ଭୁବନେଶ୍ବର: ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ୫୦’ର ୪ର୍ଥ ସଂସ୍କରଣ ଆଜି ଉଦ୍‌ଯାପିତ ହୋଇଛି। ଜୟଦେବ ଭବନ ପ୍ରେକ୍ଷାଳୟରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ସାରାରାଜ୍ୟରୁ ବଛା ଯାଇଥିବା ଶ୍ରେଷ୍ଠ ୨୮ ଜଣ ମହିଳା ଉଦ୍ୟୋଗୀଙ୍କୁ ‘ଶାରଦା ସୀମା ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା। ଏଥି‌ରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଏହି ସଫଳ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ତଥା ପୁରସ୍କାର ରୂପେ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଲେ, ମହିଳାମାନେ ପଛରେ ଅଛନ୍ତି ବୋଲି ଭାବିବା ଭୁଲ୍‌। ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଗରେ ବୋଲି ପ୍ରତିପାଦିତ କରିଛନ୍ତି। ସରକାର ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟମ ଜାରି ରଖିଛନ୍ତି। ‘ସମ୍ବାଦ’ ଏଭଳି କାର୍ଯ୍ୟକ୍ରମ ଜରିଆରେ ସଫଳ ଉଦ୍ୟୋଗୀ ମହିଳାଙ୍କୁ ସାମ୍‌ନାକୁ ଆଣି ଉତ୍ସାହିତ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Advertisment

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଭାଷଣରେ ‘ମା’, ମାଟି, ମାତୃଭାଷା, ମୋବାଇଲ୍‌, ମନ ଭଳି ୫ଟି ‘ମ’ ଓ ନିରୋଗ, ନିରାଡମ୍ବର, ନିରହଙ୍କାର, ନିଡ଼ର ଓ ନିଶାମୁକ୍ତ ପରିବେଶ ଭଳି ୫ଟି ‘ନ’ ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ, ଦିନ ଥିଲା, ଲେନିନ୍‌ଙ୍କ ସଭାରେ ମହିଳାମାନେ ନଥିବାରୁ ସେ ମନଦୁଃଖ କରିଥିଲେ। ବିଶ୍ବର ଅଧା ସେହି ସଭାରେ ନଥିବା ସେ କହିଥିଲେ। ହେଲେ ଆଜି ନାରୀମାନେ ପୁରୁଷଙ୍କ ଠାରୁ ଆଗକୁ ଯାଇଛନ୍ତି। ପୁଅ ପାଇଁ ବୋହୂ ଦେଖିବାକୁ ଗଲା ବେଳେ ଏବେ କେହି ରୂପ ଦେଖୁ ନାହାନ୍ତି, ବରଂ ବୋହୂ କେତେ ସଶକ୍ତ ତାହା ଦେଖୁଛନ୍ତି। ମହିଳାଙ୍କ ଶିକ୍ଷା ଓ ରୋଜଗାର ମୁଖ୍ୟ ଯୋଗ୍ୟତା ହୋଇଛି। ମହିଳାମାନେ ସଶକ୍ତ ହେବା ପରେ ସେମାନଙ୍କର ଆତ୍ମବିଶ୍ବାସ ବଢ଼ିଛି।

୨୮ଜଣଙ୍କୁ ‘ଶାରଦା ସୀମା ସମ୍ମାନ’

ସମ୍ମାନିତ ଅତିଥି ଭାବରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା କହିଥିଲେ, ରୋଜଗାର, ରାଜନୀତି ପ୍ରଭୃତି କ୍ଷେତ୍ରରେ ମହିଳାମାନେ ଢେର୍‌ ଆଗରେ ଅଛନ୍ତି। କିନ୍ତୁ ସାମାଜିକ ‌କ୍ଷେତ୍ରରେ ଆଉ ଟିକେ ଆଗକୁ ଯିବାର ଅଛି। ଏବେ ଝିଅଙ୍କ ସଂଖ୍ୟା କମିବା‌ରେ ଲାଗିଛି। ବାଲ୍ୟବିବାହ ମଧ୍ୟ ଚାଲିଛି। ଯେଉଁଠି ଅଧିକ ଶିକ୍ଷିତ ଅଛନ୍ତି, ସେଠାରେ ହିଁ ଏସବୁ ଅଧିକ ହେଉଛି। ଏଣୁ ମହିଳାମାନଙ୍କୁ ଆଉ ଟିକେ ଯତ୍ନବତୀ ହେବାକୁ ପଡ଼ିବ। ଆର୍ଥିକ ସଶକ୍ତ ସହ ସାମାଜିକ ସଶକ୍ତ ହେବାକୁ ହେବ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ସାରା ରାଜ୍ୟରେ ବୁଲି ଏଭଳି ଓଡ଼ିଶା-୫୦ କାର୍ଯ୍ୟକ୍ରମ କଲାବେଳେ ଏକାଧିକ ସଫଳ ମହିଳା ଉଦ୍ୟୋଗୀଙ୍କ ସଂସ୍ପର୍ଶରେ ଆସିଛି। ସେମାନେ ପରିବାର ଓ ବ୍ୟବସାୟ ଉଭୟ ଅତି ସହଜରେ ସମ୍ଭାଳୁଛନ୍ତି। ଗୋଟିଏ ପଟେ ସମ୍ପୃକ୍ତ ମହିଳା ସଫଳ ହେବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ସମଗ୍ର ପରିବାର ତାଙ୍କୁ ସଫଳ ଦେଖିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରୁଛି। ପ୍ରତ୍ୟେକ ମହିଳା ଉଦ୍ୟୋଗୀ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। 

‘ସମ୍ବାଦ ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେବା ଅବସରରେ ‘ଓଡ଼ିଶା ୫୦’ର ପରିକଳ୍ପନା ଓ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଶ୍ବେତା ହେତାମସରିଆ କହିଥିଲେ, ‌ଜଣେ ନାରୀ ଶିକ୍ଷିତ ହେଲେ ଗୋଟିଏ ଗୋଷ୍ଠୀ ଶିକ୍ଷିତ ହୁଏ। ଏଣୁ ନାରୀମାନେ ଏବେ ଯେଉଁ ପରିମାଣରେ ସଫଳ ହେଉଛନ୍ତି, ସେଥିରୁ ଜଣାପଡ଼ୁଛି ଯେ ଆଗକୁ ସମଗ୍ର ସମାଜ ସଶକ୍ତ ହେବ। କିନ୍ତୁ ଅନେକ ସମୟରେ ଦେଖାଯାଏ ସେମାନେ ରୋଜଗାର କରୁଥିବା ଅର୍ଥ ସଞ୍ଚୟ କରିବାକୁ ଭୁଲ୍‌ ସ୍ଥାନ ଚୟନ କରୁଛନ୍ତି। ଫଳରେ ସେମାନଙ୍କର ଝାଳବୁହା ଧନ ଯେଉଁ ପରିମାଣରେ ବଢ଼ିବା କଥା, ତାହା ହେଉନାହିଁ। ଏଣୁ ସେମାନଙ୍କ ବିଚାରଧାରାରେ ପରିବର୍ତ୍ତନ ହେବା ଆବଶ୍ୟକତା ଅଛି। 

ଉତ୍ସବରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ୍‌ ଫଣ୍ଡର ଶ୍ବେତା ହେତାମସରିଆ ଓ ମୌସୁମୀ ମିତ୍ର ଓ ଜ୍ୟୋତି ପଟ୍ଟନାୟକ, ଶ୍ରୀପର୍ଣ୍ଣି ଅର୍ଥ ଏଲ୍‌ଏଲ୍‌ପିର ଋତୁ ଗୁପ୍ତା, ମିଣ୍ଟବକ୍ସ ଆଡ୍‌ଭାଇଜରି ଏଲ୍‌ଏଲ୍‌ପିର ସାରିକା ଅରୁଣ ସାହୁ, ସୋଆ ବିଶ୍ବବିଦ୍ୟାଳୟ ଆଇବିସିଏସ୍‌ ସହକାରୀ ପ୍ରଫେସର ଡ. ପ୍ରୀତି ୱାଇ ଷଡ଼ଙ୍ଗୀ ତଥା କାର୍ମେଲ କ୍ରିଷ୍ଟାଲ୍‌ସ ଆଣ୍ଡ ବେକରି ଓ ଭୁବନେଶ୍ବର ଥ୍ରିଏସ୍‌ ଡେଣ୍ଟାଲ କେୟାର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ଏକ କଫି ଟେବୁଲ୍‌ ବୁକ୍‌ ଉନ୍ମୋଚନ କରିଥିଲେ। ସଭାରେ ଉପରୋକ୍ତ ଶ୍ରେଷ୍ଠ ୩୦ ଜଣ ମହିଳା ଉଦ୍ୟୋଗୀଙ୍କ ସମେତ ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ୩୦୦ରୁ ଊର୍ଦ୍ଧ୍ବ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।