ସିବିଏସ୍‌ଇ ଦଶମ ମାର୍କିଂରେ ଜାଲିଆତି: ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ସଂଶୋଧନ କର, ନ ହେଲେ ମାର୍କ କାଟିବୁ, ବିଳମ୍ବିତ ହେବ ଦଶମ ପରୀକ୍ଷା ଫଳ

ଭୁବନେଶ୍ବର : ସିବିଏସ୍‌ଇ ଦଶମ ଶ୍ରେଣୀ ମୂଲ୍ୟାୟନରେ ବି ଜାଲିଆତି। ପରୀକ୍ଷାର୍ଥୀଙ୍କ ଯୋଗ୍ୟତାଠାରୁ ତାଙ୍କୁ ଅଧିକ ମାର୍କ ଦିଆଯାଇଛି। ଯେଉଁ ପିଲା ୧୦୦ରୁ ୮୫ରୁ ୯୦ ମାର୍କ ମଧ୍ୟରେ ରଖିବା ପାଇଁ ଯୋଗ୍ୟ, ତାଙ୍କୁ ସ୍କୁଲ କର୍ତୃପକ୍ଷ ୯୬ରୁ ଅଧିକ ମାର୍କ ଦେଇଛନ୍ତି। ଥିଓରିରେ ଶହେରୁ ଶହେ ମାର୍କ ଦେଇଥିବା ମଧ୍ୟ ନଜରକୁ ଆସିଛି। ଇଣ୍ଟରନାଲ ଆସେସ୍‌ମେଣ୍ଟରେ ବି ପିଲାଙ୍କ ମାର୍କ ବୃଦ୍ଧି କରାଯାଇଛି। ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପ୍ରକ୍ରିୟା ଚାଲିଥିବା ବେଳେ ସିବିଏସ୍‌ଇ ବୋର୍ଡ ସ୍କୁଲଗୁଡ଼ିକର ଏଭଳି ଜାଲିଆତିକୁ ଧରିବା ସହ ଚେତାବନୀ ଦେଇଛି। ପିଲାଙ୍କ ଯୋଗ୍ୟତାକୁ ଆଧାର କରି ପୁଣିଥରେ ମାର୍କ ଦେବା ପାଇଁ ନିର୍ଦେଶ ଦେଇଛି ବୋର୍ଡ। ଯଦି ମାର୍କିଂରେ ସୁଧାର ଅଣା ନ ଯାଏ, ବୋର୍ଡ କାର୍ଯ୍ୟାନୁଷ୍ଠାନ ନେବ। ପିଲାଙ୍କ ମାର୍କ କାଟି ଦିଆଯିବ। ମାର୍କିଂରେ ଏଭଳି ଜାଲିଆତି ଧରାପଡ଼ିବା ପରେ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶରେ ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି।

ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଏସ୍‌ ଭରଦ୍ବାଜ କହିଛନ୍ତି ଯେ କରୋନା ପାଇଁ ଏଥର ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି। ସ୍କୁଲଗୁଡ଼ିକୁ ମାର୍କିଂ କ୍ଷମତା ଦିଆଯାଇଛି। ତେଣୁ ସ୍କୁଲଗୁଡ଼ିକ ପରୀକ୍ଷାର୍ଥୀଙ୍କ ସଠିକ୍‌ ମୂଲ୍ୟାୟନ କରି ମାର୍କ ଦେବେ ବୋଲି ଆଶା କରାଯାଉଥିଲା। ମାତ୍ର କେତେକ ବିଦ୍ୟାଳୟ ସେମାନଙ୍କ ପିଲାଙ୍କ ମାର୍କ ବହୁ ପରିମାଣରେ ବୃଦ୍ଧି କରିଥିବା ସାମ୍ନାକୁ ଆସିଛି। ଉଦାହରଣ ସ୍ବରୂପ ୮୦ ମାର୍କର ଥିଓରି ମଧ୍ୟରୁ ସ୍କୁଲଗୁଡ଼ିକ ପିଲାଙ୍କୁ ୭୭ରୁ ୮୦ ମଧ୍ୟରେ ମାର୍କ ଦେଇଛନ୍ତି। ସ୍କୁଲଗୁଡ଼ିକର ପୂର୍ବ ୩ ବର୍ଷର ପରୀକ୍ଷା ଫଳ ଅପେକ୍ଷା ଏଥର ବହୁ ଅଧିକ ହୋଇଛି। ଏଭଳି ମାର୍କିଂ ଦ୍ବାରା ମେଧାବୀ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ସେଭଳି ସ୍କୁଲଗୁଡ଼ିକ ଟାବୁଲେସନ ପଲିସି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ ସହ ସେଥିରେ ସଂଶୋଧନ କରି ଜୁଲାଇ ୧୭ ସୁଦ୍ଧା ପୁଣିଥରେ ଅପଲୋଡ୍‌ କରିବାକୁ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କର ୯୬ରୁ ଅଧିକ ମାର୍କ ରହିଥିବ ସେମାନଙ୍କ ମାର୍କର ସମୀକ୍ଷା କରାଯିବା ସହ ଆବଶ୍ୟକ ପଡ଼ିଲେ କାଟି ଦିଆଯିବ। ପରବର୍ତୀ ସମୟରେ ସ୍କୁଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଅନ୍ୟପକ୍ଷରେ ମାର୍କ ଅପଲୋଡ୍‌ ପାଇଁ ସ୍କୁଲଗୁଡ଼ିକ ଏକାଧିକ ଥର ସମୟ ଦିଆଯାଇଛି। ତା’ପରେ ବି କେତେକ ବିଦ୍ୟାଳୟ ଏପର୍ଯ୍ୟନ୍ତ ମାର୍କ ‌ଦାଖଲ କରି ନଥିବାରୁ ଏଥର ଶେଷ ସୁଯୋଗ ଦିଆଯାଇଛି। ଜୁଲାଇ ୧୭ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ପୋର୍ଟାଲରେ ଦାଖଲ କରିବେ। ଯଦି କୌଣସି ବିଦ୍ୟାଳୟ ସିବିଏସ୍‌ଇ ନିର୍ଦେଶକୁ ଅନୁପାଳନ ନ କରନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ସିବିଏସ୍‌ଇର ସ୍ବତନ୍ତ୍ର ସ୍କ୍ବାଡ୍‌ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଯାଞ୍ଚ କରିବ ବୋଲି ଶ୍ରୀ ଭରଦ୍ବାଜ କହିଛନ୍ତି।

ସମ୍ବନ୍ଧିତ ଖବର