ଯାଜପୁର: ଖରିଫ ଧାନ ପାଇଁ ଗତ ୧୫ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥର ବିଜେପି ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ସହିତ ଦୁର୍ନୀତି ରୋକିବାକୁ ଅନେକ ଯୋଜନା କରିଛନ୍ତି। ଯାଜପୁର ଜିଲ୍ଲାରେ ଏଥର ୧୨୯ଟି ପ୍ୟାକ୍ସକୁ ଚାଷୀ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏସ୍‌ଏଚ୍‌ଜିର ସ୍ଥିତି ସମୀକ୍ଷା କରି ନିଷ୍ପତ୍ତି ନେବାକୁ କୁହାଯାଇଛି। ଯାଜପୁର ଜିଲ୍ଲାରେ ଧାନକିଣା ବେଳେ ନିୟମିତ ଦୁର୍ନୀତି ଅଭିଯୋଗ ଆସୁଛି। ଏପରିକି ୨ବର୍ଷ ତଳେ ୪କୋଟି ଟଙ୍କାର ଧାନ ସ୍କାମ୍ ରାଜ୍ୟ ସ୍କ୍ବାର୍ଡ ଧରିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନି। ତତ୍କାଳୀନ ଏଆରସିଏସ ଓ ଜିଲ୍ଲା ପ୍ରଶାସନ ଘଟଣାକୁ ଚାପି ଦେଇଛନ୍ତି। ନୂଆ ସରକାରରେ ସମବାୟ ମନ୍ତ୍ରୀ ଭାବେ ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ଦାୟିତ୍ବ ନେଇଥିବାରୁ ଏହି ଦୁର୍ନୀତି ଫାଇଲ୍‌ ଖୋଲିବେ କି ବୋଲି ପ୍ରଶ୍ନ ଉଠିଛି।

Advertisment

୨୦୨୨ ମାର୍ଚ୍ଚ ୩ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ, ଏଆରସିଏସ୍‌ଙ୍କ ସମେତ ରାଜ୍ୟ ସ୍କ୍ବାର୍ଡ ଜିଲ୍ଲାର ୧୧ଟି ଧାନମଣ୍ଡିରେ ଚଢ଼ଉ କରିଥିଲେ। ଏଥିରେ ୧୦ଟି ପ୍ୟାକ୍ସ ଓ ଗୋଟିଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କେବଳ କାଗଜପତ୍ରରେ ଧାନ କିଣିଥିବା ଧରାପଡ଼ିଥିଲା। ବିଂଝାରପୁର ବ୍ଲକର ନରହରିପୁର ପ୍ୟାକ୍ସରେ ୧୮୦୧ କୁଇଣ୍ଟାଲ ଧାନ, ଧର୍ମଶାଳା ବ୍ଲକର ଅଭୟପୁର ପ୍ୟାକ୍ସରେ ୩୮୩ କୁଇଣ୍ଟାଲ, ସୁକିନ୍ଦା ବ୍ଲକର ଦୁଦୁଝରି ପ୍ୟାକ୍ସରେ ୪୫୮୧ କୁଇଣ୍ଟାଲ, ଦାନଗଦୀ ବ୍ଲକର ଗୋବର୍ଦ୍ଧନପୁର ପ୍ୟାକ୍ସରେ ୧୨୯୭ କୁଇଣ୍ଟାଲ, ଯାଜପୁର ବ୍ଲକର ମାର୍କଣ୍ଡପୁର ପ୍ୟାକ୍ସରେ ୧୦୩୫ କୁଇଣ୍ଟାଲ ଓ ମହାବୀର ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦୦୮ କୁଇଣ୍ଟାଲ ,ଦଶରଥପୁର ବ୍ଲକର ଗ୍ରାମନନ୍ଦୀପୁର ପ୍ୟାକ୍ସରେ ୩୦୬୫ କୁଇଣ୍ଟାଲ ଓ ଚଷାଖଣ୍ଡ ପ୍ୟାକ୍ସରେ ୩୭୫୭ କୁଇଣ୍ଟାଲ, ବଡ଼ଚଣା ବ୍ଲକର ବୈରୀ ପ୍ୟାକ୍ସରେ ୧୭୯୦ କୁଇଣ୍ଟାଲ ଓ ସମିଆ ପ୍ୟାକ୍ସରେ ୮୧୬ କୁଇଣ୍ଟାଲ, ବରୀ ବ୍ଲକର ଅମଠପୁର ପାକ୍ସରେ ୧୧୮୩ କୁଇଣ୍ଟାଲ ଧାନ ଚାଷୀମାନଙ୍କ ଠାରୁ ନକିଣି କାଗଜପତ୍ରରେ ଦେଖାଇଥିଲେ।

ମୋଟ ୨୦ ହଜାର ୬୯୭ କୁଇଣ୍ଟାଲ ଧାନ କିଣାରେ ଜାଲିଆତି ହୋଇଥିବାର ପ୍ରମାଣ ରାଜ୍ୟ ଯୋଗାଣ ବିଭାଗ ସ୍କ୍ବାର୍ଡ ଜାଣିବାକୁ ପାଇଥିଲେ। ଏହି ଧାନର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ। ଏ ନେଇ ସଂପୃକ୍ତ ପ୍ୟାକ୍ସ ସମ୍ପାଦକମାନେ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପାଦିକା ଲିଖିତ ଭାବେ ଦୁର୍ନୀତିକୁ ସ୍ୱୀକାର କରିଥିଲେ। ତଦନ୍ତ ରିପୋର୍ଟ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଦାଖଲ ହୋଇଥିଲା। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ୨୦୨୨ ଏପ୍ରିଲ ୧୩ ତାରିଖରେ ସମବାୟ ସମିତି ରେଜିଷ୍ଟ୍ରାରଙ୍କୁ ଜଣାଇଥିଲେ। ଏହାପରେ ୨୦୨୨ ଜୁନ୍‌ ୧୩ରେ ଯାଜପୁର ଏଆରସିଏସ୍‌ଙ୍କୁ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ହୋଇଥିଲା। ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅପରପକ୍ଷରେ ଦୁର୍ନୀତିରେ ସଂପୃକ୍ତ ସଂସ୍ଥାକୁ ପୁଣି ଧାନମଣ୍ଡି ଖୋଲିବାକୁ ଦାୟିତ୍ବ ଦିଆଯାଇଥିଲା। ଏହି ଦୁର୍ନୀତି ଫାଇଲ୍ ଖୋଲିବାକୁ ଚାଷୀମାନେ ଦାବି କରିଛନ୍ତି।