କଟକ-ଜଗତପୁର: ବେଆଇନ ବାଲି ଚାଲାଣ କରୁଥିବା ୪ ଜଣ ଯୁବକ ପୁଲିସ ଓ ଖଣି ବିଭାଗ ଅଧିକାରୀଙ୍କୁ ଦେଖି ମହାନଦୀକୁ ଡେଇଁ ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଅଛି। ଅନ୍ୟ ୩ ଜଣ ପାଣିରେ ପହଁରି ଫେରାର ହୋଇ ଯାଇଛନ୍ତି। କଟକ ଜଗତପୁର ଥାନା ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତସ୍ଥିତ ଆତୋଡ଼ା ମହାନଦୀ ପଠାରେ ଘଟିଛି ଏହି ଘଟଣା। ଖଣି ବିଭାଗ ଓ ଜଗତପୁର ଥାନା ପୁଲିସ ପକ୍ଷରୁ ମିଳିତ ଭାବେ ଉକ୍ତ ବାଲିଘାଟରେ ଚଢ଼ଉ କରାଯିବା ସମୟରେ ଭୟଭୀତ ହୋଇ ୪ଜଣ ମହାନଦୀର ଗଭୀର ଗଣ୍ଡକୁ ଡେଇଁ ଖସିଯିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ମଧ୍ୟକଛ ପଞ୍ଚାୟତ ଅନ୍ତର୍ଗତ ଇସଲାମାପୁରର ଏସ୍.କେ. ତାଲିମ୍ (୨୬) ନିଖୋଜ ଅଛନ୍ତି।
ସୂଚନା ମୁତାବକ, ଆତୋଡ଼ା ପଠାରୁ କିଛିବର୍ଷ ଧରି ବେଆଇନ୍ ଭାବେ ବାଲି ଚାଲାଣ କରାଯାଉଛି। ଏସ୍.କେ. ତାଲିମ୍ ଜଣେ ଟାଟା ଏସିଇ ଡ୍ରାଇଭର ହୋଇଥିବା ବେଳେ ଲୋଭରେ ପଡ଼ି ଏଭଳି ବେଆଇନ୍ କାର୍ଯ୍ୟରେ ସାମିଲ ହୋଇଥିଲା। ସେ ପହଁରା ଶିଖି ନଥିବାରୁ ନିଖୋଜ ହୋଇଯାଇଥିବା କୁହାଯାଉଛି। ଜଗତପୁର ଥାନା ପୁଲିସଠାରୁ ଖବରପାଇ ସାଲେପୁର ଦମକଳ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଦିନତମାମ ମହାନଦୀରେ ଖୋଜିବା ଜାରି ରଖିଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ପତ୍ତା ନ ମିଳିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି(ରବିବାର) ସକାଳୁ ପୁଣି ମହାନଦୀରେ ତଲାସି ଅଭିଯାନ ଜାରି ରହିବ ବୋଲି ସାଲେପୁର ଫାୟାର ଷ୍ଟେସନ୍ ଅଫିସର ଆଶିଷ ଚୌଧୁରୀ କହିଛନ୍ତି। ଘଟଣାସ୍ଥଳରେ କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା,କଟକ ଜୋନ୍-୧ ଏସିପି ଅରୁଣ କୁମାର ସ୍ବାଇଁ, ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ପ୍ରମୁଖ ଉପସ୍ଥିତି ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/09/WB2AIenTX2mbVgd8xFqc.jpg)