ଭୁବନେଶ୍ବର: ଏମ୍‌ସ ନିଯୁକ୍ତିରେ ଜାଲିଆତି ନେଇ ଆଜି ସିବିଆଇର ୯ଜଣିଆ ଟିମ୍‌ ଏମ୍‌ସ ସମେତ ‌ଜଗତସିଂହପୁର ଓ କଳ୍ପନା ଆଦି ୩ଟି ସ୍ଥାନରେ  ଚଢ଼ଉ କରିଛି। ଏମ୍‌ସର ୨୭ଜଣ କର୍ମଚାରୀଙ୍କୁ ନେଇ ସିବିଆଇ ଟିମ୍‌ ୫ ଘଣ୍ଟାକାଳ ଜେରା କରିଥିଲା। ଏହାଛଡ଼ା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସିବିଆଇ ଟିମ୍‌ ହାତରେ ଲାଗିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗତ ୨୦୨୩ ଓ ୨୪ ମସିହାରେ ଗୋଟିଏ ପରିବାରର ୫ଜଣ ଏମ୍‌ସରେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ପାଇଥିବା କର୍ମଚାରୀମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା। ସବୁଠୁ ବଡ଼କଥା ହେଲା ଏହି ୫ଜଣ ପୂର୍ବରୁ ଏମ୍‌ସ‌ରେ ଆଉଟ୍‌ ସୋର୍ସଂ ଜରିଆରେ ନିଯୁକ୍ତି ପାଇଥିଲେ। କିନ୍ତୁ ପରେ ଏମ୍‌ସ ପକ୍ଷରୁ ନିଯୁକ୍ତି ବ୍ୟବସ୍ଥାକୁ ନିଜ ହାତକୁ ନିଆ ଯାଇଥିଲା।

Advertisment

୫ଜଣ କର୍ମଚାରୀ ପୂର୍ବରୁ ଚୁକ୍ତିଭିତ୍ତିରେ ଠିକା କର୍ମଚାରୀ ଭାବେ କାମ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ସ୍ଥାୟୀ ନିଯୁକ୍ତି ପାଇଥିଲେ। ୩ଜଣ କିରାଣି ଓ ୨ଜଣ ସାନିଟାରୀ ଇନ୍‌ସ୍ପେକ୍ଟର ଭାବେ ନିଯୁକ୍ତି ପାଇଥିଲେ। ତେବେ ସେମାନେ ଜାଲ୍ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ନେଇ ଅଭିଯୋଗ ହୋଇଥିଲା। ନିଯୁକ୍ତି କ୍ଷେତ୍ରରେ ଗାଜିଆବାଦ୍ ଓ ଗୋରଖପୁରର କେତେକ ନକଲି କାଗଜପତ୍ର ଦାଖଲ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ସିବିଆଇ ଟିମ୍ ଏମ୍‌ସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।  ମୋଟ୍‌ ୭୦୦ ପଦବିରେ ନିଯୁକ୍ତି ଜାଲିଆତି ନେଇ ଚଢ଼ଉ ଜାରି ରହିଛି।