ବରଗଡ଼: ବିଇଡି କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ହଡପ୍‌ କରିଥିବା ବରଗଡ଼ର ବୀରେନ୍ଦ୍ର ବାଗ ଯାଦବଙ୍କ ଅଡ଼ୁଆ ବଢ଼ିଛି। ପ୍ରଥମ ଅଭିଯୋଗରେ ଟାଉନ୍‌ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏବେ ତାଙ୍କ ବିରୋଧରେ ମାଳମାଳ ଅଭିଯୋଗ ସାମନାକୁ ଆସିଛି। ଆନ୍ଧ୍ରାସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନା ଶିକ୍ଷାନୁଷ୍ଠାନର ଏଜେଣ୍ଟ ସାଜିଥିଲେ ବୀରେନ୍ଦ୍ର। ଏଠାକାର ପିଲାଙ୍କ ଠାରୁ ବିଇଡି କରାଇବା ବାହାନାରେ ସେମିଷ୍ଟର ପିଛା ଟଙ୍କା ଅସୁଲି କରୁଥିଲେ। କିନ୍ତୁ ଟଙ୍କା ଆଉ ଉକ୍ତ ଶିକ୍ଷାନୁଷ୍ଠାନ ପାଖରେ ଜମା କରୁନଥିଲେ। ବରଂ ସେହି ଟଙ୍କାରେ ବୀରେନ୍ଦ୍ର ଅୟସ୍‌ କରୁଥିଲେ। ଏଣେ ପିଲାମାନେ ପରୀକ୍ଷା ଦେବାରୁ ବଂଚିତ ରହୁଥିଲେ। କିଛି ପିଲା ସବୁତକ ସେମିଷ୍ଟର୍‌ ପରୀକ୍ଷା ଦେଇଥିଲେ ବି ତାଙ୍କୁ ସାର୍ଟିଫିକେଟ୍‌ ମିଳିନଥିଲା। ସାର୍ଟିଫିକେଟ୍‌ ବାବଦକୁ ସେମାନଙ୍କ ଠାରୁ ଆହୁରି ଟଙ୍କା ଦାବି କରୁଥିଲେ।

Advertisment

ବିଶେଷକରି ଗ୍ରାମାଞ୍ଚଳର ପିଲାଙ୍କୁ ଟାର୍ଗେଟ୍‌ କରି ବିଇଡି କରାଇଦେବା ଆଳରେ ବୀରେନ୍ଦ୍ର ଏଭଳି କଳା କାରବାର ଚଳାଉଥିଲେ। ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବି ଚାଲିଛି। କୌଣସି ପିଲା ଅଭିଯୋଗ କଲେ ବୀରେନ୍ଦ୍ର ନିଜର ତାଉ ଦେଖାଇ ଚୁପ୍‌ କରାଇ ଦେଉଥିଲେ। ବିଭିନ୍ନ ସଂଗଠନ ଏବଂ ରାଷ୍ଟ୍ରିୟ ଦଳର ତୁଙ୍ଗ ନେତା ବୋଲି ସେ ପରିଚୟ ଦେଉଥିଲେ। ତେଣୁ ଭୟରେ ପିଲାମାନେ କିଛି ବିଧିବଦ୍ଧ ଅଭିଯୋଗ କରିପାରୁନଥିଲେ। ସେ ଗିରଫ ହେବା ପରେ ବିଇଡି ପାଇଁ ଠକେଇର ଶିକାର ହୋଇଥିବା ପିଲାମାନେ ମୁହଁ ଫିଟାଇବା ଆରମ୍ଭ କରିଛନ୍ତି। ଟାଉନ ଥାନାରେ ପିଲାମାନେ ବୀରେନ୍ଦ୍ର କିଭଳି ତାଙ୍କୁ ଠକି ଚାଲିଥିଲେ, ବଖାଣି ଚାଲିଛନ୍ତି। ଆଗକୁ ଏଭଳି ତାଲିକା ଆହୁରି ବଢ଼ିବା ଆଶଂକା ରହିଛି। ତେବେ ପୁଲିସ୍‌ ଏନେଇ କିଭଳି ମାମଲା ପରିଚାଳନା କରୁଛି, ତାହା ଦେଖିବାକୁ ବାକି ରହିଲା। ପୁଲିସ୍‌ ଜେରା ବେଳେ ପିଲାମାନଙ୍କ ଟଙ୍କା ଫେରସ୍ତ କରିବା କିମ୍ବା ବିଇଡି ସାର୍ଟିଫିକେଟ୍ ଦେବା ନେଇ ବୀରେନ୍ଦ୍ର ମୁହଁ ଫୁଟାଣି ଦେଖାଇ କହିଥିଲେ। ଏବେ ଶହଶହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ବୀରେନ୍ଦ୍ରଙ୍କୁ ନେଇ ନାନାଦି ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ଚାକିରି କରାଇଦେବା ବାହାନାରେ ବି ସେ କିଛି ପିଲାଙ୍କ ଠାରୁ ଟଙ୍କା ନେଇଥିବା ଖୋଲା ଆଲୋଚନା ହେଉଛି।