ନିମାପଡ଼ାରେ ମହିଳାଙ୍କୁ ଗଣଦୁଷ୍କର୍ମ; ୪ ଯୁବକ ଗିରଫ

ନିମାପଡ଼ା : ନିମାପଡ଼ାର ଦୋଳବେଦୀ ଛକ ନିକଟ କୁଶଭଦ୍ରା ନଦୀବନ୍ଧରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ରବିବାର ଦିନ ଏହି ଘଟଣାରେ ୪ ଜଣ ଯୁବକଙ୍କୁ ଗିରଫ କରିଛି। ନିମାପଡ଼ା ଏନ୍‌ଏସି ଅନ୍ତର୍ଗତ ଅଣ୍ଢିଆ ସାହି ଅଞ୍ଚଳରେ ରହୁଥିବା ପୀଡ଼ିତା ମହିଳାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ନିମାପଡ଼ା ଥାନାରେ ସମ୍ପୃକ୍ତ ମହିଳା କରିଥିବା ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟାରେ ସେ କୁଶଭଦ୍ରା ନଦୀବନ୍ଧକୁ ଶୌଚ ହେବାପାଇଁ ଯାଇଥିଲେ। ସାଙ୍ଗରେ ଯାଇଥିବା ତାଙ୍କ ସ୍ବାମୀ ବନ୍ଧ ଉପରେ ଛିଡ଼ା ହୋଇଥିବାବେଳେ ସେ ‌ଶୌଚ ପାଇଁ ବନ୍ଧ ତଳକୁ ଯାଇଥିଲେ। ସେଠାରେ ହଠାତ୍‌ ୪ ଜଣ ଯୁବକ ତାଙ୍କୁ ଟଣାଓଟରା କରିବା ସହ ତାଙ୍କ ପାଟି ବନ୍ଦ କରି ଏକ ଜଳଖିଆ ଦୋକାନକୁ ଟେକିନେଇ ସେଠାରେ ଦୁଷ୍କର୍ମ କରିଥିଲେ। ଶୌଚରେ ବିଳମ୍ବ ହେବାରୁ ବନ୍ଧର କିଛିଦୂରରେ ଅପେକ୍ଷା କରିଥିବା ସ୍ବାମୀ ତାଙ୍କ ନିକଟକୁ ଆସି ଘଟଣା ସମ୍ପର୍କରେ ଅବଗତ ହୋଇଥି‌‌ଲେ। ଏହାପରେ ତାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏଥିସହିତ, ଗତକାଲି ଏ ନେଇ ମହିଳାଙ୍କ ପକ୍ଷରୁ ନିମାପଡ଼ା ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗପତ୍ରରେ ମହିଳା ଜଣକ ବଳିଆ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିବା ସହ ତାଙ୍କ ସହ ଆଉ ତିନିଜଣ ତାଙ୍କ ସହିତ ଥିବା ଅଭିଯୋଗ କରିଥିଲେ। ନଦୀବନ୍ଧକୁ ସେ ଯିବାବେଳେ ସେଠାରେ ସମ୍ପୃକ୍ତ ୪ଜଣ ଯୁବକ ଠିଆହୋଇ କଥାବାର୍ତ୍ତା ହେଉଥିବାର ମହିଳା ଦେଖିଥିବା କହିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଜାରି ରଖିଥିଲା। ଆଜି ଅଭିଯୁକ୍ତ ବଳିଆ ଭୋଇ ସମେତ ଏକ ମିଠା ଦୋକାନରେ କାମ କରୁଥିବା ଅନ୍ଦିତ ଦାସ, କହ୍ନେଇ ଭୋଇ ଓ ବିଦ୍ୟାଧର ସ୍ବାଇଁଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର