କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଧୋବଣୀଶୋଳ ପଞ୍ଚାୟତର ଜଣେ ଦମ୍ପତି ଶତାଧିକ ମହିଳାଙ୍କ ନାମରେ ତଞ୍ଚକତା କରି ୬୦ ଲକ୍ଷ ଟଙ୍କା ଋଣ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତର ଧୋବଣୀଶୋଳ, କୁଆବସା, ବାଲିଖଣି, ରଣାଶୋଳ, ତାଳଟିକିରୀ ଗ୍ରାମର ମହିଳାମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ; ଏହି ପଞ୍ଚାୟତର ଚମ୍ପାମଣି ସୋରେନ ଓ ତାଙ୍କ ସ୍ବାମୀ ଠାକୁରା ସୋରେନ କମ୍‌ ସୁଧରେ ବିଭିନ୍ନ ଘରୋଇ ସଂସ୍ଥାରୁ ଲକ୍ଷାଧିକ ଟଙ୍କା ଋଣ କରାଇ ଦେବେ କହି ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରଲୋଭିତ କରିଥିଲେ।

Advertisment

ମିଛି ପ୍ରତିଶ୍ରୁତି ଦେଇ ସେମାନଙ୍କ ଆଧାର କାର୍ଡ, ଫଟୋ, ଅନ୍ୟାନ୍ୟ କାଗଜପତ୍ର ଓ ଦସ୍ତଖତ ସଂଗ୍ରହ କରି ନେଇଥିଲେ। ହେଲେ ଋଣ ଅନୁମୋଦନ ହେଉନାହିଁ ବୋଲି କହି ଦିନ ଗଡ଼ାଇ ଚାଲିଥିଲେ। ମାସକ ପରେ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ପକ୍ଷରୁ ଉକ୍ତ ମହିଳାମାନଙ୍କୁ ଋଣ ପରିଶୋଧ ପାଇଁ ତାଗିଦ୍‌ କରାଯାଇଥିଲା। ଠକ ଦମ୍ପତି ଜାଲିଆତି କରି ସେମାନଙ୍କ ନାଁରେ ଋଣ ଟଙ୍କା ହଡପ୍‌ କରିଥିବା ଜାଣିବା ପରେ ମହିଳାମାନେ କାନମୁଣ୍ଡ ଆଉଁସି ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।