ଯାଜପୁର: କରୋନା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ରାଜ୍ୟବ୍ୟାପୀ ପଞ୍ଚାୟତ ଓ ବ୍ଲକ୍ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମ୍ସି)ଖୋଲାଯାଇଥିଲା। ଏଠାରେ ରହୁଥିବା କରୋନା ରୋଗୀଙ୍କ ବ୍ୟବହାର ପାଇଁ ସରଞ୍ଜାମମାନ କିଣାଯାଇଥିଲା। ଏ ବାବଦରେ ସମଗ୍ର ରାଜ୍ୟରେ ୧୫୭କୋଟି ଟଙ୍କାରୁ ଅଧିକ ବିଲ୍ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସାମଗ୍ରୀକୁ ସରକାରୀ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକୁ ହସ୍ତାନ୍ତର କରିବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ଆଜିପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେଲାନାହିଁ। କୋଟିକୋଟି ଟଙ୍କାର ବେଡ୍, କୁଲର, ଇନଭର୍ଟର, ପଙ୍ଖା, ଫିଲଟର୍ ଆଦି ସାମଗ୍ରୀ ଉଭାନ ହୋଇଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏଥିରେ ହୋଇଥିବା ବଡ଼ ଧରଣର କେଳେଙ୍କାରୀ ସାମ୍ନାକୁ ଆସିବ।
ରାଜ୍ୟରେ ପ୍ରଥମ କରୋନା ସଂକ୍ରମଣ ବେଳେ ୯୭୯.୫୫ କୋଟି, ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବେଳେ ୧୯.୬୩ କୋଟି ମୋଟ ୯୯୯. ୧୮ କୋଟି ଟଙ୍କା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବ୍ୟୟ କରାଯାଇଥିଲା। ଏଥିରୁ ଟିଏମ୍ସି ବାବଦରେ ୩୬୭.୭୧କୋଟି ଟଙ୍କା ବ୍ୟୟ ହୋଇଥିଲା। ସାମଗ୍ରୀ ପାଇଁ ୧୫୭.୧୪କୋଟି ବିଲ୍ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠି, ଗ୍ରାମପଞ୍ଚାୟତସ୍ତରୀୟ ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନଙ୍କ ଅନୁଦାନରୁ ଏସବୁ ଖର୍ଚ୍ଚ କରାଯାଇଥିଲା। କରୋନା ପ୍ରକୋପ କମିବା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଚିଠି ନମ୍ବର ୫୧୬୬, ତାରିଖ୧୫.୩.୨୦୨୧ରେ ଟିଏମ୍ସିର ସରଞ୍ଜାମ ଓ ଆସବାସପତ୍ର ଗୁଡ଼ିକ ଶିକ୍ଷାନୁଷ୍ଠାନରେ ପୁନଃବ୍ୟବହାର ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ପଞ୍ଚାୟତ ଅଧିକାରୀମାନେ ତାଲିକା ପ୍ରସ୍ତୁତ କରି ସରଞ୍ଜାମ ହସ୍ତାନ୍ତର କରିବାକୁ କୁହାଗଲା।
ସରଞ୍ଜାମଗୁଡ଼ିକ ବିଭିନ୍ନ ବିଦ୍ୟାଳୟକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବାକୁ କୁହାଯାଇଥିଲା। ବଳକା ସାମଗ୍ରୀ କିଛି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନକୁ ଦେବାକୁ ନିର୍ଦେଶ ରହିଥିଲା। ତଥ୍ୟ ମୁତାବକ ଯାଜପୁର ଜିଲ୍ଲାରେ ଟିଏମ୍ସି ସାମଗ୍ରୀ କିଣା ବାବଦରେ ୮.୨୩କୋଟି ଟଙ୍କା ବ୍ୟୟ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୧୪.୨୧କୋଟି, କେନ୍ଦୁଝର ଜିଲ୍ଲାରେ ୯.୭୧କୋଟି, କଟକରେ ୭.୧୬କୋଟି ଓ ଗଞ୍ଜାମରେ ୯.୩କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ଦର୍ଶାଯାଇଛି। ଯାଜପୁର ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମ୍ସି) ସାମଗ୍ରୀ ହସ୍ତାନ୍ତର କ୍ଷେତ୍ରରେ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ସଠିକ୍ ଭାବେ ପାଳନ କରାଯାଇନାହିଁ। ଏହି ସରଞ୍ଜାମ ଓ ସାମଗ୍ରୀ ଗୁଡ଼ିକ ଟିଏମ୍ସି ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀମାନେ ହଡ଼ପ କରିଥିବା ଅଭିଯୋଗ ହୋଇଛି। କାଗଜପତ୍ରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଥିବା ସରଞ୍ଜାମ ବିଭିନ୍ନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, କଲେଜ, ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ହଷ୍ଟେଲ, ବିଭିନ୍ନ ଶିକ୍ଷାନୁଷ୍ଠାନ,ଏସ୍ସି ଓ ଏସ୍ଟି ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ଆଇଟିଆଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2023/12/corona-maharastra-678x430-1.jpg)