ରାଇଘର: ଓଡ଼ିଶା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଲରେ କାର୍‌ ଧକ୍କା ହେବାପରେ ୪ଜଣ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ଦୁଇ ଜଣ ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ଗୋଟାଏରେ କାଙ୍କେର ଜିଲ୍ଲାର ଆତୁରଗାଓଁ ନିକଟସ୍ଥ ପୋଲର କଂକ୍ରିଟ ସୁରକ୍ଷା ପ୍ରାଚୀରରେ ମାରୁତି କାର (ସିଜି-୦୪ପିଜେ-୭୪୬୦) ଧକ୍କା ହୋଇଥିଲା। ଫ‌ଳରେ ସର୍ଟସର୍କିଟ ହୋଇ କାର୍‌ରେ ନିଆଁ ଲାଗି ଯାଇଥିଲା।

Advertisment

ଦୁର୍ଘଟଣା ପରେ କାର୍‌ରେ ବସିଥିବା ୬ଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣ କୌଶଳକ୍ରମେ ବାହାରକୁ ବାହାରି ଯାଇଥିବା ବେଳେ ନିଆଁର ମାତ୍ରାଧିକ ପ୍ରକୋପ ଯୋଗୁଁ ୪ଜଣ ବାହାରକୁ ବାହାରିବା ପାଇଁ ସୁଯୋଗ ପାଇନଥିଲେ। ତେଣୁ ୪ଯୁବକ ଗାଡ଼ି ସହ ଜିଅନ୍ତା ଜଳି ଯାଇଥିଲେ। ମୃତ ୪ ଯୁବକ ଯୁବରାଜ ସୋରି (୨୪), ହେମନ୍ତ ସୋରି (୨୦), ସୂରଜ ଉଇକେ (୧୯) ଓ ଦୀପକ ମାରୱି (୧୯) ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଆହତ ଦୁଇ ଯୁବକ ପ୍ରୀତମ ନେତାମ ଓ ପୃଥ୍ବୀରାଜ ସଲାମଙ୍କୁ କାଙ୍କେର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। କେଶକାଲ ଠାରୁ କାଙ୍କେର ଅଭିମୁଖେ ଯାଉଥିବା ବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ କାଙ୍କେର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରିଥିଲା। ମୃତକଙ୍କ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ସୂଚନା ଦେବା ପରେ ସେମାନଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏ ‌ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।