‘ଫକ୍ସଟେଲ୍ ପାମ୍’ ଗଛ ବଦଳରେ ଲଗାଇଥିଲେ ‘ଏରିକା ପାମ୍’, ସ୍ମାର୍ଟସିଟି ଅର୍ଥ ଲୁଟିବାକୁ ଠିକାସଂସ୍ଥାର ଚକ୍ରାନ୍ତ ଫସର ଫାଟିଲା
ରାଉରକେଲା: ପ୍ରଥମେ ଅନୈତିକଭାବେ ଅପେକ୍ଷାକୃତ ନିମ୍ନ ମାନର ଗଛ ଲଗାଇଲେ। ଦିନକପରେ ଏହା ଭାଙ୍ଗି ପଡ଼ିବା ସହ ବୁଲା ଗାଈଗୋରୁ ଖାଇଦେଲେ। ଏନେଇ ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ତାକୁ ଉପାଡ଼ିଦିଆଗଲା। ଦୁର୍ନୀତି ମସୁଧା ଧରାପଡ଼ିବାରୁ ଏବେ ସେଠାରେ ଦାମୀ ତଥା ଉନ୍ନତମାନର ଫକ୍ସପାମ୍ ଗଛ ଲଗାଯାଉଛି। ସୌନ୍ଦର୍ଯ୍ୟକରଣ ନାଁରେ ସ୍ମାର୍ଟସିଟି ଅର୍ଥ ହଡ଼ପ କରିବାରେ ଏହା ହେଉଛି ସଦ୍ୟତମ ଉଦାହରଣ। ଅନ୍ତତଃ ଉଦିତନଗର-ପାନପୋଷ ଛକ ରାସ୍ତା ମଝିରେ ପାମ୍ ଗଛ ଲଗାଇବାରେ ଯେ ଯୋଜନାବଦ୍ଧ ଦୁର୍ନୀତି ଉଦ୍ୟମ ହେଉଥିଲା, ତାହା ସ୍ପଷ୍ଟ ଅନୁମେୟ।
Sambad is now on WhatsApp
Join and get latest news updates delivered to you via WhatsApp
ସଂପ୍ରତି ସ୍ମାର୍ଟସିଟି ପକ୍ଷରୁ ରାସ୍ତା, ଫୁଟ୍ପାଥ୍ ନିର୍ମାଣ, ରାସ୍ତା ମଝିରେ ଗଛ ଲଗାଇ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହି କ୍ରମରେ ପାନପୋଷ ଛକରୁ ଉଦିତନଗର ଏସ୍ପି କାର୍ଯ୍ୟାଳୟ ଏବଂ ଛେଣ୍ଡ୍ ଭିଏସଏସ୍ ମାର୍କେଟ୍ରୁ କଳିଙ୍ଗବିହାର ବିଏସ୍ଏନଏଲ୍ ଛକ ଯାଏଁ କାର୍ଯ୍ୟାରମ୍ଭ ହୋଇଛି। ପାନପୋଷ-ଉଦିତନଗର ଏସ୍ପି କାର୍ଯ୍ୟାଳୟ ମଝିରେ ଗତ ଜୁଲାଇ ୧୬ ତାରିଖରେ ପାଖାପାଖି ୩ ହଜାର ଏରିକା ପାମ୍ ଗଛ ଲଗାଯାଇଥିଲା। ୩ ବର୍ଷର ଏହି ଏରିକାପାମ୍ ଗଛର ବଜାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୮ ଶହ ଟଙ୍କା ଥିବାବେଳେ ଏ ବାଦକୁ ପ୍ରାୟ ୨୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା।
ପ୍ରକୃତରେ ଏଭଳି ଖୋଲା ଅଞ୍ଚଳରେ ଫକ୍ସଟେଲ୍ ପାମ୍ ଗଛ ଲଗାଯାଇଥାଏ। କାରଣ, ରାସ୍ତା ମଝିରେ ଶୁଷ୍କ ସହନଶୀଳ ବିଶିଷ୍ଟ ଗଛ ଲଗାଇଲେ ନିୟମିତ ପାଣି ସିଞ୍ଚନ, ଅତ୍ୟଧିକ ଯତ୍ନର ଆବଶ୍ୟକତା ନ ଥାଏ। ଏହାର ଉପର ଭାଗ ଅପେକ୍ଷାକୃତ କଠିଣ ଓ ଏଥିରୁ ସେପ୍ ନିର୍ଗତ ହୁଏ; ଯାହାକି ବୁଲା ଗାଈଗୋରୁଙ୍କୁ ଦୂରେଇ ରଖିଥାଏ। ତେବେ ଆରମ୍ଭରୁ ଫକ୍ସଟେଲ୍ ପାମ୍ ବଦଳରେ ଏଠାରେ ଏରିକା ପାମ୍ ଗଛ ଲଗାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏରିକା ପାମ୍ ଗଛ ପ୍ରାୟତଃ ଘରେ ଛାଇ ଅଞ୍ଚଳରେ ଲଗାଯାଇଥାଏ। ଏରିକା ପାମ୍ ଗଛକୁ ସିଧାସଳଖ ସୂର୍ଯ୍ୟକିରଣରୁ ଦୂରେଇ ରଖାଯିବା ସହ ନିୟମିତ ପାଣି ସିଞ୍ଚନ, ମାତ୍ରାଧିକ ଯତ୍ନର ଅବାଶ୍ୟକତା ପଡ଼ିଥାଏ। ଏତଦ୍ବ୍ୟତୀତ ଏହାର ଡାଳ ଗୁଡ଼ିକ ମେଲିଯାଉଥିବାରୁ ଗମାଗମନରେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥାଏ।
ଏତେସବୁ ନିୟମକୁ ଖୋଲା ଉଲ୍ଲଂଘନକରି ଫକ୍ସପାମ୍ ବଦଳରେ ଏରିକା ପାମ୍ ଗଛ ଲଗାଉଥିବା ଠିକା ସଂସ୍ଥା ‘ଗ୍ରୀନ୍ ଗ୍ରୋ’ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ ତାହା ସମୟ କହିବ। ମାତ୍ର, ଏହା ପୂର୍ବରୁ ଏରିକା ପାମ୍ ଗଛ ଲଗାଇବା ବାବଦକୁ ବ୍ୟୟ ହୋଇଥିବା ଆନୁମାନିକ ୨୪ ଲକ୍ଷ ଟଙ୍କା କିଏ ବହନ କରିବ, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ମାର୍ଟସିଟି ପକ୍ଷରୁ ଚିରାଚରିତ ଅନୁକମ୍ପା ଦେଖାଇ ଉକ୍ତ ବ୍ୟୟ ପରିମାଣକୁ ଭରଣା କରାଯିବ ନା ଠିକା ସଂସ୍ଥାଠାରୁ ଅସୁଲ ହେବ ସେନେଇ ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ। ବର୍ତ୍ତମାନ ଦୁର୍ନୀତି ଧରାପଡ଼ିଯିବାରୁ ଫକ୍ସଟେଲ ପାମ୍ ଲଗାଯାଉଥିବାବେଳେ ଆରମ୍ଭରୁ ଏରିକା ପାମ୍ ଲଗାଯିବା ପଛରେ କାରଣ କ’ଣ? ଫକ୍ସଟେଲ ପାମ୍ଠାରୁ ଗୋଟିଏ ଗଛ ପ୍ରତି ଅପେକ୍ଷାକୃତ ୧୫ ଶହ/୨ ହଜାର ଟଙ୍କା କମ୍ ଦର ଥିବା ଏରିକା ପାମ୍ ଲଗାଇ ଫକ୍ସଟେଲ୍ ପାମ୍ର ବିଲ୍ ପାଇଁ ଚକ୍ରାନ୍ତ ଚାଲିଥିଲା କି? ଯଦି ଏରିକା ପାମ୍ ଲଗାଇବାକୁ ମୂଳରୁ ନିର୍ଦ୍ଦେଶ ଥିଲା, ତେବେ ବିବାଦ ହେବାପରେ ଏହାର ପୁନରାବୃତ୍ତି ନ କରି ଫକ୍ସଟେଲ୍ ପାମ୍ ଲଗାଯିବା ପଛରେ ଉଦ୍ଦେଶ୍ୟ କ’ଣ? ସାଧାରଣରେ ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି।