ଭୁବନେଶ୍ୱର: ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା । ହେଲେ ଗୋଟିଏ ଭୁଲ ଫୋନ କଲ୍ ପୁରା ଖେଳକୁ ବିଗାଡି ଦେଲା। ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଆଉ ଧୀରେ ଧୀରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଧରାପଡ଼ିଯାଇଥିଲା ଛଦ୍ମବେଶୀ ଯୁବକ।

Advertisment

କମିସନରେଟ ପୁଲିସର ‘ଅପରେସନ ମଜନୁ’ରେ ବନ୍ଧା ହେଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ଜବତ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ଜବତ ହୋଇଛି।

ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କ ଠାରୁ ୩୬ ଲକ୍ଷ ଏବଂ ବାଲିନୋ କାର ନେଇଥିବା ବେଳେ, ଅନ୍ୟଜଣେ ମହିଳାଙ୍କ ଠାରୁ ୮ ଲକ୍ଷ ସହ ବୁଲେଟ ଗାଡ଼ି ନେଇଛନ୍ତି । ବିଧବା ମହିଳା, ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ। ପ୍ରଥମେ କଥାବାର୍ତ୍ତା ହେବା ପରେ ବିଭିନ୍ନ ଉପାୟରେ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗୁଥିଲା। ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଋଣ କରୁଥିଲା ଏବଂ ସେହି ଋଣ ଟଙ୍କାରେ ମଉଜ କରୁଥିଲା ଠକ ସତ୍ୟଜିତ ସାମଲ। ମହିଳାଙ୍କ ନାଁରେ ଋଣ କରି କାର କିଣି ସେହି କାରକୁ ଭଡ଼ାରେ ଲଗାଇ ଟଙ୍କା କମାଉଥିଲା। ଆଉ ସବୁ ଟଙ୍କା ଆତ୍ମସାତ କରି ବିଦେଶ ପଳାଉଥିଲା ଏହି ଠକ।