ଟ୍ରେଲର ଧକ୍କାରେ ୪ ବର୍ଷର ଶିଶୁକନ୍ୟା ମୃତ, ଗାଡ଼ି ଜାଳିଦେଲେ ଲୋକେ

ଚମ୍ପୁଆ: ମା’ ସହ ରାସ୍ତାରେ ଚାଲିଚାଲି ଯାଉଥିଲା ୪ ବର୍ଷର ଝିଅ। ଏତିକି ବେଳେ ଯମଦୂତ ଭଳି ମାଡ଼ି ଆସିଲା ଏକ ଟ୍ରେଲର। କ୍ଷଣିକ ମଧ୍ୟରେ ଶିଶୁଟି ଉପରେ ଚଢ଼ିଯାଇ ଜୀବନ ନେଇଗଲା। ମା’ ବି ଆହତ ହେଲେ। ଏହାପରେ ଉତ୍ତେଜିତ ଲୋକେ ଟ୍ରେଲରଟିରେ ନିଆଁ ଲଗାଇଦେଲେ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଜୟନ୍ତୀଗଡ଼ ଠାରେ ଆଜି ଘଟିଛି ଏଭଳି ଏକ ସଡ଼କ ଦୁର୍ଘଟଣା।

ଆଜି ପ୍ରାୟ ଦିନ ୧୨ଟା ବେଳେ ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ ବୈତରଣୀ ନଦୀ ପୋଲ ନିକଟରେ ଜୟନ୍ତୀଗଡ଼ର ଜିତୁ ବେହେରାଙ୍କ ୪ ବର୍ଷର ଶିଶୁ କନ୍ୟା ତା ମା’ ସହ ଚାଲିଚାଲି ଚମ୍ପୁଆକୁ ଆସୁଥିବା ବେଳେ ପଛପଟୁ ଆସୁଥିବା ଟ୍ରେଲର(ଏନଏଲ୦୧ଜି ୮୭୬୩) ଶିଶୁ କନ୍ୟାଟି ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଟ୍ରେଲରରେ ନିଆଁ ଲଗାଇ ଦେବାରୁ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଚମ୍ପଟ ମାରିଥିଲା। ଲୋକମାନେ ରାସ୍ତାରୋକ କରିଥିବା ବେଳେ ଖବରପାଇ ଜଗନ୍ନାଥପୁର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର