ଛେଣ୍ଡିପଦା : ଆଇସିଆଇସିଆଇ ବ୍ୟାଙ୍କ୍ ଛେଣ୍ଡିପଦା ଶାଖାରେ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କାର ଠକେଇ। ଅନ୍ୟ କେହି ନୁହେଁ, ବ୍ୟାଙ୍କ୍ର ଉପପ୍ରବନ୍ଧକ ଏବଂ ପୂର୍ବତନ କର୍ମଚାରୀ ହିଁ ଏହି ମହା ଠକେଇରେ ସାମିଲ ଅଛନ୍ତି। ଏନେଇ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁକରି ବ୍ୟାଙ୍କର ଉପ ମହାପ୍ରବନ୍ଧକ ଆକାଶ ଭାରତୀଙ୍କୁଙ୍କୁ ଗିରଫ କରିଛି।
ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଏତଲା ମୁତାବକ, ନିୟମିତ ବ୍ୟାଙ୍କ୍ ପରିଚାଳନା ପାଇଁ ବ୍ୟାଙ୍କ୍ର କ୍ୟାସ୍ ଭଲ୍ଟରେ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କାର ନୋଟ୍ ରଖାଯାଇଥିଲା। ଦୈନିକ ନେଣଦେଣ ପାଇଁ ଏହି ଟଙ୍କା ଉପଯୋଗ କରାଯାଏ। ଗତ ୨୧ ତାରିଖରେ ବ୍ୟାଙ୍କ୍ର ବ୍ରାଞ୍ଚ୍ ପ୍ରୋସେସ୍ ମ୍ୟାନେଜର(ଅଡିଟର) ସ୍ବପ୍ନା ପାଣିଗ୍ରାହୀ କ୍ୟାସ୍ ଭଲ୍ଟ ତନଖିବାରୁ ୩୭ ହଜାର ୧୦୦ଟି ୫୦୦ ଟଙ୍କିଆ ନୋଟ୍ କମ୍ ଥିବା ଜାଣିବାକୁ ପାଇଥିଲେ। ଏହି ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କାର ନୋଟ୍ କମିବାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଥିଲା। ଟଙ୍କା କୁଆଡ଼େ ଗଲା ବୋଲି ଉଚ୍ଚ କର୍ତ୍ତୃପକ୍ଷ ତନାଘନା କରିଥିଲେ। ସେଥିରୁ ଜଣାପଡ଼ିଛି ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୁମୁରିସିଂହା ଗାଁର ମାଧବଚନ୍ଦ୍ର ବାରିକଙ୍କ ପୁଅ ଆକାଶ ଭାରତୀ ଛେଣ୍ଡିପଦା ବ୍ୟାଙ୍କ୍ ଶାଖାର ଉପପ୍ରବନ୍ଧକ(ଡେପୁଟି ବ୍ରାଞ୍ଚ୍ ମ୍ୟାନେଜର) ଥିଲେ। ବ୍ୟାଙ୍କରେ ସୁବାଶିଷ ରାଉତରାୟ ନାମକ ଆଉ ଜଣେ ମ୍ୟାନେଜର ବି କାମ କରୁଥିଲେ। କିଛି ମାସ ତଳେ ସୁବାଶିଷ ବ୍ୟାଙ୍କ୍ ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ତା ପୂର୍ବରୁ ଦୁଇଜଣଯାକ ଗୋଟିଏ କୋଠରିରେ ରହୁଥିଲେ।
ବ୍ୟାଙ୍କ୍କୁ ଆସୁଥିବା ଗ୍ରାହକଙ୍କଠାରୁ ଟଙ୍କା ଗ୍ରହଣ କରୁଥିଲେ, କିନ୍ତୁ ଖାତାରେ ଜମା କରୁନଥିଲେ। ସେଥିରୁ କିଛି ଗ୍ରାହକ ଯେତେବେଳେ ଅଭିଯୋଗ ଆଣିଲେ, ସେତେବେଳେ ଗ୍ରାହକଙ୍କ ଆକାଉଣ୍ଟ୍ରେ ଟଙ୍କା ଡିପୋଜିଟ୍ କରାଇ ଦିଆଗଲା। କିନ୍ତୁ ବ୍ୟାଙ୍କ୍ର କ୍ୟାସ୍ ଭଲ୍ଟରେ ଟଙ୍କା ରଖାଗଲା ନାହିଁ। ଅର୍ଥାତ୍ ଗ୍ରାହକଙ୍କଠାରୁ ଟଙ୍କା ଜମା ନିଆଗଲା, କିନ୍ତୁ ବ୍ୟାଙ୍କ୍ର କ୍ୟାସ୍ରେ ପୈଠ କରାଗଲା ନାହିଁ। ପୂର୍ବତନ ମ୍ୟାନେଜର ସୁବାଶିଷ ଏବଂ ବର୍ତ୍ତମାନର ଡେପୁଟି ବ୍ରାଞ୍ଚ୍ ମ୍ୟାନେଜର ଆକାଶ ହିଁ ଏ କାରନାମା କରିଛନ୍ତି ବୋଲି ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆଭ୍ୟନ୍ତରୀଣ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ତେଣୁ ବ୍ୟାଙ୍କ ଶାଖାରେ ଏତେ ଗୁଡ଼ାଏ ଟଙ୍କା କମ୍ ଥିବା ଜାଣିବାକୁ ମିଳିଛି ବୋଲି ବ୍ୟାଙ୍କ୍ କର୍ତ୍ତୃପକ୍ଷ ନିଜ ଏତଲାରେ ଦର୍ଶାଇଛନ୍ତି। ଏତଲା କ୍ରମେ ଛେଣ୍ଡିପଦା ଥାନା ପୁଲିସ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାରେ ପୁଲିସ ଡେପୁଟି ବ୍ରାଞ୍ଚ ମ୍ୟାନେଜର ଆକାଶ ଭାରତୀଙ୍କୁ ଗିରଫକରି ଆଜି କୋର୍ଟ ଚାଲାଣ କରିଛି।