ବେତନଟୀ ସଦର: ମାନବିକତା ମରିଯାଇଛି। ସମାଜ ପ୍ରତି ଲୋକଙ୍କର ଦାୟିତ୍ବ ହଜିଯାଉଛି। ମୃତ ଶିଶୁପୁତ୍ର ଓ ମା’କୁ ଯାତ୍ରୀବାହୀ ବସ୍‌ରୁ ଓହ୍ଲାଇ ଦିଆଯାଇଛି। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହିଳା ଜଣକ ବସ୍‌ର କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନାହାନ୍ତି।

Advertisment

ସୂଚନା ଅନୁଯାଇ ଶୁକ୍ରବାର ମଧ୍ୟାହ୍ନରେ ପୁରୀରୁ ଝାଡ଼ଖଣ୍ଡର ଟାଟାକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ‘ପାଣିକୋଚ୍’ରେ ଯସମି ମୁର୍ମୁ ଓ ଚାରି ବର୍ଷର ଶିଶୁପୁତ୍ର ଭୀମ ମୁର୍ମୁ ସହ ଭୁବନେଶ୍ୱରରୁ ନିଜ ଘର ବିଜାତଳା ବ୍ଲକ ଅନ୍ତର୍ଗତ ବାଟଦୁମାକୁ ଯାଉଥିଲେ। ହେଲେ ବସ୍‌ ଭିତରେ ଭୀମର ଦେହ ହଠାତ ଅସୁସ୍ଥ ହୋଇପଡ଼ିଥିଲା ଓ କିଛି ସମୟ ମଧ୍ୟରେ ତାର ମୃତ୍ୟୁ ଘଟିଥିଲା। ହେଲେ ବସ କଣ୍ଡକ୍ଟର ନିଜର ମାନବିକତା ଭୁଲି ମହିଳା ଓ ମୃତ ଛୁଆକୁ ବୈଶିଙ୍ଗା ନିକଟରେ ବାଧ୍ୟତାମୂଳକ ଭାବେ ରାସ୍ତା ପାର୍ଶ୍ୱରେ ଓହ୍ଲାଇ ଟାଟା ଅଭିମୁଖେ ଯାଇଥିଲା। ଏଭଳି ଘଟଣା ଦେଖି ବୈଶିଙ୍ଗା ବଜାରର କିଛି ବ୍ୟବସାୟୀ ମହିଳାଙ୍କୁ ଡାକ୍ତରଖାନାକୁ ନେବା ପରେ ଡାକ୍ତର ପ୍ରଦୀପ କୁମାର କର ମୃତ ବୋଲି ଘୋଷଣା କରିଥିଲେ।

ପ୍ରକାଶ ଥାଉକି ମୃତ ଶିଶୁର ପିତା ତଥା ଯସମିର ସ୍ୱାମୀ ରବୀନ୍ଦ୍ର ମୁର୍ମୁ ମଧ୍ୟ ଭୁବନେଶ୍ୱରରେ ମିସ୍ତ୍ରୀ କାମ କରି ପରିବାର ସହିତ ରହୁଥିବାବେଳେ ଗତ ମେ’ ମାସରେ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଯସମି ମଧ୍ୟ ଭୁବନେଶ୍ଵରରେ ରହି ମିସ୍ତ୍ରୀ କାମ କରୁଥିଲେ। ଶିଶୁପୁତ୍ରକୁ ମାତ୍ରାଧିକ କାଶ ହେବାରୁ ବାପା ଘରକୁ ଫେରୁଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ପାଣିକୋଚ୍ ବସ କର୍ମଚାରୀଙ୍କୁ ଭୀମର ଅସୁସ୍ଥତା ବିଷୟରେ ଜଣାଇବା ସହିତ କୌଣସି ରାସ୍ତାକଡ଼ରେ ଥିବା ଡାକ୍ତରଖାନାକୁ ନେଇଯିବା ପାଇଁ କାକୁତିମିନତୀ ହୋଇଥିଲେ ବି ସେମାନେ ଶୁଣିନଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଶିଶୁକୁ ଧରି ଅସହାୟ ମହିଳା ବୈଶିଙ୍ଗା ଡାକ୍ତରଖାନାରେ ଘର ଲୋକଙ୍କ ଅପେକ୍ଷାରେ ଥିଲେ।