ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ କାଉନ୍‌ସେଲର, ବିଶ୍ୱକପ୍‌ ହକି ପାଇଁ ଅଜାଡ଼ିଲେ ପ୍ରଶଂସା

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ପାଇଁ ସହଯୋଗ ଓ ସାଂସ୍କୃତିକ ବ୍ୟାପାର ମୁଖ୍ୟ ଭାବେ ନିଯୁକ୍ତ ଫ୍ରାନ୍ସ କାଉନ୍‌ସେଲର ଡ. ବଟ୍ରାଣ୍ଡ ଦ’ ହାର୍ଟିଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତିି। ଆଗାମୀ ଦିନରେ ଓଡ଼ିଶା-ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସଂପର୍କ ବୃଦ୍ଧି ପାଇବ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଓ କାଉନ୍‌ସେଲର ଆଶାପ୍ରକାଶ କରିଥିଲେ। ଆଲୋଚନା ଅବସରରେ ବିଶ୍ୱ କପ୍‌ ହକି ଆୟୋଜନ ନିମନ୍ତେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଉପରେ ପ୍ରଶଂସା ଅଜାଡ଼ି ଦେଇଥିଲେ ଡ. ବଟ୍ରାଣ୍ଡ।

ପରେ ଗଣମାଧ୍ୟମରେ ଡ. ବଟ୍ରାଣ୍ଡ କହିଲେ, ଓଡ଼ିଶା ଶିଳ୍ପର ହବ୍‌ରେ ପରିଣତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କେବଳ ସାଂସ୍କୃତିକ ନୁହେଁ, ଶିଳ୍ପ, ଉଚ୍ଚଶିକ୍ଷା, ଗବେଷଣା କ୍ଷେତ୍ରରେ ଫ୍ରାନ୍ସ-ଓଡ଼ିଶା ମଧ୍ୟରେ ସଂପର୍କ ବୃଦ୍ଧି ପାଇବ। ଆଗାମୀ ନଭେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ଫ୍ରାନ୍ସର କିଛି ଶିଳ୍ପପତି ଅଂଶଗ୍ରହଣ କରିବାର ସମ୍ଭାବନା ନେଇ ସେ ସୂଚନା ଦେଇଥିଲେ। ସେହିପରି ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ, ଶିଳ୍ପ କ୍ଷେତ୍ରରେ ଆଦାନପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ତରଫରୁ ଫ୍ରାନ୍ସ ପ୍ରତିନିଧିଙ୍କୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଡ. ସସ୍ମିତ ପାତ୍ର କହିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଫ୍ରାନ୍ସ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର