ଆଳି: ଜମାକାରୀଙ୍କ ଅଜାଣତରେ ସେମାନଙ୍କ ବ୍ୟାଙ୍କ ଜମାଖାତାରୁ ଗାଏବ ହୋଇଯାଇଛି କୋଟିଏ ଟଙ୍କା। ଖୋଦ୍ ବ୍ୟାଙ୍କ କର୍ମଚାରୀ ସେମାନଙ୍କ ଟଙ୍କା ହଡ଼ପ କରି ନେଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ସିଙ୍ଗିରି ବଜାରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ। ପୁଲିସ ବ୍ୟାଙ୍କ ପିଅନ୍ଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଆଳି ଥାନା ବନ୍ଧସାହି-ବିଲିକଣା ଗାଁର ସୁରେନ୍ଦ୍ର କୁମାର ନାୟକ ଆଳି ଥାନାରେ ଦାଏର କରିଥିବା ଅଭିଯୋଗ ଫର୍ଦ୍ଦରେ ଜଣାଇଛନ୍ତି ଯେ, ତାଙ୍କ ପରିବାରର ୬ଜଣ ଗ୍ରାହକଙ୍କ ନାମରେ ସଂପୃକ୍ତ ବ୍ୟାଙ୍କ ଶାଖାରେ ଜମା ଥିବା ୭ଟି ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ବ୍ୟାଙ୍କ ଆକାଉଣ୍ଟରୁ ଏହି ଅର୍ଥ ହଡ଼ପରେ ସଂପୃକ୍ତ ବ୍ୟାଙ୍କଶାଖାର ପୂର୍ବତନ ଶାଖା ପରିଚାଳକଙ୍କ ସମେତ କର୍ମଚାରୀ ଓ ପିଅନଙ୍କ ସମ୍ପୃକ୍ତି ରହିଛି ବୋଲି ସୁରେନ୍ଦ୍ର ଅଭିଯୋଗରେ ଦର୍ଶାଇଥିଲେ। ଆଳି ପୁଲିସ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବ୍ୟାଙ୍କର ପିଅନ, କର୍ମଚାରୀ ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ଆଳି ପୁଲିସ ମାମଲା ରୁଜୁ କରିଛି। ପିଅନ ସତ୍ୟାନନ୍ଦ ଘଡ଼ାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୁରେନ୍ଦ୍ରଙ୍କ ଅଭିଯୋଗ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଏହି ବ୍ୟାଙ୍କର ଜମାକାରୀମାନେ ଆତଙ୍କିତ ହୋଇ ଜମାଖାତା ଯାଞ୍ଚ କରିବା ପରେ ଅନ୍ୟ ଅନେକ ଗ୍ରାହକଙ୍କ ଜମାଟଙ୍କା ହଡ଼ପ ହୋଇଥିବା ଜଣାପଡିଛି। ସେହିପରି ସାଉଦିଆରବରେ ରହୁଥିବା ସିଙ୍ଗିରି ଗାଁର ଅଞ୍ଜନ କୁମାର ମହାଳିକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଆକାଉଣ୍ଟରୁ ବି ୧୧ଲକ୍ଷ ଟଙ୍କା ହଡ଼ପ ହୋଇଛି। ସେପଟେ, ସିଙ୍ଗିରି ଗାଁର ସଦାନନ୍ଦ ପୁଷ୍ଟି ବୃଦ୍ଧ ବୟସରେ ବ୍ୟାଙ୍କରେ ୪ଲକ୍ଷ ଟଙ୍କା ସ୍ଥାୟୀ ଜମା ରଖିଥିଲେ। ଏବେ ଦେଖିବା ବେଳକୁ ତାଙ୍କ ଅଜାଣତରେ ସବୁ ଟଙ୍କା ଗାଏବ୍ ହୋଇଯାଇଛି। ଟଙ୍କା ହରାଇଥିବା ଗ୍ରାହକମାନେ ମୁଣ୍ଡରେ ହାତ ଦେଇଥିବା ବେଳେ ନିଜ ଜମା ବହି ଯାଞ୍ଚ ପାଇଁ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଲାଗି ରହିଛି। ବର୍ତ୍ତମାନର ଶାଖା ପରିଚାଳକ ସନ୍ଦୀପ ନାୟକଙ୍କୁ ଟଙ୍କା ହଡ଼ପ ଘଟଣାକୁ ସ୍ବୀକାର କରି ବିଭାଗୀୟ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି।
ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ଜାଲିଆତି: ଜମାକାରୀଙ୍କ ଅଜାଣତରେ ଉଠାଇ ନେଲେ କୋଟିଏ
/sambad/media/post_attachments/wp-content/uploads/2024/02/sfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)