ନକଲି ବ୍ୟାଙ୍କ୍ ଅଫିସର ପରିଚୟ ଦେଇ ଲକ୍ଷାଧିକ ଠକେଇ

କଟକର ଦୁଇ ଯୁବକ ଭୁବନରୁ ଗିରଫ, ୮୮ ମହିଳା ସମେତ ୯୦ ଜଣଙ୍କୁ ଠକିଥିଲେ

ଖଲ୍ଲିକୋଟ : ନିଜକୁ ବ୍ୟାଙ୍କ୍ ମ୍ୟାନେଜର୍‌ ଓ ଫିଲଡ୍ ଅଫିସର୍ ପରିଚୟ ଦେଇ ଋଣ ଦେବା ନାମରେ ୮୮ ଜଣ ମହିଳାଙ୍କ ସମେତ ୯୦ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ଭୁବନରୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାର ଅନୀଲ କୁମାର ଦଳାଇ (୩୨) ଓ ମଥାସାହିର ସ୍ମୃତିରଞ୍ଜନ ପାତ୍ର (୩୪)। ସେମାନଙ୍କ ଠାରୁ ୩ ଟି ମୋବାଇଲ୍, ୬ଟି ସିମ୍, ଗୋଟିଏ ନକଲି ପ୍ରେସ୍‌କାର୍ଡ଼, ୬ଟି ଏଟିଏମ୍ କାର୍ଡ଼, ୩ଟି ବ୍ୟାଙ୍କ୍ ସିଲ୍, ଗୋଟିଏ ଡାଏରି, ୩ଟି ବିଭିନ୍ନ କମ୍ପାନିର ନକଲି ପରିଚୟପତ୍ର ଓ ଏକାଧିକ ଲୋନ୍ ଆବେଦନପତ୍ର ଜବତ ହୋଇଛି। କେବଳ ଖଲ୍ଲିକୋଟ ଥାନା ଇଲାକା ନୁହେଁ, ରାଜ୍ୟର ୨୬ଟି ଜାଗାର ଲୋକଙ୍କୁ ଏମାନେ ଠକିଥିବା ତଦନ୍ତରୁ ଜଣାପଡ଼ିଛି।

ଅନୀଲ ଓ ସ୍ମୃତିରଞ୍ଜନ ନିଜ ନେଟୱର୍କକୁ ଖଲ୍ଲିକୋଟ ଥାନା ଅଧୀନ ବିଭିନ୍ନ ଗ୍ରାମରେ ସକ୍ରିୟ କରିବାକୁ ଚେଷ୍ଟା କରିଥିଲେ। ଏଥି ପାଇଁ ଉଭୟ ପ୍ରଥମେ ନିଜକୁ ‘ୟେସ୍ ବ୍ୟାଙ୍କ୍ ମ୍ୟାନେଜର୍‌ ଓ ଫିଲଡ୍ ଅଫିସର୍ ପରିଚୟ ଦେଇ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ। ବିଭିନ୍ନ ନକଲି ଦସ୍ତାବିଜ୍ ଦେଖାଇ ଋଣ କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥି ପାଇଁ ସେମାନେ ଖଲ୍ଲିକୋଟ କରଣ ସାହିର ବିଶ୍ବନାଥ ଦାସଙ୍କୁ ମୋହରା କରିଥିଲେ। ତାଙ୍କୁ ‘ବିଜସେନ୍ କରସ୍‌ପଣ୍ଡେଣ୍ଟ୍’ ଭାବେ ନିଯୁକ୍ତ କରିବା ସହ ନକଲି ନିଯୁକ୍ତିପତ୍ର ଦେଇଥିଲେ। ମୋହନପୁର, କେଶପୁର, ଭରସା ଓ ରଘୁନାଥପୁର ଆଦି ଅଞ୍ଚଳର ୮୮ ଜଣ ମହିଳାଙ୍କ ଠାରୁ ଋଣ ଦେବା ନାଁରେ ଆକାଉଣ୍ଟ୍‌ ଖୋଲି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଋଣ ପାଇଁ ବିଶ୍ବନାଥଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କିନ୍ତୁ କିଛିଦିନ ପରେ ଆଉ ଉଭୟଙ୍କ ଦେଖା ମିଳି ନଥିଲା କି ଯୋଗାଯୋଗ ସମ୍ଭବପର ହୋଇ ନଥିଲା। ଫଳରେ ବିଶ୍ବନାଥ ଓ ଅନ୍ୟମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଗତ ଏପ୍ରିଲ୍ ୪ ତାରିଖରେ ବିଶ୍ବନାଥଙ୍କ ଏତଲା କ୍ରମେ ଖଲ୍ଲିକୋଟ ଥାନା କେସ୍ ନମ୍ବର ୧୭୬ରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଉଭୟ ଅଭିଯୁକ୍ତଙ୍କୁ ପୁଲିସ ଢେଙ୍କାନାଳ ଜିଲ୍ଲା ଭୁବନରୁ ଗିରଫ କରିବାରେ ସଫଳ ହୋଇଛି। ଉଭୟ ନିଜ ଦୋଷ ସ୍ବୀକାର କରିବା ପରେ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର