୧୬୩ ଜିଲ୍ଲା ପରିଷଦ ଜୋନ୍ରେ ୬୬୭ ପ୍ରାର୍ଥୀ
ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର
ନିର୍ବାଚନୀ ହିଂସା ପାଇଁ ୮୨ଜଣ ଗିରଫ
ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ପ୍ରଥମ ତିନି ପର୍ଯ୍ୟାୟରେ ହିଂସା ମାତ୍ରାଧିକ ହେବା ପରେ ମଙ୍ଗଳବାର ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ତିନିଟି ଯାକ ପର୍ଯ୍ୟାୟରେ ୨୪୦ ପ୍ଲାଟୁନ୍ ଲେଖାଏଁ ପୁଲିସ ଫୋର୍ସ ମୁତୟନ ହେଉଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ୨୫୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ କଡ଼ା ଚେକିଂ କରାଯିବା ସହ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ହେବନି ତାହା ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ଅଧିକ ଉତ୍ତେଜନାପ୍ରବଣ ବୁଥ୍ଗୁଡ଼ିକରେ ଅଧିକ ପୁଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ମଙ୍ଗଳବାର ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଜିଲ୍ଲାକୁ ବାଦ୍ ଦେଇ ବାକି ୨୭ଟି ଜିଲ୍ଲାରେ ମତଦାନ ହେବ। ଏଥିରେ ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍ରେ ୧୨୫୪ଟି ଗ୍ରାମପଞ୍ଚାୟତରେ ମତଦାନ ହେବ। ମୋଟ୍ ୧୭,୦୮୯ଟି ବୁଥ୍ରେ ୫୧ଲକ୍ଷ ୩୧ହଜାର ୭୨୭ଜଣ ଭୋଟ୍ ଦେବେ। ୧୬୩ଟି ଜିଲ୍ଲା ପରିଷଦ ଜୋନ୍ରେ ୬୬୭ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ବର୍ତ୍ତମାନ ସୁଦ୍ଧା ୯୧୦୯୩ଟି ବୁଥ୍ ମଧ୍ୟରୁ ତିନିଟି ପର୍ଯ୍ୟାୟରେ ୬୧,୩୦୦ଟି ବୁଥ୍ରେ ନିର୍ବାଚନ ସରିଛି।
ନିର୍ବାଚନୀ ହିଂସା ଏବଂ ଭୋଟ୍ ବାକ୍ସ ଲୁଟ୍ ଅଭିଯୋଗ ବଢ଼ୁଥିବାରୁ ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ପାଇଁ ମୋଟ୍ ୮୨ଜଣଙ୍କୁ ଗିରଫ କରାଯାଇଛି। ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୩ଜଣ, ଢେଙ୍କାନାଳରୁ ୯ଜଣ, ଜଗତସିଂହପୁରରୁ ୬ଜଣ, ପୁରୀ ଜିଲ୍ଲାରୁ ୨୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।