ପୁଣି ମାତିଲେ ଫ୍ରାଞ୍ଚାଇଜ୍ ଠକ: ନକଲି କମ୍ପାନି ଖାଇଗଲା ୧୧ ଲକ୍ଷ

ୱେବ୍‌ସାଇଟ୍‌ରେ ଫର୍ମ ଦାଖଲ ପରେ ଠକେଇ, ୩୫ରୁ ୫୦ ପ୍ରତିଶତ ଲାଭର ଲୋଭ

କଟକ: ପୁଣି କଟକରେ ଫ୍ରାଞ୍ଚାଇଜ୍ ଖୋଲିବାର ଲୋଭ ଦେଖାଇ ସାଇବର୍ ଠକ ୧୧ଲକ୍ଷ ଟଙ୍କା ଜଣେ ବ୍ୟବସାୟୀଙ୍କ ନିକଟରୁ ଠକି ନେଇଛନ୍ତି। ‘ଶ୍ରୀଲେଦର୍ସ’ କମ୍ପାନିର ଫ୍ରାଞ୍ଚାଇଜ୍ ଖୋଲିବା ପୂର୍ବରୁ ପଞ୍ଜୀକରଣ ଓ ସାର୍ଟିଫିକେଟ୍ ଯୋଗାଇବାର ବିଭିନ୍ନ ପ୍ରକ୍ରିୟା ପାଇଁ ଏହି ଟଙ୍କା ଠକେଇ ହୋଇଛି। ଏହି ଘଟଣାରେ କଟକ ସାଇବର୍ ଥାନାରେ ଠକେଇର ଶିକାର ହୋଇଥିବା ବ୍ୟବସାୟୀଜଣକ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, କଟକ ଲାଲ୍‌ବାଗ ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀ ସାଲେପୁର ଅଞ୍ଚଳରେ ‘ଶ୍ରୀଲେଦର୍ସ’ କମ୍ପାନିର ଫ୍ରାଞ୍ଚାଇଜ୍ ଆଣି ଚମଡ଼ାରୁ ପ୍ରସ୍ତୁତ ଚପଲ, ଭ୍ୟାନିଟି ବ୍ୟାଗ, ମନି ପର୍ସ, ବେଲ୍ଟ ଇତ୍ୟାଦି ସାମଗ୍ରୀର ବ୍ୟବସାୟ କରିବାକୁ ଯୋଜନା କରୁଥିଲେ। ସେ ଗଲା ଡିସେମ୍ବର ୩୧ ତାରିଖରେ ଗୁଗୁଲ୍‌ରେ ଏହି ଫ୍ରାଞ୍ଚାଇଜ୍ ପାଇଁ ସର୍ଚ୍ଚ କରୁଥିଲେ। ଏହି ସମୟରେ ତାଙ୍କ ହାବୁଡ଼ରେ ସାଇବର୍ ଠକଙ୍କ ଏକ ନକଲି ୱେବ୍‌ସାଇଟ୍ ପଡ଼ିଯାଇଥିଲା। ଏହି ୱେବ୍‌ସାଇଟ୍‌ ଖୋଲିବା ପରେ ‘କଣ୍ଟାକ୍ଟ ଅସ୍ ଲିଙ୍କରେ କ୍ଲିକ୍ କରିଥିଲେ। ପରେ ସେଠାରେ ଏକ ଫର୍ମ ଉପଲବ୍ଧ ହେଉଛି। ସେଠାରେ ନୂଆ ଫ୍ରାଞ୍ଚାଇଜ୍‌ରେ ଅନୁରୋଧ ପଠାଇବାକୁ କୁହାଯାଉଛି। ଏହି ଫର୍ମକୁ ଦାଖଲ କରିବା ପରେ ‘ଶ୍ରୀଲେଦର୍ସ’ କର୍ମଚାରୀ ଫୋନ୍ କରିଥିଲେ। ତେବେ ଡିସେମ୍ବର ୩୧ରୁ ଜାନୁଆରି ୪ ତାରିଖ ଯାଏ ଫ୍ରାଞ୍ଚାଇଜ୍ ଯୋଗାଇବା ଆଳରେ ଉକ୍ତ ଅଜଣା ବ୍ୟକ୍ତି ଲାଲବାଗ ଅଞ୍ଚଳର ବ୍ୟବସାୟୀଙ୍କୁ ପ୍ରଥମେ ବ୍ୟବସାୟ ପଞ୍ଜୀକରଣ ପାଇଁ ୨୫ ହଜାର ଟଙ୍କା ଜମା କରିବାକୁ କହିଥିଲା। ‘ଶ୍ରୀଲେଦର୍ସ’ କମ୍ପାନିରେ ନାଁ ପଞ୍ଜୀକରଣ ପାଇଁ ଏହି ଟଙ୍କା ମଗାଯାଇଥିଲା। ଏହି ଟଙ୍କା ବ୍ୟବସାୟୀଜଣକ ଅନ୍‌ଲାଇନ୍‌ରେ ଜମା କରିଥିଲେ।

ପୁଣି ମାତିଲେ ଫ୍ରାଞ୍ଚାଇଜ୍ ଠକ
ୱେବ୍‌ସାଇଟ୍‌ରେ ଫର୍ମ ଦାଖଲ ପରେ ଠକେଇ
୩୫ରୁ ୫୦ ପ୍ରତିଶତ ଲାଭର ଲୋଭ
୨୫ ଶହରୁ ୪ ହଜାର ବର୍ଗଫୁଟ୍‌ ଘର ପାଇଁ ଥିଲା ସର୍ତ୍ତ

ପରେ ସ୍ଥାନୀୟ ମ୍ୟୁନିସିପାଲିଟିରୁ ଟ୍ରେଡ୍ ଲାଇସେନ୍ସ, ଦୋକାନ ଏବଂ ପ୍ରତିଷ୍ଠାନ ସାର୍ଟିଫିକେଟ୍, ପୂର୍ବ ବ୍ୟାଙ୍କ କାରବାର ଏବଂ ଆୟକର ରିଟର୍ଣ୍ଣ(ଆବେଦନକାରୀଙ୍କ ଆର୍ଥିକ କାରବାର ଯାଞ୍ଚ ପାଇଁ ଆବଶ୍ୟକ), ବ୍ୟବସାୟର ବୀମା, ଜିଏସ୍‌ଟି ପଞ୍ଜୀକରଣ, ସୋରୁମ୍‌ ଖୋଲିବାକୁ ଥିବା ଜମିର କାଗଜପତ୍ର ଇତ୍ୟାଦି ସଂକ୍ରାନ୍ତ କାଗଜପତ୍ର ମାଗିବା ସହିତ ଏହି ପ୍ରକ୍ରିୟାରେ ଆହୁରି ୧୦ ଲକ୍ଷ ୭୫ ହଜାର ଟଙ୍କା ନେଇଥିଲା। ‘ଶ୍ରୀଲେଦର୍ସ’ କମ୍ପାନିର ଫ୍ରାଞ୍ଚାଇଜ୍ ଖୋଲିଲେ ଏହି କାରବାରରେ ୩୫ରୁ ୫୦ ପ୍ରତିଶତ ଯାଏ ଲାଭ ମିଳିବାର ଲୋଭ ବି ଦେଖାଇଥିଲେ। ଫ୍ରାଞ୍ଚାଇଜ୍ ନେବା ପୂର୍ବରୁ କିଛି ସର୍ତ୍ତ ବି ରଖାଯାଇଥିଲା। ଯେମିତିକି ସୋରୁମ୍ ଖୋଲିବାକୁ ହେଲେ ଏଥିପାଇଁ ସର୍ବନିମ୍ନ ୨୫ ଶହ ବର୍ଗଫୁଟରୁ ୪ ହଜାର ବର୍ଗଫୁଟ ଯାଏ ଘରର ଆବଶ୍ୟକତା ରହିଛି। କମ୍ପାନିର ସାରା ଦେଶରେ ୪୦ଟି ସୋରୁମ ଥିବା କୁହାଯାଇଥିଲା। ଏଥିରୁ କମ୍ପାନିର ନିଜର ୫ଟି ଥିବା ବେଳେ ଅନ୍ୟ ସମସ୍ତ ସୋରୁମ୍‌ ଫ୍ରାଞ୍ଚାଇଜ୍‌ରେ ଚାଲିଥିବା ସୂଚନା ଦିଆଯାଇଥିଲା। ସବୁ ଯାଞ୍ଚ ପରେ ମୋଟ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୧ପ୍ରତିଶତ ଆବେଦନକାରୀଙ୍କ ଆବେଦନଗୁଡ଼ିକ ‘ଶ୍ରୀଲେଦର୍ସ’ ପକ୍ଷରୁ ଅନୁମୋଦିତ ହେଉଥିବା ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପାରିବାରିକ ପୃଷ୍ଠଭୂମି ଏବଂ ଆର୍ଥିକ କାରବାରକୁ ଦୃଷ୍ଟିରେ ରଖି ଅନୁମୋଦନ କରାଯାଉଛି। ‘ଶ୍ରୀଲେଦର୍ସ’ କମ୍ପାନିର ଫ୍ରାଞ୍ଚାଇଜ୍ ନେବାକୁ ଏତେଟା ସହଜ ହେବ ନାହିଁ ବୋଲି ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଯାହା ଫଳରେ ଏହା ଠକଙ୍କ କାରସାଦି ବୋଲି କେହି ସହଜରେ ବିଶ୍ବାସ କରିପାରିବେ ନାହିଁ। ଏଭଳି ସର୍ତ୍ତ ମିଳିବା ପରେ ଲାଲବାଗର ବ୍ୟବସାୟୀ ଡିସେମ୍ବର ୩୧ରୁ ଜାନୁଆରି ୪ ଭିତରେ ନିଜର ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରୁ ଅଜଣା ବ୍ୟକ୍ତିର ଗୋଟିଏ ଆକାଉଣ୍ଟକୁ ବିଭିନ୍ନ ପର୍ଯ୍ୟାୟରେ ୧୧ ଲକ୍ଷ ଟଙ୍କା ପଠାଇଥିଲେ। ଏହି ଟଙ୍କା ଆଇଏମ୍‌ପିଏସ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ପଠାଯାଇଥିଲା। ରାଜ୍ୟ ବାହରର ଏକ ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି। ଯେଉଁ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି ସାଇବର୍ ଥାନା ପୁଲିସ ଉକ୍ତ ଆକାଉଣ୍ଟ ସଂକ୍ରାନ୍ତ ତଥ୍ୟ ଦେବାକୁ ଘରୋଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ରବିବାର ବ୍ୟାଙ୍କ୍ ଛୁଟି ଥିବାରୁ ଆଜି ଟଙ୍କା ଯାଇଥିବା ଉକ୍ତ ବ୍ୟାଙ୍କ୍ ଆକାଉଣ୍ଟ ସଂକ୍ରାନ୍ତରେ ତଥ୍ୟ ମିଳିପାରି ନାହିଁ। ଆସନ୍ତାକାଲି ସୋମବାର ଏ ସଂକ୍ରାନ୍ତରେ ତଥ୍ୟ ମିଳିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। କମ୍ପାନି ନାଁକୁ ବ୍ୟବହାର କରି ସାଇବର୍ ଠକ ଏଭଳି କାରସାଦି କରିଥିବା ସାଇବର୍ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର