ ଗଠନ ପରେ ଏବେ ରାଜ୍ୟସ୍ତରରେ ଏହି ପ୍ରକ୍ରିୟା ଜାରି ରହିଛି। ଏସଏଚଜି ମହିଳାଙ୍କୁ ସ୍କୁଟର କିଣିବା ପାଇଁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଯୋଗାଉଥିବା ରାଜ୍ୟ ସରକାର ଦୁର୍ଘଟଣା ଓ ମୃତ୍ୟୁକାଳୀନ ସହାୟତା ପାଇଁ ରାଜ୍ୟ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟର ୮୬.୫% ମହିଳାଙ୍କ ପାଖରେ ବ୍ୟାଙ୍କ ଜମା ଖାତା ଅଛି। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ ନବୀନ ପଟ୍ଟନାୟକ ସରକାରଙ୍କ ପ୍ରତିବଦ୍ଧତା ଯୋଗୁ ଏବେ ଓଡ଼ିଶାର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୧ଟିରେ ମହିଳା ନେତୃତ୍ୱ ନେଉଛନ୍ତି। ପଂଚାୟତ ନିର୍ବାଚନରେ ମହିଳାଙ୍କର ପ୍ରାୟ ୬୨ ପ୍ରତିଶତ ପ୍ରତିନିଧିତ୍ୱ ରହିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ୩୩ ପ୍ରତିଶତ ମହିଳା ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଗ୍ରାମାଂଚଳର ମହିଳମାନେ ସଶକ୍ତ ହୋଇ କେବଳ ପରିବାର ନୁହେଁ ସାମାଜିକ ଓ ରାଜନୀତିକ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭାଗିଦାର ହେବାର ସୁଯୋଗ ସୃଷ୍ଟି ହୋଇପାରିଛି।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ମହିଳା ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସବୁ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାର ପ୍ରମାଣ ନିଜର କାର୍ଯ୍ୟ ମାଧ୍ୟମରେ ଦେଇସାରିଛନ୍ତି। ରାଜ୍ୟର ବିକାଶରେ ମହିଳାମାନଙ୍କ ଯୋଗଦାନକୁ ସର୍ବଦା ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଆମ ସମାଜ ମଧ୍ୟ ମହିଳାଙ୍କ ଦକ୍ଷତାକୁ ପ୍ରୋତ୍ସାହିତ କରି ସେମାନଙ୍କୁ ସମାନ ସୁଯୋଗ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ମହିଳା ସଶକ୍ତିକରଣର ଦୃଢ଼ ସମର୍ଥକ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ପ୍ରତିବଦ୍ଧତା ଯୋଗୁ ଦୁଇ ଦଶନ୍ଧିର ‘ମିଶନ ଶକ୍ତି’ ଏବେ ବିଶାଳ ଦ୍ରୁମରେ ପରିଣତ ହୋଇଛି ଓ ରାଜ୍ୟର ମହିଳାମାନେ ସବୁ କ୍ଷେତ୍ରରେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇ ସୁସ୍ଥ ସମାଜ ଓ ବିକାଶଶୀଳ ଓଡ଼ିଶା ଗଠନର ସାରଥୀ ହୋଇପାରିଛନ୍ତି।
ସାଧାରଣ ସମ୍ପାଦିକା ଓ ମୁଖପାତ୍ର,
ବିଜୁ ଜନତା ଦଳ

ସମ୍ବନ୍ଧିତ ଖବର