ରା ଉଦୟଗିରି : ଗଜପତି ଜିଲ୍ଲାର ରା.ଉଦୟଗିରି, ନୂଆଗଡ଼ ଓ ଗୁମ୍ମା ବ୍ଲକ୍‌ରେ ଚାଲିଛି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କାମ। କିନ୍ତୁ, ଚୁକ୍ତି ମୁକାବକ ନିର୍ମାଣ ସାମଗ୍ରୀ ବ୍ୟବହାର ବଦଳରେ ଏଥିରେ ଖିଲାପ କରାଯାଉଛି। ନିର୍ମାଣ ଚୁକ୍ତି ଉଲଲଂଘନ କରି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି। ଚୁକ୍ତି ମୁତାବକ ନିର୍ଦ୍ଦେଶିତ ସାମଗ୍ରୀ ବଦଳରେ ଇଚ୍ଛା ମୁତାବକ ସାମଗ୍ରୀ ନିର୍ମାଣରେ ବ୍ୟବହାର କରାଯାଉଛି।
ରା.ଉଦୟଗିରି ସଦର ମହକୁମା ବସ୍‌ଷ୍ଟାଣ୍ଡ ନିର୍ମାଣ କାମର ଠିକା ନେଇଛି ନିର୍ମଲ୍‌ କନଷ୍ଟ୍ରକସନ୍‌।

Advertisment

ନିର୍ମାଣ କାମରେ ଚୁକ୍ତି ଉଲଂଘନ କରି ସାଗର ସିମେଣ୍ଟ ଓ ଡାଲମିଆ ସିମେଣ୍ଟ ବ୍ୟବହାର କରୁଛି। ସେଠାରେ ନିଯୋଜିତ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପାଇକଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ ମିଛ କଥା, ଅଲ୍ଟ୍ରାଟେକ୍‌ ସିମେଣ୍ଟ ବ୍ୟବହାର କରାଯାଇଛି। ତେବେ ଯନ୍ତ୍ରୀ ଶ୍ରୀ ପାଇକ ଯେତିକି ସ୍ଥାନ ବୁଲାଇ ଦେଖାଇଲେ ସବୁଠି ସାଗର ସିମେଣ୍ଟ ହିଁ ବ୍ୟବହାର ହେଉଥିବା ଦେଖିବାକୁ ମିଳିଥିଲା। କାମ କରିବା ସ୍ଥାନରେ ଡାଲମିଆ ଏବଂ ସାଗର ସିମେଣ୍ଟ ଜରି ଦେଖାଇ ପ୍ରଶ୍ନ କରିବାରୁ ଯନ୍ତ୍ରୀ ଶ୍ରୀ ପାଇକ ଉତ୍ତେଜିତ ହୋଇ କ୍ୟାମେରା ଛଡ଼ାଇବାକୁ ଗୋଡ଼ାଇ ଆସିଥିଲେ। ସେଭଳି ବାହାରକୁ ଦେଖାଇବା ପାଇଁ କିଛି ଭଲ ବାଲି ଗୋଟିଏ ସ୍ଥାନରେ ପକାଇ ରଖିଛନ୍ତି। ହେଲେ, ବ୍ୟବହାର କଲା ବେଳକୁ ଚତୁରତାର ସହ ନିମ୍ନମାନର ବାଲି ବ୍ୟବହାର କରୁଛନ୍ତି। ସେଲ୍‌, ଜେଏସ୍‌ଡବ୍ଲ୍ୟୁ ଓ ଟାଟା କମ୍ପାନିର ଲୁହା ଛଡ଼ ସହ ଖନନ ବାଲି ବ୍ୟବହାର ହେବା କଥା। ଏହାର ଖୋଲାଖୋଲି ଉଲଂଘନ ଚାଲିଛି। କାମର ପାୱାର୍‌ ଅଫ୍‌ ଆଟର୍ଣ୍ଣି ନେଇଥିବା ବିକାଶ ଦାଶରିଙ୍କୁ ପଚାରିବାରେ ସେ ମଧ୍ୟ ତଥ୍ୟ ଦେବାକୁ ରାଜି ହେଲେ ନାହିଁ।

ଗଜପତି ଜିଲ୍ଲାରେ ଚାଲିଥିବା ରା.ଉଦୟଗିରି, ନୂଆଗଡ଼ ଓ ଗୁମ୍ମା ବସ୍‌ଷ୍ଟାଣ୍ଡ ନିର୍ମାଣରେ ପାଖାପାଖି ୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। କେବଳ ରା.ଉଦୟଗିରି ବସ୍‌ଷ୍ଟାଣ୍ଡ୍ କାମରେ ୨କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ହେବ। ସାଗର ଓ ଅଲ୍ଟ୍ରାଟେକ୍‌ ସିମେଣ୍ଟ ମଧ୍ୟରେ ବଜାର ଦର ବସ୍ତା ପ୍ରତି ୩୦ରୁ ୪୦ଟଙ୍କା ତଫାତ୍ ରହିଛି। ଏମିତିରେ ଗୋଟିଏ ଗାଡ଼ି ସିମେଣ୍ଟ୍‌ରେ ୬ରୁ ୭ହଜାର ଟଙ୍କା ମୁନାଫା କରୁଛି ଠିକା କମ୍ପାନି। ଚୁକ୍ତି ଉଲ୍ଲଂଘନ କରି ନିର୍ମାଣ ହେଉଥିବା କାମର ସ୍ଥାୟିତ୍ଵ କେତେ ଦିନ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଉଦୟନାଥ ବଣିକ ସଂଘର କର୍ମକର୍ତ୍ତା।

କିଛିଦିନ ତଳେ ରାମଗିରିରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣରେ ଏମିତି ହରିଲୁଟ୍‌ ହେଉଥିବା ଖବର ପ୍ରକାଶିତ ହେବା ପରେ ଏଥିରେ ଗଜପତି ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବର୍ତ୍ତମାନ ବସ୍‌ଷ୍ଟାଣ୍ଡ ନିର୍ମାଣରେ ମଧ୍ୟ ଠିକା କମ୍ପାନିକୁ ଏଭଳି ନିୟମ ଓ ଚୁକ୍ତି ଉଲ୍ଲଂଘନ କାର୍ଯ୍ୟରୁ ନିବୃତ୍ତ ରହି ଚୁକ୍ତି ମୁତାବକ କାମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।