‘ଓ୍ଵବ୍‌ସାଇଟ୍‌ କ୍ଲୋନିଂ’ କରି ଠକେଇ

ଶତାଧିକ ଇଞ୍ଜିନିୟର ଗ୍ରାଜୁଏଟ୍‌ଙ୍କୁ ଧୋକା!
ଲକ୍ଷାଧିକ ଟଙ୍କା ଲୁଟିଛି ସାଇବର୍‌ ଅପରାଧୀ

କଟକ : ଶହ ଶହ ବେକାର ଯୁବ ଇଞ୍ଜିନିୟରଙ୍କୁ ଧୋକା ଦେଇଛି ଧାମରା ବନ୍ଦର ନାମରେ ଜାଲ୍‌ ଓ୍ଵବସାଇଟ୍‌ ଖୋଲିଥିବା ସାଇବର୍‌ ଅପରାଧୀ। ଜାଲ୍‌ ଓ୍ଵବ୍‌ସାଇଟ୍‌ରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନିଆଯାଇଛି। ଏବେ ସେହି େଓ୍ଵବ୍‌ସାଇଟ୍‌ ବନ୍ଦ ଥିବାରୁ ଆବେଦନକାରୀମାନେ ସଂସ୍ଥା ସହିତ ଯୋଗାଯୋଗ କରିପାରୁ ନଥିବା ଅଭିଯୋଗ ହୋଇଛି। ସାଇବର ଅପରାଧୀ ‘େଓ୍ଵବ୍‌ସାଇଟ୍‌ କ୍ଲୋନିଂ’ କରି ଏପରି ଟଙ୍କା ଠକି ନେଇଥିବା କୁହାଯାଉଛି। ଏଭଳି ଠକେଇର ଶିକାର ହୋଇଥିବା ରାଜ୍ୟର ଶତାଧିକ ଇଞ୍ଜିନିୟର ହତାଶ ହୋଇପଡ଼ିଛନ୍ତି। ଏହି ଘଟଣାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ହସ୍ତକ୍ଷେପ କରି ଜାଲିଆତି ପଛରେ ସମ୍ପୃକ୍ତ ଥିବା ସାଇବର ଅପରାଧୀଙ୍କୁ ଧରିବାକୁ ଦାବି ଉଠିଛି।

ସୂଚନା ଅନୁଯାୟୀ, ଧାମରା ପୋର୍ଟ ଠିକଣାରେ ‘ଗ୍ରାଜୁଏଟ୍‌ ଇଞ୍ଜିନୟର ଟ୍ରେନି’ ନାମରେ ୧୦୫ ପଦବିରେ ନିଯୁକ୍ତି ପାଇଁ ଗତ ଫେବ୍ରୁଆରିରେ େଓ୍ଵବ୍‌ସାଇଟ୍‌ http://dhamraport.inରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଇଂଞ୍ଜିନିୟରିଂ ଥିବା ବେଳେ ମାସିକ ଦରମା ୨୦,୬୦୦ ଟଙ୍କାରୁ ୪୬,୫୦୦ ଧାର୍ଯ୍ୟ କରାଯାଇଥିଲା। ଫର୍ମ ଦାଖଲର ଶେଷ ତାରିଖ ମାର୍ଚ୍ଚ ୪ ତାରିଖ ବୋଲି ଓ୍ଵବ୍‌ସାଇଟ୍‌ରେ ଦର୍ଶାଯାଇଥିଲା। ଫର୍ମ ଦାଖଲ ବାବଦ ୪୦୦ ଟଙ୍କା ଆବେଦନକାରୀମାନେ ଆକ୍ସିସ୍‌ ବ୍ୟାଙ୍କରେ ‘ଏମ୍‌ଏସ୍‌କେ ପ୍ରୋଜେକ୍ଟ’ ହେଡ୍‌ରେ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଦାଖଲ କରିବାକୁ କୁହାଯାଇଥିଲା। ଓ୍ଵବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଆଧାରରେ ରାଜ୍ୟର ଶହ ଶହ ଇଞ୍ଜିନିୟର ଧାର୍ଯ୍ୟ ସର୍ତ୍ତାବଳୀ ଅନୁଯାୟୀ ଆବେଦନ କରିଥିଲେ। ସମସ୍ତ ଆବେଦନକାରୀଙ୍କ ପାଇଁ ଧାମରା ପୋର୍ଟ ପକ୍ଷରୁ ମାର୍ଚ୍ଚ ୨୫ ତାରିଖରେ ଲିଖିତ ପରୀକ୍ଷାର ଆୟୋଜନ କରାଯିବାକୁ ଘୋଷଣା କରାଯାଇଥିଲା।

୧୯ ତାରିଖରେ ଓ୍ଵବ୍‌ସାଇଟ୍‌ରେ ପରୀକ୍ଷା ହଲ୍‌ ଟିକେଟ୍‌ ଅପ୍‌ଲୋଡ କରାଯିବାକୁ ଥିବାରୁ ଆବେଦନକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଗତ ୬ ତାରିଖ ପର୍ଯ୍ୟନ୍ତ ଓ୍ଵବ୍‌ସାଇଟ୍‌ ଖୋଲୁଥିବା ବେଳେ ପରେ ବନ୍ଦ ହୋଇଯାଇଥିଲା। ଏବେ ଉପରୋକ୍ତ ଓ୍ଵବ୍‌ ଆଡ୍ରେସ୍‌ ଇଣ୍ଟର୍‌ନେଟ୍‌ରେ ଆକ୍ସେସ୍‌ କଲେ ‘ଫାଇଲ୍‌ ନଟ୍‌ ଫାଉଣ୍ଡ’ ଏରର୍‌ ଦେଖାଉଛି। କେହି ସାଇବର୍‌ ଅପରାଧୀ ‘ଓ୍ଵବ୍‌ସାଇଟ୍‌ କ୍ଲୋନିଂ’ ବା ମୂଳ ଓ୍ଵବ୍‌ ସାଇଟ୍‌ର ନକଲ କରି ଏ ପ୍ରକାର ଠକେଇ କରିଥିବା ସନ୍ଦେହ କରାଯାଉଛି। ଓ୍ଵବ୍‌ସାଇଟ୍‌ରେ କୌଣସି ଯୋଗାଯୋଗ ନମ୍ବର ନଥିବାରୁ ଏବେ ଆବେଦନକାରୀମାନେ ଟଙ୍କା ଫେରସ୍ତ ନେଇ ଆଶଙ୍କାରେ ପଡ଼ିଯାଇଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଘଟଣାରେ ହସ୍ତକ୍ଷେପ କରିବାକୁ ଆବେଦନକାରୀଙ୍କ ମହଲରେ ଦାବି ହୋଇଛି। ଘଟଣାର ଉପଯୁକ୍ତ ତଦନ୍ତ କରାଗଲେ, ଘଟଣା ପଛରେ ବଡ଼ ଧରଣର ଜାଲିଆତି ସାମ୍‌ନାକୁ ଆସିପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର