ମହାପ୍ରଭୁଙ୍କ ଜମି ପାଇଁ ଜାଲିଆତି: ବାଡ଼ ଏଠି କ୍ଷେତ ଖାଇଛି!

ଚଞ୍ଚକତା ପଛରେ ଦୁଇ ପୂର୍ବତନ ଅମିନ, ନକଲି ଚିଠିରେ ୧୨ଜଣ କରିଥିଲେ ଆବେଦନ

ପୁରୀ: ମହାପ୍ରଭୁଙ୍କ ଜମି ପାଇଁ ଜାଲିଆତି ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଅନ୍ୟ କେହି ନୁହେଁ, ବାଡ଼ ଏଠି କ୍ଷେତ ଖାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାମ କରି ଅବସର ନେଇଥିବା ଦୁଇଜଣ ପୂର୍ବତନ ଅମିନ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଏହି ଦୁଇଜଣ ହେଲେ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ରବି ନାରାୟଣ ଦାସ। ଖୋଦ୍‌ ସୋର ତହସିଲଦାର୍‌ ଏହି ଦୁଇ ପୂର୍ବତନ ଅମିନଙ୍କ ନାମରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି। ସେପଟେ ପୂର୍ବରୁ ଦୁଇ ଅମିନ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ କାମ କରିଥିବାରୁ ଏଠାରେ ବି ମହାପ୍ରଭୁଙ୍କ ଜମି ଜାଲିଆତି ହୋଇଥିବା ସନ୍ଦେହ କରି ଦୁଇ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିବ ବୋଲି କହିଛି।

ବାଲେଶ୍ବର ଜିଲ୍ଲା ସୋର ତହସିଲ ଅଧୀନରେ ଥିବା ମହାପ୍ରଭୁଙ୍କ ଏକର ଏକର ମୂଲ୍ୟବାନ ଜମିର ରେକର୍ଡ ସଂଶୋଧନ କରି କିଛି ବ୍ୟକ୍ତିଙ୍କ ନାମରେ ସ୍ଥିତିବାନ ସୂତ୍ରରେ ରେକର୍ଡ କରିବାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଚିଠି କରାଯାଇଥିଲା। ଏପରି ଥରେ ନୁହେଁ, ତିନି ତିନି ଥର ସୋର ତହସିଲଦାରଙ୍କୁ ଚିଠି କରାଯାଇଥିଲା। ରାଇପୁର ମୌଜାର ଖାତା ନଂ ୩୪ର ପ୍ଲଟ୍‌ ନଂ-୫୦୮/୬୩୦, ଖାତା ନଂ-୬୬ର ପ୍ଲଟ୍‌ ନଂ-୫୧୦/୬୯୦ ଓ ଖାତା ନଂ-୫୬ର ପ୍ଲଟ ନଂ-୫୨୦, କମାଣପୁର ମୌଜାର ଖାତା ନଂ-୨୮୭/୮୯ର ପ୍ଲଟ ନଂ-୧୧୧, ୧୧୫, ୧୧୬, ୧୧୯ ଓ ୧୨୦, ସିରାପୁର ମୌଜାର ଖାତା ନଂ-୯୨୪/୩୩୯ର ପ୍ଲଟ ନଂ- ୧୫୪, ଖାତା ନଂ ୩୭୦ର ପ୍ଲଟ ନଂ-୧୨୦୦ ଏବଂ ବ୍ରହ୍ମପୁର ମୌଜାର ଖାତା ନଂ ୨୭୫ର ପ୍ଲଟ ନଂ-୧୧୨୬କୁ ଚଞ୍ଚକତା ପୂର୍ବକ ସଂଶୋଧନ କରି କିଛି ବ୍ୟକ୍ତିଙ୍କ ନାମରେ ସ୍ଥିତିବାନ ସୂତ୍ରରେ ରେକର୍ଡ କରିବାକୁ କୁହାଯାଇଥିଲା। ରାଇପୁର ମୌଜାର କାର୍ତ୍ତିକ ପାତ୍ର, ପୀତାମ୍ବର ମିଶ୍ର, ଜ୍ଞାନରଞ୍ଜନ ନାୟକ, କମାଣପୁର ମୌଜାର ଉତ୍କଳ କୁମାର ପାତ୍ର, ସିରାପୁର ମୌଜାର କାମିନୀକାନ୍ତ ସାହୁ, ଦେବବ୍ରତ ମହାନ୍ତି, ସନ୍ତୋଷ ମହାନ୍ତି ପ୍ରମୁଖଙ୍କ ନାମରେ ଏହି ଜମି ରେକର୍ଡଭୁକ୍ତ କରିବାକୁ ଆବେଦନ କରାଯାଇଛି। କିନ୍ତୁ ଉପରୋକ୍ତ ପ୍ଲଟ୍‌ ଉପରେ ବାରମ୍ବାର ଚିଠି ପରେ ସନ୍ଦେହ ପ୍ରକଟ ହେବାରୁ ସୋର ତହସିଲଦାର ଗତ ୧୬ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରିଥିଲେ। ଖୋଳତାଡ଼ ପରେ ଏହା ନକଲି ଚିଠି ଜାଣିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ପରେ ଦୁଇଜଣ ପୂର୍ବତନ ଅମିନଙ୍କ ନାମରେ ସୋର ତହସିଲଦାର ସୋର ଥାନାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଛନ୍ତି।
ଅନ୍ୟପକ୍ଷରେ ଦୁଇ ଅମିନ ଚିତ୍ତରଞ୍ଜନ ଓ ରବିନାରାୟଣ ଚାକିରିରୁ ଅବସର ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅମିନ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହି ଦୁଇ ଅମିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାମ କରୁନଥିଲେ ବି ଏହି ଘଟଣା ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କ କାମକୁ ନେଇ ସନ୍ଦେହ ବଢ଼ାଇବ‌ାରେ ଲାଗିଛି।

ଏ ସଂପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି କି କାର୍ଯ୍ୟରେ ଅବହେଳା ପାଇଁ ବହୁଦିନରୁ ଦୁଇଜଣ ବହିଷ୍କାର ହୋଇ ସାରିଛନ୍ତି। ଏମାନେ ଏବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାମ କରୁନଥିଲେ ବି ଅବସର ପୂର୍ବରୁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଅମିନ ଭାବେ କାମ କରୁଥିଲେ। କାର୍ଯ୍ୟକାଳ ସମୟରେ ଏମାନେ ମହାପ୍ରଭୁଙ୍କ ଜମି ଜାଲିଆତି କରିଥିବା ସନ୍ଦେହ କରାଯାଉଛି। ଏହି ଦୃଷ୍ଟିରୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଚିଠି କରାଯିବ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି।
ଅନ୍ୟପଟେ ଗତକାଲି ଏ ସଂପର୍କରେ ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଥିଲା। କିନ୍ତୁ ସିଂହଦ୍ବାର ଥାନା ଏହା ତାଙ୍କ ଥାନା ପରିସରଭୁକ୍ତ ନ ଥିବା ଦର୍ଶାଇ ମାମଲା ରୁଜୁ କରିବାକୁ ମନା କରି ଦେଇଛି। ଯାହା ପୁଲିସର କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଟାଣିଆଣିଛି।

ସମ୍ବନ୍ଧିତ ଖବର