ଭୁବନେଶ୍ବର : ସରକାରୀ ଚାକିରି ଲୋଭ ଦେଖାଇ ରାଜ୍ୟର ୪୦୦ରୁ ଅଧିକ ଯୁବକ/ଯୁବତୀଙ୍କଠାରୁ ୧୦ କୋଟି ଟଙ୍କା ଲୁଟି ନେଇଥିବା ଏକ ଠକ ରାକେଟ୍‌କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଠାବ କରିଛି। ଗ୍ୟାଙ୍ଗରେ ୩ଜଣ ମୁଖ୍ୟ ଥିବା ବେଳେ ଇଓଡବ୍ଲୁ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଅଞ୍ଚଳର ରାଜକିଶୋର ପଟ୍ଟନାୟକ ଓ ଭୋଗରାଇ ଅଞ୍ଚଳର ଅରୁଣ ମହାନ୍ତି। ରାଜକିଶୋର ଏଠାରେ ବମିଖାଲ ଅଞ୍ଚଳରେ ଥିବା ବିରଜା କମ୍ପ୍ଲେକ୍ସରେ ରହୁଥିବା ବେଳେ ଅରୁଣ ନୂଆପଲ୍ଲୀ ରେଣ୍ଟାଲ୍‌ କଲୋନିରେ ରହୁଥିଲା। ଉଭୟଙ୍କଠାରୁ ଶହ ଶହ ଜାଲ୍‌ ନିଯୁକ୍ତିପତ୍ର, ସିଲେକ୍ସନ ଲିଷ୍ଟ ସମେତ ଲୋକସେବା ଭବନ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସିଲ୍‌ ଜବତ କରିଛି। ଏହାଛଡ଼ା ଶହ ଶହ ଆବେଦନପତ୍ର, ମାର୍କସିଟ୍‌, ବାୟୋଡାଟା, ପରିଚୟପତ୍ର ମଧ୍ୟ ଜବତ ହୋଇଛି। ଏନେଇ ଇଓଡବ୍ଲୁ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟତମ ଅଭିଯୁକ୍ତ ତଥା ଗ୍ୟାଙ୍ଗର ଅନ୍ୟତମ ମୁଖ୍ୟ ସଦସ୍ୟ ଭବାନୀ ଶଙ୍କର ଦାସକୁ ଗିରଫ କରିବାକୁ ଇଓଡବ୍ଲୁ ତନାଘନା ଚଳାଇଥିବା ଡିଆଇଜି (କ୍ରାଇମବ୍ରାଞ୍ଚ) ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

Advertisment

ସାମ୍ବାଦିକ ପରିଚୟ ଦେଇ ଠକୁଥିଲେ
ବିପୁଳ ଜାଲ ନିଯୁକ୍ତିପତ୍ର, ସିଲ୍‌ ଜବତ

publive-image

ସୂଚନା ମୁତାବକ ଦୁଇ ବର୍ଷ ତଳେ ରାଜକିଶୋର, ଅରୁଣ ଏବଂ ସେମାନଙ୍କ ସହଯୋଗୀ ଚାକିରି ଆଶାୟୀଙ୍କୁ ଠକିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଯୁବକ/ଯୁବତୀଙ୍କ ସହ ମିଶୁଥିଲେ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ମନ୍ତ୍ରୀଙ୍କ ସହ ବି ସେମାନଙ୍କ ଭଲ ସଂପର୍କ ଅଛି ବୋଲି କହିବା ସହ ସରକାରୀ ଚାକିରି କରାଇଦେବା ତାଙ୍କ ବାମ ହାତ ଖେଳ ବୋଲି କହି ଚାକିରି ଆଶାୟୀମାନଙ୍କୁ ଜାଲରେ ଛନ୍ଦିଥିଲେ। ଆବେଦନକାରୀଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସରକାରୀ ନିଯୁକ୍ତିପତ୍ରଠାରୁ ଆରମ୍ଭ କରି ଷ୍ଟାମ୍ପ, ଅଧିକାରୀଙ୍କ ଦସ୍ତଖତ ପର୍ଯ୍ୟନ୍ତ ଅବିକଳ ନକଲ କରି ନିଯୁକ୍ତିପତ୍ର ଦେଉଥିଲେ। ଚାକିରି ପୂର୍ବରୁ ଅଗ୍ରିମ ଭାବେ ଲକ୍ଷଲକ୍ଷ ଟଙ୍କା ନେଉଥିଲେ। କିନ୍ତୁ ସତ ଜଣାପଡ଼ିବା ପରେ ସେମାନେ ଆଉ ଧରାଛୁଆଁ ଦେଉନଥିଲେ। ବଡ଼ କଥା ହେଲା, ବେଶଭୂଷା, ଚାଲିଚଳଣି ଓ କଥାବାର୍ତ୍ତାରୁ ସେମାନେ ଠକ ବୋଲି କେହି ବି ସହଜରେ ବିଶ୍ବାସ କରିପାରୁ ନଥିଲେ।

ତେବେ ଏହି ରାକେଟ୍‌ କବଳରେ ପଡ଼ି ୨ଲକ୍ଷ ଟଙ୍କା ହରାଇଥିବା ଭୁବନେଶ୍ୱରର କୁମୁଦିନୀ ସାହୁ ଅଭିଯୋଗ କରିବାରୁ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଥିଲା। କୁମୁଦିନୀଙ୍କୁ ରାଜଭବନରେ କିରାଣୀ ଚାକିରି କରାଇଦେବା ପାଇଁ ରାଜକିଶୋର ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ସେ ତାଙ୍କୁ ୬ଲକ୍ଷ ଟଙ୍କା ମାଗିଥିଲା। ଚାକିରି ପୂର୍ବରୁ ଅଗ୍ରିମ ୪ଲକ୍ଷ ଟଙ୍କା ନ ଦେଲେ ଅନ୍ୟ ପିଲାଙ୍କୁ ଚାକିରି ଦିଆଯିବ ବୋଲି କହିବାରୁ କୁମୁଦିନୀ ତାଙ୍କୁ ୨ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ରାଜକିଶୋର ଆଉ ଧରାଛୁଆଁ ଦେଇନଥିଲା। ଏହାପରେ ଅରୁଣ ମହାନ୍ତି ଓ ଭବାନୀ ଶଙ୍କର ଦାସ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଅରୁଣ ୭ଦିନ ଭିତରେ ସରକାରୀ ଚାକିରି ଯୋଗାଡ଼ କରିଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ କୁମୁଦିନୀଙ୍କଠାରୁ ୭ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ତାଙ୍କୁ ଚାକିରି ମିଳି ନଥିଲା। ଏମିତି କରି ତିନିଜଣଯାକ କୁମୁଦିନୀଙ୍କୁ ୮.୧୫ଲକ୍ଷ ଟଙ୍କାର ଚୂନ ମାରିଥିଲେ।

publive-image

କେବଳ କୁମୁଦିନୀ ନୁହନ୍ତି, ରାଜ୍ୟର ଏମିତି ଶହ ଶହ ଯୁବକ ଯୁବତୀଙ୍କୁ ଚୂନ ଲଗାଇଛି ଏହି ରାକେଟ୍‌। ଠକମାନେ ସୁଶାନ୍ତ କୁମାର ମୁଦୁଲି ନାମକ ଜଣେ ଯୁବକଙ୍କୁ ସ୍କୁଲ ପିଅନ ଚାକିରି ଦେବାକୁ କହି ଏକ ଲକ୍ଷ ଟଙ୍କା, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ରେ ପିଅନ ନିଯୁକ୍ତି ଦେବାକୁ କହି ଦୀପକ କୁମାର ନାୟକଙ୍କଠାରୁ ସାଢ଼େ ୪ଲକ୍ଷ ଟଙ୍କା, ରାଜଭବନରେ ପିଅନ ଚାକିରି ଦେବାକୁ କହି ଦୀପୁ ବିଶ୍ୱାଳଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା କଥା ପଦାକୁ ଆସିଛି। ତେବେ ଏହି ଅଭିଯୋଗ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

ଅଭିଯୁକ୍ତମାନଙ୍କ ପାଖରୁ ରାଜଭବନ, ଶକ୍ତି ବିଭାଗ, ଲୋକସେବା ଭବନ, ଶିକ୍ଷା ବିଭାଗ, ଟ୍ରାଫିକ୍‌, ଅବକାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ଆୟକର ବିଭାଗ ଅଧିକାରୀ ଓ କାର୍ଯ୍ୟାଳୟ‌ରେ ବ୍ୟବହୃତ ହେଉଥିବା ସିଲ୍‌ ଓ କାଗଜପତ୍ରର ଅବିକଳ ମିଳିଛି। ଏହାକୁ ନେଇ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି। ଏସବୁ କେଉଁଠି ମିଳୁଥିଲା? ଏହା ପଛରେ ଆଉ ଏକ ରୢାକେଟ୍‌ କାମ କରୁଥିବା ଅନୁମାନ କରାଯାଉଛି। ଏସବୁର ଗୁମର ଖୋଲିବାକୁ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି।

ଗ୍ୟାଙ୍ଗର ୩ଜଣଙ୍କୁ ଇଓଡବ୍ଲୁ ଚିହ୍ନଟ କରିଥିବା ବେଳେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ସୁରାକ୍‌ ମିଳିଛି। ଚାକିରି ଆଶାୟୀଙ୍କଠାରୁ ଏମାନେ ନଗଦ ଟଙ୍କା ସହ ଚେକ୍‌ ଓ ଅନଲାଇନ୍‌ ଟ୍ରାନ୍ସଫର୍‌ ଜରିଆରେ ବି ଟଙ୍କା ନେଇଥିବା ଜଣାପଡ଼ିଛି। ଇଓଡବ୍ଲୁ ଉଭୟଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି। ତେବେ ଉକ୍ତ ଆକାଉଣ୍ଟର ଆର୍ଥିକ କାରବାର ସଂପର୍କରେ ଅଧିକ ତଦନ୍ତ ପାଇଁ ଇଓଡବ୍ଲୁ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି କରାଯିବ ବୋଲି ଜଣାଯାଇଛି। ସେମାନେ କାହା କାହାଠାରୁ କେତେ ଟଙ୍କା ନେଇଛନ୍ତି ଓ କାହାକୁ କେତେ ଟଙ୍କା ଦେଇଛନ୍ତି ଆଦି ତଥ୍ୟ ମିଳିବା ପରେ ଆହୁରି ଅନେକ ତଥ୍ୟ ଓ ଠକଙ୍କ ନାମ ପଦାକୁ ଆସିବ ବୋଲି କୁହାଯାଉଛି।
ରୢାକେଟ୍‌ର ସଦସ୍ୟମାନେ ପ୍ରଭାବଶାଳୀ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀଙ୍କ ଚିହ୍ନା ଥିବା କହି ଆଶାୟୀଙ୍କୁ ଲୁଟିଥିଲେ। ବାସ୍ତବରେ ସେମାନଙ୍କ ପଛରେ କେହି ପ୍ରଭାବଶାଳୀ ବ୍ୟକ୍ତି ଥିଲେ କି ନାହିଁ, ସେନେଇ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ଉଭୟଙ୍କ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ମଗାଯାଇଛି।