ଭୁବନେଶ୍ବର:  ଆସନ୍ତା ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ କରୋନାର ଚତୁର୍ଥ ଲହର ଆସିପାରେ। ୟୁକେର ଗୋଟିଏ ସଂସ୍ଥାର ମଡେଲ ଅନୁସାରେ ଚଳିତମାସ ୧୩ରୁ ୧୫ ତାରିଖ ମଧ୍ୟରେ ଚୀନ୍‌ରେ ଶୀର୍ଷ ସଂକ୍ରମଣ ଛୁଇଁପାରେ। ଏହି ସମୟରେ ସେଠାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ଓ ମୃତ୍ୟୁ ସଂଖ୍ୟା ୨୫ହଜାର ପାର୍ କରିବ। ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ କୌଣସି ମଡେଲ ଆସିନାହିଁ। ତଥାପି ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ ବୋଲି ଗୋଟିଏ ମଡେଲ ଅନୁମାନ କରିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ବୁଲେଟିନ୍‌ରେ କୁହାଯାଇଛି ଯେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହିଛି। ତେବେ ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବର, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉର‌କେଲାରେ ଲୋକ ସମାଗମ ଅଧିକ ହେବ। ଦେଶ ତଥା ଦେଶ ବାହାରର ଅନେକ ଲୋକ ଓଡ଼ିଶାକୁ ଆସିବେ। ତାଙ୍କ ଜରିଆରେ ଆମ ରାଜ୍ୟକୁ ସଂକ୍ରମଣ ଆସିବାର ଆଶଙ୍କା ରହିଛି। ଏହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବାହାରୁ ଆସୁଥିବା ଲୋକମାନେ କୋଭିଡ ନିୟମାବଳୀକୁ ପାଳନ କରିବା ଜରୁରୀ। ଗହଳିକୁ ଯାଉଥିଲେ ମାସ୍କ ପରିଧାନ, ସାମାନ୍ୟ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ଲାଗି ଅନୁରୋଧ କରାଯାଇଛି।

Advertisment

ସେହିପରି ଦେଶରେ ୯୦ ପ୍ରତିଶତ ଲୋକ ଦୁଇଟି ଡୋଜ୍ ନେଇ ସାରିଛନ୍ତି। ରାଜ୍ୟରେ ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି। ଦେଶ ତଥା ରାଜ୍ୟରେ କୋଭିଡ ଟିକାକରଣ ହାର ଭଲ ରହିଛି ଓ କୋଭିଡରେ ଆକ୍ରାନ୍ତ ହୋଇ ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ସଂକ୍ରମଣ ବା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି। ଚୀନ୍‌ରେ ଦିଆଯାଇଥିବା ଟିକା ଆମ ଦେଶରେ ଦିଆଯାଇଥିବା ଟିକା ତୁଳନାରେ କମ୍ ପ୍ରଭାବୀ। ଚୀନ୍ ଲୋକମାନଙ୍କ କ୍ଷେତ୍ରରେ ଟିକା କିମ୍ବା ସଂକ୍ରମିତ ହେବା ଦ୍ବାରା ଗୋଷ୍ଠୀ ସଂକ୍ରମଣ କ୍ଷମତା ବୃଦ୍ଧି ହୋଇନାହିଁ। ବିଦେଶରେ ଏବେ ବୟସ୍କ ଲୋକମାନେ ଅଧିକ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ମାତ୍ର ଆମ ଦେଶରେ ଆଗୁଆ ବୟସ୍କ ଲୋକମାନଙ୍କୁ ପ୍ର‌ଥମେ ଟିକା ଦିଆଯାଇଥିଲା।

ଡାକ୍ତର ମହାନ୍ତି ଆହୁରି କହିଛନ୍ତି ଯେ ଦେଶରେ ଏବେ ନାଜାଲ ଟିକାକୁ ଅନୁମୋଦନ ମିଳିଛି। ଯେଉଁମାନେ ଦୁଇଟି ଡୋଜ୍ ନେଇଛନ୍ତି ସେମାନେ ଏହାକୁ ନେଇପାରିବେ। ମାତ୍ର ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି ସେମାନେ ଏହାକୁ ନେବା ଉଚିତ୍ ନୁହେଁ। ତେବେ ରାଜ୍ୟରେ ବୁଷ୍ଟର ଡୋଜ୍ ହାର ୪୦ ପ୍ରତିଶତ ରହିଥିବାରୁ ଏହାକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି। ଚୀନ୍‌ରେ ବିଏଫ୍‌.୭ ଓ ଆମେରିକାରେ ଏକ୍ସବିବି ପ୍ରଜାତି ପାଇଁ ଅଧିକ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବିଏଫ୍‌.୭ ହେଉଛି ଓମିକ୍ରନ୍ ପ୍ରଜାତିର ଉପ-ପ୍ରଜାତି। ମାତ୍ର ଏହାକୁ ନେଇ ଭୟଭୀତ ହେବା ଉଚିତ୍ ନୁହେଁ। ମାତ୍ର ସତର୍କ ରହିବା ଜରୁରୀ। ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ, ଜନସାଧାରଣ ଓ ତୃଣମୂଳସ୍ତରରେ ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମ କାରଣରୁ ରାଜ୍ୟରେ କୋଭିଡ ସ୍ଥିତି ବେଶ୍ ଭଲ ରହିଥିବା ଡା. ମହାନ୍ତି କହିଛନ୍ତି।