୧୪ ଫେବ୍ରୁଆରିରେ ବନ୍ଧା ହେଲା ୧୪ରାଣୀଙ୍କ ରାଜା

୮ ରାଜ୍ୟରେ ୧୪ ପତ୍ନୀ, ସମ୍ଭ୍ରାନ୍ତ ମହିଳାଙ୍କୁ ଲୁଟୁଥିଲା, ଡାକ୍ତର ଓ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ପରିଚୟରେ ଫସାଉଥିଲା

ଭୁବନେଶ୍ୱର : ଭାଲେଣ୍ଟାଇନ୍‌ ଡେ’ରେ ଫସିଗଲା ପ୍ରେମିକ ପ୍ରବର। ୧୪ ଫେବ୍ରୁଆରିରେ ବନ୍ଧା ହେଇଛି ୧୪ ରାଣୀଙ୍କ ରାଜା। ନିଜକୁ ଜଣେ ଡାକ୍ତର ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ ୧୪ ମହିଳାଙ୍କୁ ବିବାହ କରିଥିବା ଏହ‌ି ରସିକ ପ୍ରବର ଅଭିଯୁକ୍ତ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶଚନ୍ଦ୍ର ସ୍ବାଇଁ(୬୬)। ଅଲଗା ଅଲଗା‌ ନାଁରେ କେବଳ ସମ୍ଭ୍ରାନ୍ତ ଶ୍ରେଣୀୟ
ମହିଳାଙ୍କୁ ବାଛିବାଛି ଫସାଉଥିବା ରମେଶ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲା ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ରମେଶର ଓଡ଼ିଶାରେ ୩, ମଧ୍ୟପ୍ରଦେଶରେ ୨, ଝାଡ଼ଖଣ୍ଡରେ ଜଣେ, ଦିଲ୍ଲୀରେ ୩, ପଞ୍ଜାବରେ ୨, ଗୌହାଟୀ ତେଜପୁରରେ ୨, ଉତ୍ତରପ୍ରଦେଶ ଆହ୍ଲାବାଦରେ ଜଣେ ସ୍ତ୍ରୀ ଥିବା ପୁଲିସକୁ ସୂଚନା ମିଳିଛି। କମିସନରେଟ୍‌ ପୁଲିସ ତା’ଠାରୁ ପୁଳାପୁଳା ନକଲି ପରିଚୟପତ୍ର, ସରକାରୀ ଲୋଗୋ ଥିବା ଚିଠି, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ମୋବାଇଲ ଫୋନ୍, ବ୍ୟାଙ୍କ୍‌ ପାସବୁକ୍ ଜବତ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ଦେଇଛି।

୨୦୨୦ ମସିହାରେ ସେ ଦିଲ୍ଲୀର ଜଣେ ଶିକ୍ଷୟିତ୍ରୀଙ୍କୁ ତା’ ପ୍ରେମ ଜାଲରେ ଫସାଇଥିଲା। ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉପମହାନିର୍ଦ୍ଦେଶକ ପରିଚୟ ଦେଇଥିଲା। ‌ଶେଷରେ ସେ ଦିଲ୍ଲୀ କୁବେରପୁରୀସ୍ଥିତ ଆର୍ଯ୍ୟ ସମାଜରେ ତାଙ୍କୁ ବିବାହ କରିଥିଲା। ସେଠାରେ କିଛି ଦିନ ରହିବା ପରେ ସେ ଓଡ଼ିଶା ଚାଲି ଆସିଥିଲା ଓ ଖଣ୍ଡଗିରି ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଉକ୍ତ ଶିକ୍ଷୟିତ୍ରୀଙ୍କ ସହ ରହୁଥିଲା। ତେବେ କୌଣସିମତେ ରମେଶ ବିବାହିତ ଓ ତାଙ୍କ ସ୍ତ୍ରୀ ଗାଁରେ ରହୁଛନ୍ତି ବୋଲି ଦିଲ୍ଲୀ ଶିକ୍ଷୟିତ୍ରୀ ସ୍ତ୍ରୀ ଜାଣିପାରିଥିଲେ। ତେଣୁ ରମେଶକୁ କିଛି ନକହି ସେ ନିଜ ଚାକିରି ପାଇଁ ଦିଲ୍ଲୀ ଯିବାକୁ ବାହାରିଥିଲେ ଓ ରମେଶକୁ ସାଙ୍ଗରେ ନେଇଯିବାକୁ କହିଥିଲେ। ମାତ୍ର ଧୂର୍ତ୍ତ ରମେଶ ବିଭିନ୍ନ ବାହାନା କରି ଦିଲ୍ଲୀ ଯିବା ପ୍ରସ୍ତାବକୁ ଟାଳି ଚାଲିଥିଲା। ତେଣୁ ଦିଲ୍ଲୀ ଶିକ୍ଷୟିତ୍ରୀ ତାକୁ ଜଣେ ଧୂର୍ତ୍ତ ବୋଲି ନିଶ୍ଚିତ ହେବା ପରେ ୨୦୨୧ ଜୁଲାଇ ୫ରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଇପିସି ଦଫା-୪୯୮(ଏ), ୪୧୯, ୪୬୮, ୪୭୧, ୪୯୪ରେ ମାମଲା ରୁଜୁ କରି ରମେଶକୁ ଖୋଜିବା ବେଳକୁ ସେ ଫେରାର୍‌ ହୋଇଯାଇଥିଲା। ଏହା ପରେ ରମେଶ ମୋବାଇଲ୍‌ ଫୋନ୍‌ ବଦଳାଇ ଦେବାରୁ ପୁଲିସ ତାକୁ ଠାବ କରିବା ସମ୍ଭବ ହୋଇନଥିଲା।

ଭୁବନେଶ୍ବରରୁ ସେ ଫେରାର୍ ହେବା ପରେ ଗୌହାଟୀ ପଳାଇଥିଲା। ସେଠାରେ ଅନ୍ୟତମ ପତ୍ନୀ ପାଖରେ ଆତ୍ମଗୋପନ କରିଥିଲା। ସେଠାରେ ପ୍ରାୟ ୬ ମାସ ରହିବା ପରେ ସେ ପୁଣି ଅଫିସ କାମ ବାହାନା କରି ଦିଲ୍ଲୀ ଫେରିବ ବୋଲି କହି ଗୌହାଟୀ ଛାଡ଼ିଥିଲା। ୬ ମାସ ବିତିଯାଇଥିବାରୁ ପୁଲିସ କେସ୍ ଶିଥିଳ ହୋଇପଡ଼ିଥିବା ଭାବି ସେ ପୁଣି ଭୁବନେଶ୍ବର ଫେରିଥିଲା। ସେତେବେଳକୁ ଦିଲ୍ଲୀ ଶିକ୍ଷୟିତ୍ରୀ ସ୍ତ୍ରୀ ଦିଲ୍ଲୀ ଚାଲିଯାଇଥିଲେ। କିନ୍ତୁ ଦିଲ୍ଲୀ ଶିକ୍ଷୟିତ୍ରୀ ସ୍ତ୍ରୀ ଉକ୍ତ ଆପାର୍ଟମେଣ୍ଟରେ ଗୁଇନ୍ଦା ଖଞ୍ଜିଥିଲେ ବୋଲି ରମେଶ ମୁଣ୍ଡକୁ ଜୁଟିନଥିଲା। ସେ ଉକ୍ତ ଆପର୍ଟମେଣ୍ଟରେ ରହିବା ପରେ ଦିଲ୍ଲୀ ଶିକ୍ଷୟିତ୍ରୀଙ୍କ ପାଖକୁ ଖବର ପଳାଇଥିଲା। ସେ ସେଠାରୁ କମିସନରେଟ୍‌ ପୁଲିସକୁ ସୂଚନା ଦେଇଥିଲେ। ଗତକାଲି ରାତିରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ତାକୁ ଆପାର୍ଟମେଣ୍ଟରୁ ଉଠାଇ ନେଇଥିଲା।

ରମେଶ ମାଟ୍ରିମୋନି ସାଇଟ୍‌ରେ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାଙ୍କୁ ଖୋଜୁଥିଲା। ବିଶେଷକରି ବିଧବା ଓ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ସେ ଟାର୍ଗେଟ କରୁଥିଲା। ନିଜର ବୟସ ଅନୁସାରେ ସେ ମଧ୍ୟ ବୟସ୍କା ମହିଳାଙ୍କୁ ହିଁ ଫସାଉଥିଲା। ନିଜର ନାଁ ବଦଳାଇ ସେ ମହିଳାମାନଙ୍କ ସହ ସମ୍ପର୍କ ଯୋଡ଼ୁଥିଲା। ବହୁ ସମୟରେ ସେ ନିଜକୁ ଡାକ୍ତର ବିଦୁଭୂଷଣ ସ୍ବାଇଁ କହୁଥିଲା ଓ ବେଳେବେଳେ ରମଣୀ ରଞ୍ଜନ ବୋଲି କହୁଥିଲା। ବହୁ ସମୟରେ ସେ ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉପମହାନିର୍ଦ୍ଦେଶକ ବୋଲି ପରିଚୟ ଦେଉଥିଲା। ଫସୁଥିବା ମହିଳାମାନଙ୍କ ସନ୍ଦେହମୋଚନ ପାଇଁ ସେ ଜାଲ୍ ପରିଚୟପତ୍ର, ଭିଜିଟିଂ କାର୍ଡ, କେନ୍ଦ୍ର ସରକାରଙ୍କ ଲୋଗୋ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାମ୍ପ ଥିବା ଚିଠି ଏବଂ ଅନ୍ୟ କାଗଜପତ୍ର ଦେଖାଉଥିଲା। ସମ୍ପର୍କ ବଢ଼ାଇବା ପଛରେ ଥିଲା ବିବାହ ପ୍ରସ୍ତାବ। ଫସୁଥିବା‌ ମହିଳାମାନେ ତାକୁ ବିବାହ କରିବା ପରେ ସେ ସେମାନଙ୍କଠାରୁ ବଡ଼ କାଇଦାରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା। ପୁଲିସକୁ ସେ ଦେଇଥିବା ସୂଚନାନୁସାରେ ସେ କେନ୍ଦ୍ରାପଡ଼ା କଲେଜରୁ ଯୁକ୍ତ ୨ ବିଜ୍ଞାନ ପାସ୍ କରିବା ପରେ କୋଚିନ୍ ଇନ୍‌ଷ୍ଟିଚ୍ୟୁଟ୍‌ରେ ପାରା ମେଡିକାଲ୍, ଲାବରେଟୋରି ଟେକ୍ନୋଲୋଜି ଓ ଫାର୍ମାସିରେ ଶିକ୍ଷାଲାଭ କରିଥିଲା। ସେ ଅଲ୍‌ଟର୍‌ନେଟିଭ୍ ସିଷ୍ଟମ୍ ଅଫ୍ ମେଡିସିନ୍, କୋଲକାତରୁ ସ୍ନାତକତ୍ତୋର ଡିଗ୍ରୀ ଓ ଏମ୍‌ଡି ଶିକ୍ଷାଲାଭ କରିଛି ବୋଲି ପୁଲିସକୁ କହିଛି।

ଆଶାୟୀ ଡାକ୍ତରୀ ଛାତ୍ରଛାତ୍ରୀ, ବ୍ୟାଙ୍କ୍, ଗୁରୁଦ୍ବାର ବି ବାଦ୍‌ ପଡ଼ିନି
ରମେଶ କେବଳ ମହିଳାଙ୍କୁ ଲୁଟିନାହିଁ, ମେଡିକାଲ କଲେଜ୍‌ରେ ନାମ ଲେଖାଇଦେବା ବାହାନାରେ ସେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଛି। ଏବାବଦରେ ସେ ହାଇଦ୍ରାବାଦ୍‌ରୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଠକିଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଇଦ୍ରାବାଦ ଏସ୍‌ଟିଏଫ୍ ରମେଶକୁ ଗିରଫ କରିଥିଲା। ସେହିପରି ୨୦୦୬ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ କରାଇ ଦେବା ନାଁରେ ଜାଲ୍‌ କାଗଜପତ୍ରରେ ସେ କେରଳର ୧୩ଟି ବ୍ୟାଙ୍କରୁ ୧ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା। ଏହି ମାମଲାରେ ମଧ୍ୟ କେରଳ ପୁଲିସ ରମେଶକୁ ବାନ୍ଧିଥିଲା। ସେହିଭଳି ଦିଲ୍ଲୀ ଶିକ୍ଷୟିତ୍ରୀଙ୍କ ଠାରୁ ୧୩ ଲକ୍ଷ ଟଙ୍କା, ୨୦୧୮ରେ ସେଣ୍ଟ୍ରାଲ ଆର୍ମଡ୍‌ ପୁଲିସର ଜଣେ ମହିଳା ଅଧିକାରୀଙ୍କୁ ବିବାହ କରିବା ପରେ ତାଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା, ଗୁରୁଦ୍ବାର ନାମରେ ମେଡିକାଲ କଲେଜ ଗଠନ ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ଗୁରୁଦ୍ବାର ଠାରୁ ୧୧ ଲକ୍ଷ ଟଙ୍କା ଠକି ନେଇଥିବା କମିସନରେଟ ପୁଲିସ ସୂଚନା ଦେଇଛି।

ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉପମହାନିର୍ଦ୍ଦେଶକ ପରିଚୟ ଦେଇ ଦେଶର ବିଭିନ୍ନ ସ୍ଥାନରେ ସେ ବୁଲୁଥିଲା। କାର୍‌ରେ ନାଲିବତି ଲଗାଇ ସେ ବୁଲୁଥିଲା। ଏମିତିକି ସାଙ୍ଗରେ ବ୍ୟକ୍ତିଗତ ସହାୟକ ଓ ପିଏସଓ ଧରି ବୁଲୁଥିଲା। ତା ଫାଶରେ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ, ଅଧ୍ୟାପିକା, ଡାକ୍ତରାଣୀ ଓ ମହିଳା ପୁଲିସ ଅଧିକାରୀ ପଡ଼ିଥିବା ଜଣାପଡ଼ିଛି।

ଗାଁରେ ପ୍ରଥମ ପତ୍ନୀ, ୩ ପିଲା ଡାକ୍ତର
ରମେଶର ପ୍ରଥମ ପତ୍ନୀ ଗାଁରେ ରହୁଛନ୍ତି। ୩ ପିଲାଙ୍କ ମଧ୍ୟରୁ ୨ ଜଣ ଝିଅ ଓ ଜଣେ ପୁଅ। ୩ ପିଲା ଡାକ୍ତର ହୋଇଥିବା ବେଳେ ସମସ୍ତେ ବିଦେଶରେ ରହୁଛନ୍ତି। ସେହିପରି ଦ୍ବିତୀୟ ପତ୍ନୀ ଆହ୍ଲାବାଦରେ ରହୁଥିବା ବେଳେ ତାଙ୍କର ଦୁଇଟି ପିଲା। ଦୁଇଜଣ ଯାକ ଡାକ୍ତର ବୋଲି ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର