ନିଆଳି: ହଙ୍ଗକଙ୍ଗ୍ର ଏକ ଫୁଡ୍ ପ୍ୟାକେଜିଂ କମ୍ପାନିରେ କାମ କରିବାକୁ କହି ନିଆଳି ଅଞ୍ଚଳର ୪ଜଣ ଯୁବକଙ୍କୁ ଜଣେ ଏଜେଣ୍ଟ ନେଇଯାଇଥିଲେ। ହେଲେ, ଅଧିକ ରୋଜଗାରର ଲୋଭ ଦେଖାଇ ଉକ୍ତ ଏଜେଣ୍ଟ କୌଶଳକ୍ରମେ ସେମାନଙ୍କୁ ମ୍ୟାମାର୍ ଦେଶରେ ପହଞ୍ଚାଇ ସେଠାରେ ସାଇବର୍ ଠକେଇ କାର୍ଯ୍ୟରେ ଲଗାଇଥିଲେ। ସେଥିରେ ରାଜି ନ ହେବାରୁ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ଫଳରେ ସେମାନେ ଗାଁକୁ ଫେରିବା ପାଇଁ ପରିବାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସେମାନଙ୍କ ଅସୁବିଧା ଜାଣିବା ପରେ ପରିବାର ଲୋକେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି।
ସୂଚନା ମୁତାବକ, ନିଆଳି ବ୍ଲକ୍ ଜଲ୍ଲାରପୁର ପଞ୍ଚାୟତ କୂଳଜଲ୍ଲାରପୁରର ପ୍ରତ୍ୟୁଷ ସ୍ବାଇଁ (୩୦), ବିଜୟ ନାୟକ (୩୦), ବାହାରଣା ପଞ୍ଚାୟତ ବରିମୁଣ୍ଡେଇର ଲକ୍ଷ୍ମୀକାନ୍ତ ପଣ୍ତା (୨୯) ଓ ସୌମ୍ୟରଞ୍ଜନ ବିହାରୀ (୩୬) ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଗତ ଫେବ୍ରୁଆରି ୨୭ ତାରିଖରେ ଘରୁ ବାହାରିଯାଇଥିଲେ। ସେମାନଙ୍କର ଭିସା ହୋଇ ନଥିଲା। ତେବେ, କିଛିଦିନ କାମ କରିବା ପରେ ଭିସା ମିଳିଯିବ ବୋଲି କହି ବେଆଇନ ଭାବେ ସୀମା ଅତିକ୍ରମ କରାଇ ମ୍ୟାମାର୍ ନିଆଯାଇଥିଲା। ସେଠାରେ ୪ଜଣଙ୍କୁ ଅଲଗା ଅଲଗା ସ୍ଥାନରେ ରଖି ଓଡ଼ିଆ ଓ ହିନ୍ଦୀ ଭାଷାରେ ଫୋନ୍ କରି ଭାରତ ଓ ବିଶେଷ କରି ଓଡ଼ିଶା ଲୋକଙ୍କୁ ଫସାଇ ସାଇବର୍ ଠକେଇ ଜାଲରେ ଛନ୍ଦିବାକୁ ବାଧ୍ୟ କରାଯାଇଥିଲା। ସେମାନେ ରାଜି ନ ହେବାରୁ ଖାଇବା ପିଇବା ବନ୍ଦ କରିଦିଆଯିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏମିତିକି ଦିନକୁ ଗୋଟିଏ ବେଳା ମ୍ୟାଗି ଖାଇବାକୁ ଦିଆଯାଉଥିବା ବେଳେ ମାତ୍ର ଅଧା ଲିଟର୍ ପାଣି ପିଇବାକୁ ଦିଆଯାଉଥିଲା ବୋଲି ଜଣେ ଯୁବକ ଫୋନ୍ କରି ତାଙ୍କ ପରିବାରକୁ ଜଣାଇଛନ୍ତି।
ଦିନକୁ ମାତ୍ର ୧୦ ମିନିଟ୍ ଲାଗି ସେମାନଙ୍କୁ ମୋବାଇଲ୍ ଦିଆଯାଉଥିଲା। ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଯୁବକମାନେ ସେମାନଙ୍କ ପରିବାରକୁ ଫୋନ୍ କରି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି। ପରିବାର ଲୋକେ ପ୍ରଥମେ ଶ୍ରମ କମିସନର୍ ଓ ପରେ ମ୍ୟାମାର୍ ଦୂତାବାସ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଅତ୍ୟାଚାର ବଢ଼ି ଚାଲିବା ଫଳରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଆସିଥିବା ବେଳେ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ବାଳ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁ ଯୁବକମାନଙ୍କ ପରିବାର ସହ ଆଲୋଚନା କରିଥିଲେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ଖୁବ୍ଶୀଘ୍ର ଉଦ୍ଧାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।