କରୋନା ମୁକାବିଲା ପାଇଁ ଚତୁର୍ଥ ପର୍ଯ୍ୟାୟ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ: ସୁବତ୍ର ବାଗଚୀ

କୋଭିଡ ମୁକାବିଲାରେ ଇତିହାସ ରଚିବେ ଓଡ଼ିଶାର ପଞ୍ଚାୟତମାନେ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାବାସୀ ବିପୁଳ ସହଯୋଗ କରିଛନ୍ତି । ସେମାନଙ୍କର ସହଯୋଗ ପାଇଁ ଆମେ ୩ଟି ପରିସ୍ଥିତକୁ ସଫଳ ଭାବେ ଅତିକ୍ରମ କରିସାରିଛୁ । କିନ୍ତୁ, ଏବେ ଭବିଷ୍ୟତ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ କୋଭିଡ-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଚତୁର୍ଥ ପର୍ଯ୍ୟାୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବଂ ଏହି ପର୍ଯ୍ୟାୟରେ ପଂଚାୟତମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ରାଜ୍ୟ କୋଭିଡ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତା ବ୍ୟକ୍ତିମାନଙ୍କ ଦ୍ୱାରା କରୋନା ସଂକ୍ରମଣ ଆସିଥିଲା । ଏହି ପର୍ଯ୍ୟାୟରେ ଓଡ଼ିଶାକୁ ଆସିଥିବା ୪୬ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ସେମାନଙ୍କର ନାମ ପଂଜୀକରଣ କରିଥିଲେ । ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନର ତବଲିଗି ଧାର୍ମିକ ସଭାରୁ ଫେରିଥିବା ଲୋକଙ୍କ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିଥିଲା । ସେହିପରି ୩ୟ ପର୍ଯ୍ୟାୟରେ ବାହାରୁ ଆସିଥିବା ଲୋକଙ୍କ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିଥିଲା । ଏଥିରେ ପଶ୍ଚିମବଙ୍ଗର ଲିଙ୍କ ଅଧିକ ରହିଛି ।

ଶ୍ରୀ ବାଗଚୀ କହିଛନ୍ତି, ଦିନେ ନା ଦିନେ ଲକଡାଉନ କୋହଳ ହେବ । ଏହା ପରେ ରାଜ୍ୟ ବାହାରେ ଅଟକିଥିବା ଓଡ଼ିଆ ନିଜ ଭିଟାମାଟିକୁ ଫେରିବେ । ରାଜ୍ୟକୁ ଫେରୁଥିବା ଓଡ଼ିଆମାନଙ୍କ ପାଇଁ ଏକ ପୋର୍ଟାଲ ତିଆରି କରାଯାଉଛି । ସେମାନେ ଏଥିରେ ନିଜର ନାମ ପଂଜୀକରଣ କରିପାରିବେ । ଏହା ଏପ୍ରିଲ ୨୪ ଠାରୁ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାୟ ୫ ଲକ୍ଷ ଓଡ଼ିଆ ଭାଇ ଭଉଣୀ ରାଜ୍ୟକୁ ଫେରିବେ ବୋଲି ଆଶା କରାଯାଉଛି । ଏଥିପାଇଁ ପଂଚାୟତସ୍ତରରେ ପ୍ରସ୍ତୁତି କରାଯାଇଛି ।

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ ବାହାରେ ଫସିଥିବା ୫ ଲକ୍ଷରୁ ଅଧିକ ଓଡ଼ିଆ ଭାଇ ଭଉଣୀ ନିଜ ମାଟିକୁ ଫେରିଆରସିବେ । ଗୁଜୁରାଟ, ମହାରାଷ୍ଟ୍ର୍ର, ତାମିଲାନାୁଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ପଂଜାବ ଓ ଦିଲ୍ଲୀରୁ ଅଧିକ ପ୍ରବାସୀ ଓଡ଼ିଶାକୁ ଫେରିବେ । ସେହି ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ଆମଠାରୁ ଅଧିକ ରହିଛି ।

କରୋନା ମୁକାବିଲା ପାଇଁ ୨ୟ ଓ ୩ୟ ପର୍ଯ୍ୟାୟରେ ପ୍ରମୁଖ ଥିଲେ ପଞ୍ଚାୟତମାନେ । ଏଥିପାଇଁ ପ୍ରସ୍ତୁତି ଥିଲା । ମୁଖ୍ୟମନ୍ତ୍ରୀ ଚତୁର୍ଥ ପର୍ଯ୍ୟାୟରେ ୬୭୯୮ଟି ପଂଚାୟତକୁ ମୁକାବିଲା ପାଇଁ ଦାୟିତ୍ୱ ଦେଇଛନ୍ତି । ସରପଞ୍ଚମାନେ ଶପଥପାଠ କରିଛନ୍ତି । ସେମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶପଥ ନେଇଛନ୍ତି ଯେ, ଆମର ପଞ୍ଚାୟତର ଦାୟିତ୍ୱ ଆମେ ନେବୁ । କରୋନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଦାୟିତ୍ୱ ନେବୁ । ଶ୍ରୀ ବାଗଚୀ କହିଛନ୍ତି, ଋଗବେଦରେ ମଧ୍ୟ ପଂଚାୟତର ନାମ ଉଲ୍ଲେଖ ରହିଛି । ତେଣୁ କୋଭିଡ ମୁକାବିଲାରେ ଓଡ଼ିଶାର ୬୭୯୮ଟି ପଞ୍ଚାୟତ ଇତିହାସ ରଚିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର