ଭୁବନେଶ୍ବର: ଶୃଙ୍ଖଳା ଓ ନିୟମ ମାନିବାର ଅଭ୍ୟାସ ଆମର ସାମୂହିକ ଜୀବନକୁ ତିଆରି କରେ। ମାତ୍ର ବର୍ତ୍ତମାନ ସମୟରେ ଏଥିରେ ବ୍ୟତିକ୍ରମ ଘଟୁଛି। ଆମେ କୌଣସି ଅନୁଷ୍ଠାନକୁ ମାନୁ ନାହୁଁ। ଏଭଳି ମାନସିକତା ନୂଆ ପିଢ଼ିର ନେତାମାନଙ୍କ ମନ‌ରେ ଦେଖିବାକୁ ମିଳୁଛି। ଭାଷା ଓ ଭାବର ଅଭାବ କାରଣରୁ ସଂସଦରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରତିକାର ଆବଶ୍ୟକତା ରହିଛି। ନାଗରିକ ସମାଜର ଏହି ଅବକ୍ଷୟ ବିରୋଧରେ ସାହିତ୍ୟିକମାନେ ସ୍ବର ଉତ୍ତୋଳନ କରି ପଥଚ୍ୟୁତ ବ୍ୟବସ୍ଥାକୁ ବାଟକୁ ଆଣିପାରିବେ। ସାହିତ୍ୟିକମାନେ ହିଁ ରାଜନୀତିରେ ସଂସ୍କାର ଆଣିପାରିବେ। ରତ୍ନଚିରା ପତ୍ରିକାର ଚତୁର୍ଥ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ, ଲେଖକ, ପ୍ରକାଶକ ଓ ପାଠକଙ୍କ ମଧ୍ୟରେ ସମନ୍ବୟ ରହିପାରିଲେ ସାହିତ୍ୟ ବଞ୍ଚି ରହିବ। ପାଠକମାନେ ଛପାବହି ପଢ଼ିବାଠାରୁ ଦୂରେଇଯିବା ସାହିତ୍ୟ ପ୍ରତି ଶୁଭସଂକେତ ନୁହେଁ। ଏଥିପାଇଁ ପ୍ରତ୍ୟେକ ଘରୁ ସଂଗ୍ରାମ ଆରମ୍ଭ ହେବା ଜରୁରି। ମା’ମାନେ ପିଲାମାନଙ୍କୁ ଓଡ଼ିଆ ପଢ଼ାଇବା ଲାଗି ଉତ୍ସାହିତ କରିପାରିଲେ ପ୍ରତ୍ୟେକ ଘରୁ ଭାଷା ସୁରକ୍ଷା ସଂଗ୍ରାମୀ ବାହାରିବେ। ନଚେତ୍‌ ଓଡ଼ିଶାର ଭବି‌ଷ୍ୟତ ଅଧାଯୋଗ୍ୟ ବା ଅଯୋଗ୍ୟଙ୍କ ହାତରେ ରହିଯିବ ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ।

Advertisment

ସମ୍ମାନିତ ଅତିଥି ବିଶିଷ୍ଟ ଲେଖିକା ଅର୍ଚ୍ଚନା ନାୟକ କହିଲେ, ସାହିତ୍ୟିକର ଧର୍ମ ହେଉଛି ଚରିତ୍ରର ବୈଶିଷ୍ଟ୍ୟକୁ ଲେଖନୀ ସାହାଯ୍ୟରେ ଅବତାରଣା କରିବା। ଚରିତ୍ର ଭିତରେ ଥିବା ବିଭିନ୍ନ ସମ୍ଭାବନାକୁ ଲେଖକ ଜାଣିପାରିଲେ, ଏହା ପାଠକଙ୍କ ପ୍ରିୟଭାଜନ ହୋଇପାରିବ। ଏଣୁ ସାହିତ୍ୟ ପାଇଁ ଚରିତ୍ର ଚୟନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ଶ୍ରୀମତୀ ନାୟକ କହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ସଂସ୍କୃତି ବିଭାଗର ପୂର୍ବତନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ। ପତ୍ରିକାର ସମ୍ପାଦିକା ସ୍ନେହଲତା ପୃଷ୍ଟି ସମ୍ପାଦକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ରତ୍ନଚିରାର ସ୍ବନକ୍ଷତ୍ର ସଂଖ୍ୟା, ବାଣୀବିହାରର ମେଘୁଆ ଆକାଶ ଗଳ୍ପ ସଂକଳନ, ଚିଠି ଓ ଡାକବାଲା ସଂକଳନକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମ୍ବର୍ଦ୍ଧନା ପର୍ବରେ ଚଳିତ ବର୍ଷ ପାଇଁ ରୁମ୍‌ଝୁମ୍‌ ନାୟକଙ୍କୁ ସାରସ୍ବତ ସମ୍ମାନ, ରାଜେଶ କୁମାର ତ୍ରିପାଠୀଙ୍କୁ ଯୁବଲେଖକ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ପ୍ରବନ୍ଧ ସମ୍ମାନ, ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ କବିତା ସମ୍ମାନ, ମନୋଜ କୁମାର ଜେନାଙ୍କୁ ଗଳ୍ପ ସମ୍ମାନ, ସବିତା ମିଶ୍ରଙ୍କୁ ଅନୁବାଦ ସମ୍ମାନ, ହଂସନାଥ ମୁଦୁଲିଙ୍କୁ ଗୀତିକବିତା ସମ୍ମାନ, ସୁଶାନ୍ତ ଦାସଙ୍କୁ ସାହିତ୍ୟ ସଂଗଠକ ସମ୍ମାନ, ବୃନ୍ଦାବତୀ ସାହୁଙ୍କୁ ପାଠକ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗିରିଜା ଶଙ୍କର ଆଚାର୍ଯ୍ୟ ଓ ଅର୍ଚ୍ଚନା ଆଚାର୍ଯ୍ୟଙ୍କୁ ଶୁଭେଚ୍ଛୁ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ବେତା ମଞ୍ଚ ସଞ୍ଚାଳନ କରିଥିଲା ବେଳେ ପ୍ରକାଶକ କରୁଣାକର ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।