ଉନ୍ନୟନମୂଳକ କାମରେ ତଞ୍ଚକତା, କାମ ନକରି ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍‌!

ଅଭିଯୋଗରେ ସତ୍ୟତା ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ନରଣପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ତଂଚକତା ହୋଇଛି। କାମ ନକରି ବିଲ୍‌ ଉଠାଯାଇଥିବା ପଞ୍ଚାୟତବାସୀ ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡିବି ଶିନ୍ଦେଙ୍କଠାରେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ଅଧୀନ ଡାଳିମ୍ବପାଳ ଗ୍ରାମର ଗୌଡ଼ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ବାବଦରେ ୧ ଲକ୍ଷ ୭୪ ହଜାର ୧୫୦ ଟଙ୍କାର ବିଲ୍‌ ଉଠିଯାଇଛି। ହେଲେ ଏମିତି କାମ ହୋଇଛି ଯେ ପୋଖରୀକୁ ଯିବା ପାଇଁ ସର୍ବନିମ୍ନ ଆବଶ୍ୟକତା ଥିବା ରାସ୍ତା ନାହିଁ। ସେହିପରି ଗ୍ରାମର ତେନ୍ତୁଳି ପଡ଼ିଆ ଚେକ୍‌ଡ୍ୟାମ୍‌ଠାରୁ କୁଆନାଳୀ ଠାକୁରାଣୀ ପୀଠ ପର୍ଯ୍ୟନ୍ତ ଆଡ଼ିବନ୍ଧ ନିର୍ମାଣ ପାଇଁ ୨୯ ହଜାର ୩୦୪ ଟଙ୍କା ବିଲ୍‌ ଉଠାଯାଇଛି। ହେଲେ କାମ ହୋଇ ନାହିଁ।

ଡଳିମପାଳ ଗ୍ରାମରେ ସଦାନନ୍ଦ ବାବୁଙ୍କ ଘରଠାରୁ ବେହେରା ସାହି ଛକ ଏବଂ ଲମ୍ବୋଦର ମହାକୁଡ଼ଙ୍କ ଘରଠାରୁ କ୍ଷେତ୍ରମୋହନ ବିଶୋଇଙ୍କ ଘର ପର୍ଯ୍ୟନ୍ତ ନାଳ ପୁନରୁଦ୍ଧାର ଓ ସଫେଇ ପାଇଁ ଦୁଇଟି ବିଲ୍‌ ଯଥାକ୍ରମେ; ୧ ଲକ୍ଷ ୭୮ ହଜାର ୫୬୫ ଏବଂ ୧ ଲକ୍ଷ ୯୧ ହଜାର ୨୫୦ ଟଙ୍କା ଉଠାଯାଇଛି। ହେଲେ କାମର ନାଁଗନ୍ଧ ନାହିଁ। ସେହିପରି ନୂଆସାହି ଗ୍ରାମର ମହାବଳୀ ପୋଖରୀ ପଡ଼ିଆର ୧ ହେକ୍ଟର ଜାଗାରେ ବୃକ୍ଷରୋପଣ ବାବଦକୁ ୧ ଲକ୍ଷ ୭୪ ହଜାର ୧୫୦ ଟଙ୍କାର ବିଲ୍‌ ଉଠାଣ ହୋଇଛି। ହେଲେ ସେଠାରେ ଗଛର ଚିହ୍ନବର୍ଣ୍ଣ ନାହିଁ। ଓଲଟି ସେଠାରୁ ମାଟି ଖୋଳା ଚାଲିଛି। ସାତଖାଲିଆ ଗ୍ରାମର ଧୁନ୍ଦ ସିଂ’ଙ୍କ ଘରଠାରୁ କାଳୀଚରଣ ସିଂ’ଙ୍କ ଘର ପର୍ଯ୍ୟନ୍ତ ୩ ଲକ୍ଷ ୫୭ ହଜାର ୧୧୫ ଟଙ୍କା ବ୍ୟୟରେ ଡ୍ରେନ୍‌ ନିର୍ମାଣ ହୋଇଥିବା କୁହାଯାଉଥିବା ବ‌େ‌ଳେ କିଛି ବି କାମ ହୋଇନାହିଁ।

ସେହିପରି ସ୍ଥାନୀୟ ସାତଖାଲିଆ ବନ୍ଧର ପୁନରୁଦ୍ଧାର, ଗାର୍ଡୱାଲ‌୍ ନିର୍ମାଣ, ତୁଠ ନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ ପାଇଁ ତିନୋଟି କିସ୍ତିରେ ୧୪ ଲକ୍ଷ ୪୧ ହଜାର ୭୦୮ ଟଙ୍କାର ବିଲ୍‌ ମଞ୍ଜୁର ହୋଇଛି। ହେଲେ କାମ ଘର ଶୂନ। ସିଏଫ୍‌ସି ଯୋଜନାରେ ବନ୍ଧ କାମ କରାଯାଇଥିବା ବେଳେ ଅମୃତ ସରୋବର ଯୋଜନା ଓ ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଯୋଜନାରେ କାମ ହୋଇଥିବା କହି ଟଙ୍କା ହଡ଼ପ କରାଯାଇଛି। ବୈଷ୍ଣବ ବନ୍ଧଠାରୁ ଧୀରକୁଟ ପର୍ଯ୍ୟନ୍ତ କେନାଲ୍‌ ମରାମତି ପାଇଁ ୫ ଲକ୍ଷ ୯୫ ହଜାର ୬୦୫ ଟଙ୍କା ବିଲ୍‌ ହୋଇଥିବା ବେଳେ କୌଣସି କାମ କରାଯାଇନାହିଁ। କେବଳ ଏତିକି ନୁହେଁ; ନରଣପୁର ଗ୍ରାମର ଦିବ୍ୟାଙ୍ଗ ମୁକ୍ତିକାନ୍ତ ପରିଡ଼ା ଏବଂ ଡାଳିମପାଳ ଗ୍ରାମର ବିଜୟ ମହାକୁଡ଼ଙ୍କ ନାବାଳକ ପୁଅ ମଳୟ ବିକାଶ ମହାକୁଡ଼ଙ୍କ ସହ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଅନେକ ଲୋକଙ୍କ ନାମରେ କବ୍‌କାର୍ଡ ପ୍ରସ୍ତୁତ କରାଯାଇ ମଜୁରି ବାବଦ ଟଙ୍କା ହଡ଼ପ ହୋଇଛି। ‌ତେବେ ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ତଦନ୍ତ ହେବ। ସତ୍ୟତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର