ଜୟପୁର: ସାଇବର ଠକେଇ ମାମଲାରେ ଜୟପୁର ସଦର ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ବଳରାମ ଦାଶ, କେନ୍ଦ୍ରାପଡ଼ା ଜିଲ୍ଲା ବେଲପାଡ଼ର ସତ୍ୟରଞ୍ଜନ ସାହୁ, ବିହାର ବଳୱାନ୍ ଅଞ୍ଚଳର ରାଜୀବ କୁମାର ପ୍ରସାଦ। ପୁଲିସ୍ ଏମାନଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ପାସ୍ ବୁକ୍, ଚେକ୍ ବୁକ, ୨୬ଟି ଏଟିଏମ୍, ପ୍ରିଣ୍ଟର, ୩ଟି ଲାପ୍‌ଟପ୍‌, ଗୋଟିଏ ଟାବଲେଟ୍, ବାୟୋମେଟ୍ରିକ୍ ଡିଭାଇସ୍‌, ୬ଟି ମୋବାଇଲ୍, ଟଙ୍କା ଗଣା ମେସିନ ଓ ନଗଦ ୨୩ହଜାର ୫୦୦ ଟଙ୍କା ଜବତ କରିଛି। ଏଥି ସହିତ ୧୪ଲକ୍ଷ ୯୭ହଜାର ଟଙ୍କା ଜମା ରହିଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ୍ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ହରିଶ ବିସି ଏବଂ ଥାନା ଅଧିକାରୀ ଈଶ୍ବର ତାଣ୍ଡି।

Advertisment

ପୁଲିସ୍ ସୂଚନା ମୁତାବକ, ୨୦୨୩ ସେପ୍ଟେମ୍ବରରେ ଅଭିଯୁକ୍ତ ବଳରାମ ଦାଶ ଜୟପୁର ବ୍ଲକ୍‌ କାଳିଆଗାଁର ରଞ୍ଜନ ହରିଜନଙ୍କୁ ଭେଟି ଜୟପୁର ଆଇସିଆଇସିଆଇ ବ୍ୟାଙ୍କରେ ୧ଲକ୍ଷ ୪୦ହଜାର ଟଙ୍କାର ଋଣ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଋଣ ଆଶାରେ ରଞ୍ଜନ ବଳରାମଙ୍କ ସହ ବ୍ୟାଙ୍କକୁ ଯାଇ ଆକାଉଣ୍ଟ୍ ଖୋଲିବା ସହ ନିଜ ନାମରେ ସିମ୍ କାର୍ଡ କିଣିଥିଲେ। ଆକାଉଣ୍ଟ୍ ଖୋଲିବା ପରେ ରଞ୍ଜନଙ୍କ ପାସ୍ ବୁକ୍, ଏଟିଏମ୍ କାର୍ଡ, ମୋବାଇଲ୍ ସିମ୍ କାର୍ଡକୁ ବଳରାମ ନିଜ ପାଖରେ ରଖିଥିଲେ। ଏହା ପରେ ଏହି ଆକାଉଣ୍ଟ୍ ଜରିଆରେ ସାଇବର୍ ଅପରାଧୀ ବଳରାମ, ସତ୍ୟରଞ୍ଜନ, ରାଜୀବ କୁମାର ବେଆଇନ ଭାବେ ଟଙ୍କା କାରବାର ଆରମ୍ଭ କରିଥିଲେ। ୨୭ ସେପ୍ଟେମ୍ବରରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ଏହି ଆକାଉଣ୍ଟରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ହୋଇଥିଲା। ଏତେ ଟଙ୍କା କାରବାର ହେଉଥିବା ରଞ୍ଜନ ଜାଣିବା ପରେ ସଦର ଥାନା ପୁଲିସକୁ ଅବଗତ କରିଥିଲେ। ପୁଲିସ୍ ପ୍ରଥମେ ବଳରାମଙ୍କୁ ସେମିଳିଗୁଡ଼ାରୁ ଉଠାଇ ଆଣିବା ପରେ ମାମଲାରେ ସମ୍ପୃକ୍ତ ସତ୍ୟରଞ୍ଜନ ଓ ରାଜୀବ ପ୍ରସାଦଙ୍କୁ ଭୁବନେଶ୍ବରରୁ ଗିରଫ କରିଥିଲା। ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଦିନକ ପାଇଁ ରିମାଣ୍ଡରେ ଆଣି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ଅଛି ସେ ନେଇ ଖୋଳତାଡ଼ କରିଛି। ବ୍ୟାଙ୍କ ଋଣ ପ୍ରଲୋଭନ ଦେଖାଇ ବିଭିନ୍ନ ଲୋକଙ୍କଠାରୁ ଆଧାର କାର୍ଡ, ଅନ୍ୟ ଦସ୍ତାବିଜ ନେଇ କରେଣ୍ଟ ଆକାଉଣ୍ଟ୍ ଖୋଲିବା ପରେ ଆକାଉଣ୍ଟ ସହ ଲିଙ୍କ୍ ଥିବା ସିମ୍ କାର୍ଡ, ଚେକ୍ ବୁକ୍ ଓ ଏଟିଏମ୍‌କୁ ଅପରାଧୀମାନେ ନେଇ ବେଆଇନ କାରବାର ଚଲାଇଥିବା ପୁଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି। ମାମଲାର ମାଷ୍ଟର ମାଇଣ୍ଡକୁ ଧରିବାକୁ ପୁଲିସ୍ ସ୍ବତନ୍ତ୍ର ଟିମ୍ ଗଠନ କରିଛି।