କୃଷି ବିଭାଗ କର୍ମଚାରୀ କହି ଚାଷୀଙ୍କ ଆକାଉଣ୍ଟରୁ ୪୧ ହଜାର ହଡ଼ପ

ସିମୁଳିଆ: କୃଷି ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଜୈନକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪୧ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ କରଞ୍ଜଗଡ଼ିଆ ଗ୍ରାମରେ।

ଅଭିଯୋଗ ଅନୁଯାୟୀ, କରଞ୍ଜଗଡ଼ିଆ ଗ୍ରାମର ଗୋପାଳ ଚନ୍ଦ୍ର ଦାଶ ବିଲରେ ଚାଷକାମ କରୁଥିବା ବେଳେ ଦୁଇଜଣ ଯୁବକ ଗୋଟିଏ ବାଇକରେ ଆସି କୃଷି ବିଭାଗରୁ ଆସିଥିବା କହିଥିଲେ। ପରେ କୃଷି ବିଭାଗ ପକ୍ଷରୁ ସାର ଓ କୀଟନାସକ ଆଦି ଯୋଗାଇ ଦିଆଯିବା ସହ ସେସବୁ ଚାଷୀଙ୍କୁ ବିକ୍ରି କଲେ ତାଙ୍କୁ ମାସିକ ଦରମା ଦିଆଯିବ ବୋଲି କହିଥିଲେ। ପରେ ଗୋପାଳଙ୍କୁ ଏକ ହଜାର ଟଙ୍କା ଦେଇ ତାଙ୍କଠାରୁ ସେମାନେ ଏକ ଚେକ୍ ନେଇ ଯାଇଥିଲେ। କିଛି ସମୟ ମଧ୍ୟରେ ଉକ୍ତ ଆକାଣ୍ଟରେ ଭଦ୍ରକ ଅଞ୍ଚଳରେ ଥିବା ଏକ ବ୍ୟାଙ୍କରୁ ୮ ହଜାର ଟଙ୍କା ଡିପୋଜିଟ ହେବା ସହିତ ଗୋପାଳଙ୍କ ଆକାଉଣ୍ଟରେ ଥିବା  ୪୧ ହଜାର ଟଙ୍କା କଟିଯାଇଥିଲା। ଗୋପାଳଙ୍କ ପୁଅ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ଗୋପାଳ ତାଙ୍କ ଆକାଉଣ୍ଟ ବ୍ଲକ କରିବା ସହ ଏ ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ସିମୁଳିଆ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର