ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ତଦନ୍ତ କଲେ ୪ଜଣିଆ ଟିମ୍‌

ହାଟଡିହି: ହାଟଡିହି ବ୍ଲକ୍‌ ବାଲିବରେଇ ପଞ୍ଚାୟତରେ  ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ବଣ୍ଟନରେ ଅନିୟମିତତା ଘଟଣାରେ ଆଜି ଚାରି ଜଣିଆ ପ୍ରତିନିଧି ଦଳ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ହିତାଧିକାରୀଙ୍କୁ ଭେଟି ତଦନ୍ତ ଆରମ୍ଭ କରିଛନ୍ତି। ବିଡିଓ ବିଚିତ୍ରକୁମାର କର ମଧ୍ୟ ନିଜେ କେତେକ ହିତାଧିକାରୀଙ୍କୁ ଭେଟି ଆଲୋଚନା କରି ବୟାନ ରେକର୍ଡ କରିଛନ୍ତି।

ଏହି ଅନିୟମିତତା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଗତକାଲି ବିଡିଓ ବିଚିତ୍ର କୁମାର କର  ପଞ୍ଚାୟତକୁ ଯାଇ ରେକର୍ଡପତ୍ର ଜବତ କରିଥିଲେ। ବିଡିଓଙ୍କ ନିର୍ଦ୍ଦେଶରେ ଆଜି ପିଇଓ ଜିତେନ୍ଦ୍ର ଜେନା, ଅମୂଲ୍ୟ ପହି, ଉମାକାନ୍ତ ସା, କୋଦଣ୍ଡଧର ପଣ୍ଡା ପ୍ରମୁଖ ଗାଁରେ ପହଞ୍ଚି ହିତାଧିକାରୀଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ତଦନ୍ତକାରୀ ଦଳ ଆଜି ୧୭୩ଜଣଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି। ଆଜି ବ୍ଳକ ପ୍ରତିନିଧି ଦଳ ତଦନ୍ତ କରୁଥିବା ସମୟରେ କିଛି ବ୍ୟକ୍ତି ହରିଶ୍ଚନ୍ଦ୍ର ଟଙ୍କା ପାଇ ନଥିବା ଅଭିଯୋଗ କରିଥିଲେ ବି ସେମାନଙ୍କ ନାମ ବଣ୍ଟନ ତାଲିକାରେ ନଥିବା ଅଧିକାରୀମାନେ ଦେଖିଥିଲେ । ସେମାନେ ଏସମ୍ପର୍କିତ ରିପୋର୍ଟ ବ୍ଲକରେ ଦାଖଲ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଡିଓ ଶ୍ରୀ କର ପ୍ରକାଶ କରିଛନ୍ତି।

ପଞ୍ଚାୟତରେ ଗତ ୧୫ମାସ ଭିତରେ ୨୨୦ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ୨୧୯ଜଣଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୪ଲକ୍ଷ ୩୮ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଭଳି ଘଟଣା ଜଣାପଡ଼ିବା ପରେ ସନ୍ଦେହ ସୃଷ୍ଟି ହୋଇଛି।  ତେବେ‌ ୨୨୦ଙ୍କ ମଧ୍ୟରୁ କୌଣସି ହିତାଧିକାରୀଙ୍କ ଠିକଣା ଉଲ୍ଲେଖ ନାହିଁ। ୧୭୧ଜଣଙ୍କର ଗୋଟିଏ ଟେଲିଫୋନ ନମ୍ବର ଦିଆଯାଇଛି। ତାହା ପୁଣି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କର।

ଏ ସମ୍ପର୍କରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ କହିଛନ୍ତି ଯେ ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣି ନେଇଛି। ଏହାର ଉପଯୁକ୍ତ ତଦନ୍ତ କରାଯାଇ ସତ୍ୟତା ଉନ୍ମୋଚନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ ତତ୍‌କାଳୀନ ପିଇଓ ନରହରି ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୂର୍ବରୁ ଅନଲାଇନର ବ୍ୟବସ୍ଥା ନଥିଲା । ପଞ୍ଚାୟତ ତାର ନିଜସ୍ୱ ସମ୍ବଳରୁ ଏହି ଅର୍ଥ ତତ୍କାଳ ଦେଇଥାଏ । ଯାହାକି ପରେ ଆସିଲେ ତାହାକୁ ଭରଣା କରାଯାଇଥାଏ । କିନ୍ତୁ ପରେ ଅନଲାଇନ ବ୍ୟବସ୍ଥା ହେବାରୁ ଏକ ସାଙ୍ଗରେ ଦୁଇବର୍ଷରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାମକୁ ଗୋଟିଏ ବର୍ଷରେ ଉଲ୍ଲେଖ କରାଯାଇ ଆବେଦନ କରାଯାଇଥିଲା।  ସମସ୍ତଙ୍କୁ ହରିଶ୍ଚନ୍ଦ୍ର ଅନୁଦାନ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର